‘ସ୍ୱପ୍ନର ଓଡ଼ିଶା’ କାର୍ଯ୍ୟକ୍ରମରେ ନିରଞ୍ଜନଙ୍କ ଆହ୍ୱାନ ! ରାଜନୈତିକ ଦଳ ଓ ପ୍ରଶାସକ ଚାହିଁଲେ କମିଯିବ ଭ୍ରଷ୍ଟାଚାର ।

203

କନକ ବ୍ୟୁରୋ: ରାଜନୈତିକ ଦଳ ଓ ପ୍ରଶାସକ ଦୁର୍ନୀତିର ମୂଳ । ସେମାନେ ଚାହିଁଲେ ସମାଜରୁ ୬୦ ପ୍ରତିଶତ ଦୁର୍ନୀତି କମିଯିବ ବୋଲି ଆଜି “ସ୍ୱପ୍ନର ଓଡ଼ିଶା’ ଅ।ଲୋଚନାଚକ୍ରରେ ଯୋଗ ଦେଇ କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ଭୁବନେଶ୍ୱରରେ “ଦୁର୍ନୀତି ସଂଘର୍ଷ ମଂଚ’ ପକ୍ଷରୁ ଆୟୋଜିତ ଏହି ଆଲୋଚନାଚକ୍ରରେ ନିରଂଜନ କହିଲେ- ଗୋଟିଏ ଗୋଟିଏ ପୋଲର ଡିଜାଇନ୍ ବଦଳାଯାଇ ୩୦ ହଜାର ପର୍ଯ୍ୟନ୍ତ ଲାଂଚ ସଂଗ୍ରହ କରାଯାଉଛି । ରାଜ୍ୟରେ ପ୍ରଶାସନ ଥିଲେ ଓକିଲ-ପୋଲିସ ବିବାଦରେ ଆନ୍ଦୋଳନ ୭୦ ଦିନ ପର୍ଯ୍ୟନ୍ତ ଚାଲିନଥାନ୍ତା ।

ଏଥିରେ ଅନ୍ୟତମ ବକ୍ତା ଭାବେ ଯୋଗ ଦେଇ ବିଜେପି ନେତ୍ରୀ ତଥା ପୂର୍ବତନ ପ୍ରଶାସିକା ଅପରାଜିତା ଷଡ଼ଙ୍ଗୀ କହିଥିଲେ- ଟୋଲ୍ ଫ୍ରି ନମ୍ବର ଓ ସୋସିଆଲ୍ ଅଡିଟ୍ ଦ୍ୱାରା ଦୁର୍ନୀତି କମିପାରିବ । ଯୋଜନା କରିବା ସହଜ ମାତ୍ର ତାର କାର୍ଯ୍ୟକାରିତା କରିବା ସହଜ ନୁହେଁ । “ଉକ୍ରଳ ଭାରତ’ ସଭାପତି ଖାରବେଳ ସ୍ୱାଇଁ କହିଲେ- ପଲ୍ଲୀସଭା ଏକ କଣ୍ଟ୍ରାକ୍ଟର ସଭାରେ ପରିଣତ ହୋଇଛି । ୯୫ ପ୍ରତିଶତ ଏସ୍ଏଚ୍ଜି ବାର୍ଷିକ ୧ ପ୍ରତିଶତରେ ଋଣ ନେଇ ମାସିକ ୫ ପ୍ରତିଶତରେ ଅନ୍ୟମାନଙ୍କୁ ସୁଧ ଲଗାଉଛନ୍ତି । କିଛି ଉତ୍ପାଦନଭିତ୍ତିକ କାମରେ ଲଗାଉନାହାନ୍ତି । ଚାଷୀ ଆତ୍ମହତ୍ୟାର ଏହା ଅନ୍ୟ ଏକ କାରଣ ହୋଇଛି ।

ଦୁର୍ନୀତି କମାଇବା ପାଇଁ ଉପର ଟାଙ୍କି ସଫା ହେବା ଦରକାର । ତାହାଲେ ଯାଇ ତଳେ ଦୁର୍ନୀତି କମିବ । ଦଳକୁ ନୁହେଁ ଦୂରଦୃଷ୍ଟି ଥିବା ନେତାଙ୍କୁ ଜିତାଇଲେ ଭଲ ଶାସନ ମିଳିବ ଓ ଦୁର୍ନୀତି କମିବ ବୋଲି ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନ୍ଗୋ କହିଥିଲେ । ମଂଚରେ ଉମାଚରଣ ମିଶ୍ର ସଭାପତିତ୍ୱ କରିଥିବା ବେଳେ ସାଧାରଣ ସଂପାଦକ ଇଂ ଜଗବନ୍ଧୁ ଷଡ଼ଙ୍ଗୀ ସ୍ୱାଗତ ଭାଷଣ ଦେଇଥିଲେ ।