ପରାଜୟ ପରେ କଂଗ୍ରେସରେ ବିବାଦ ! ଦଳୀୟ ବିଧାୟକ କହିଲେ, ବିଫଳତା ପାଇଁ ପିସିସି ଦାୟୀ

34

କନକ ବ୍ୟୁରୋ : କାହିଁକି ହାରିଲା କଂଗ୍ରେସ । ବିପର୍ଯ୍ୟୟ ପାଇଁ କ’ଣ ଥିଲା କାରଣ । ପଂଚାୟତ ନିର୍ବାଚନର ଫଳାଫଳ ପରେ ସରିଛି ଦଳୀୟ ମନ୍ଥନ । ଏବେ ରିପୋର୍ଟ ଯିବ ହାଇକମାଣ୍ଡଙ୍କ ପାଖକୁ । କିନ୍ତୁ ଏଥର ଦୁଇ ଭାଗରେ ବିଭକ୍ତ ହୋଇ ଏଆଇସିସି ପାଖକୁ ରିପୋର୍ଟ ଦେବ ରାଜ୍ୟ କଂଗ୍ରେସ । ପ୍ରଦେଶ କଂଗ୍ରେସ ପକ୍ଷରୁ ସଭାପତି ପ୍ରସାଦ ହରିଚନ୍ଦନ ଏନେଇ ତାଙ୍କ ରିପୋର୍ଟ ଦେଇ ସାରିଛନ୍ତି । ଆଉ ଏବେ ବିଧାୟକ ଦଳକୁ ନେଇ ଅଲଗା ରିପୋର୍ଟ ଦେବ ବିଧାୟକ ଦଳ ।

ଦଳର ଏହି ବିଧାୟକମାନେ କଂଗ୍ରେସର ବିପର୍ଯ୍ୟୟ ପାଇଁ ସିଧାସଳଖ ଦାୟୀ କରୁଛନ୍ତି ପ୍ରଦେଶ କଂଗ୍ରେସ କମିଟିକୁ । ଆଉ ପିସିସି ମୁଖିଆ ଅଛନ୍ତି ପ୍ରସାଦ ହରିଚନ୍ଦନ ।

ପୂର୍ବରୁ ମଧ୍ୟ ବିଧାୟକ ଦଳ ଓ ପିସିସି ମଧ୍ୟରେ ମତଭେଦ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏବେ ପୁଣି ପଂଚାୟତ ବିପର୍ଯ୍ୟୟ ପରେ ଏହି ବିବାଦ ଘନେଇବାର ଆଶଙ୍କା ସୃଷ୍ଟି ହୋଇଛି । ତେବେ ପ୍ରସାଦ ପଂଚାୟତ ବିଫଳତା ପରେ ପରେ ହିଁ ନିଜ ମୁଣ୍ଡକୁ ଦୋଷ ନେଇଥିଲେ ।

କଂଗ୍ରେସ ରାଜନୀତିରେ ପୁଣି ଏକ ନୂଆ ବିବାଦର ସୁତ୍ରପାତ ହେବାର ସଂଭାବନା ରହିଛି । କାହିଁକି ହାରିଗଲା କଂଗ୍ରେସ । କିଏ ଏଥିପାଇଁ ଦାୟୀ । ଏବେ ଏହି ପ୍ରଶ୍ନର ଉତର ମାଗୁଛନ୍ତି ନେତା । ଏବଂ ଆରମ୍ଭ ହୋଇଯାଇଛି ଅରୋପ ପ୍ରତ୍ୟାରୋପ ।