ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାଜ୍ୟରେ ରେକର୍ଡ଼ : ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାରେ ନିର୍ମାଣ ହୋଇଛି ୭୧୭୬ କି.ମି. ରାସ୍ତା

5

କନକ ବ୍ୟୁରୋ :  ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଗତ ୨୦୧୭-୧୮ ଅର୍ଥାତ୍‌ ବର୍ଷକରେ ଓଡ଼ିଶା ୭୧୭୬ କି.ମି. ରାସ୍ତା ନିର୍ମାଣ କରିଛି । ଏହି ସଫଳତା ରାଜ୍ୟକୁ ଏକ ନମ୍ବର ସ୍ଥାନକୁ ଉନ୍ନୀତ କରିଛି। ଏହା ସହିତ ବର୍ତମାନ ସୁଦ୍ଧା ରାଜ୍ୟରେ ୪୭୮୭୬ କି.ମି.ରୁ ଅଧିକ ରାସ୍ତା ନିର୍ମାଣ ସଂପୂର୍ଣ୍ଣ କରି ଦେଶରେ ଅଗ୍ରଣୀ ରାଜ୍ୟ‌ର ମାନ୍ୟତା ପାଇଛି ଓଡ଼ିଶା । କେବଳ ସେତିକି ନୁହେଁ, ଉଭୟ ପରିବେଶ ଅନୁକୂଳ କୌଶଳ ପ୍ରୟୋଗ ଏବଂ ଅଣସଂଯୁକ୍ତ ଗ୍ରାମମାନଙ୍କୁ ସଡ଼କ ଯୋଗାଯୋଗ ସ୍ଥାପନ କରିବାରେ ରାଜ୍ୟ ୨ୟ ସ୍ଥାନ ଅଧିକାର କରିଛି ।

ଗତକାଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ମଞ୍ଜୁରି କମିଟି ବୈଠକରେ ଉପରୋକ୍ତ ସୂଚନା ମିଳିଛି । ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ସଚିବ ମୋନା ଶର୍ମା କହିଥିଲେ, ବର୍ତମାନ ସୁଦ୍ଧା ରାଜ୍ୟରେ ସବୁଜ ଜ୍ଞାନ କୌଶଳ ପ୍ରୟୋଗ କରି ପ୍ରାୟ ୨ ହଜାର କି.ମି. ରାସ୍ତା ନିର୍ମାଣ କରାଯାଇଛି । ରାସ୍ତା ନିର୍ମାଣରେ ବର୍ଜ୍ୟପ୍ଲାଷ୍ଟିକ, ବର୍ଜ୍ୟ ଷ୍ଟିଲ୍‌ ସ୍ଲାଗ୍‌, ନାନୋ ଟେକ୍ନୋଲୋଜି, କୋଲ୍‌ଡ ମିକ୍ସ ଟେକ୍ନୋଲୋଜି, ସିମେଣ୍ଟ ଷ୍ଟାବି‌ଲାଇଜେସନ, ଜିଓ-ଟେକ୍ସଟାଇଲ୍‌ ଓ ସବ୍‌ଗ୍ରେଡ୍‌ ଆଦି ନୂଆ ଜ୍ଞାନକୌଶଳ ବ୍ୟବହାର କରାଯାଇଛି । ଏହି କୌଶଳ ମାଧ୍ୟମରେ ଚଳିତ ବର୍ଷ ୧୭୦୦ କି.ମି. ରାସ୍ତା ନିର୍ମାଣ କରାଯିବ । ଏହି ପରିପ୍ରେକ୍ଷୀରେ ରାଜ୍ୟର ୬ଟି ପୌର ନିଗମରୁ ବାହାରୁଥିବା ବର୍ଜ୍ୟପ୍ଲାଷ୍ଟିକର ଶତପ୍ରତିଶତ ବ୍ୟବହାର କରିବାକୁ ମୁଖ୍ୟ ସଚିବ ନିର୍ଦେଶ ଦେଇଥିଲେ ।

ସୂଚନାନୁସାରେ ଏ ବର୍ଷ ପ୍ରାୟ ୧୦୪୩ କୋଟି ବ୍ୟୟରେ ପ୍ରାୟ ୮ ହଜାର କି.ମି. ରାସ୍ତା ନିର୍ମାଣର ଲକ୍ଷ୍ୟ ସ୍ଥାପନ କରାଯାଇଛି । ଏହି ରାସ୍ତା ନିର୍ମାଣ ହେଲେ ପ୍ରାୟ ୨୫୦୦ ଗ୍ରାମ ସହିତ ସଂଯୋଗ ସ୍ଥାପନ ହୋଇପାରିବ । ତେବେ ଏହି ଲକ୍ଷ୍ୟକୁ ବୃଦ୍ଧି କରି ୧୦ ହଜାର କି.ମି. ରାସ୍ତା ନିର୍ମାଣ କରିବାକୁ ମୁଖ୍ୟ ସଚିବ ନିର୍ଦେଶ ଦେଇଛନ୍ତି ।

Comments are closed.