ମାଓ ମୁକାବିଲା ପାଇଁ କେନ୍ଦ୍ର ଠାରୁ ହେଲିକପ୍ଟର ମାଗିଲେ ରାଜ୍ୟ ସରକାର !

71

କନକ ବ୍ୟୁରୋ : ପାହାଡ ପର୍ବତ ଓ ଘଞ୍ଚ ଜଙ୍ଗଲରେ ମାଓ ମୁକାବିଲା ପାଇଁ ହେଲିକପ୍ଟର ଅତ୍ୟନ୍ତ ଜରୁରୀ । ତେଣୁ କେନ୍ଦ୍ର ସରକାର ଗୋଟିଏ ହେଲିକପ୍ଟର ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି । ଓଡିଶା ସୀମାନ୍ତବର୍ତୀ ଆନ୍ଧ୍ରପ୍ରଦେଶ, ଛତିଶଗଡ ଓ ଝାଡଖଣ୍ତର ପାହାଡ ପର୍ବତରେ ଏହି ମାଓବାଦୀମାନେ ଲୁଚି ସେମାନଙ୍କ କାର୍ଯ୍ୟକଳାପ ଚଳାଇଛନ୍ତି । ଏହିସବୁ ଇଲାକା ବ୍ୟତୀତ ମାଲକାନଗିରିର ବିଚ୍ଛିନ୍ନାଞ୍ଚଳ, ଓଡିଶା-ଛତିଶଗଡ ସୀମାରେ ଥିବା ତୁଳସୀ ପାହାଡ ଏବ˚ ଅନ୍ୟ ଇଲାକାରେ ମାଓବାଦୀ ସକ୍ରିୟ ଅଛନ୍ତି ।

ଏସବୁ ଅଞ୍ଚଳରେ ମାଓ ମୁକାବିଲା ଲାଗି କେନ୍ଦ୍ରୀୟ ବଳଙ୍କୁ ପଠାଯାଉ ଥିବାବେଳେ ହେଲିକପ୍ଟର ନଥିବାରୁ ରାଜ୍ୟ ସରକାର ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବର୍ତମାନ ରାଜ୍ୟରେ ୧୬ ବାଟାଲିୟନ ସୁରକ୍ଷାବଳ ମୁତୟନ ଅଛନ୍ତି । ଏଥିପାଇଁ ହେଲିକପ୍ଟର ନିହାତି ଆବଶ୍ୟକ ବୋଲି ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି । ସେହିଭଳି ଓଡିଶାରୁ କୋବ୍ରା ବାଟାଲିୟନକୁ କେନ୍ଦ୍ର ହଟାଇ ନେଇଥିବାରୁ ବର୍ତମାନ ମାଓ ମୁକାବିଲା ପାଇଁ ଓଡିଶାରେ କୋବ୍ରା ଯବାନ ନାହାନ୍ତି । ତେଣୁ ରାଜ୍ୟକୁ ପୂର୍ବଭଳି କୋବ୍ରା ବାଟାଲିୟନ ଯୋଗାଇ ଦେବାପାଇଁ ଓଡିଶା ପକ୍ଷରୁ ପୁଣିଥରେ କେନ୍ଦ୍ରକୁ ଅନୁରୋଧ କରିଛି ।