ଆଜି ରାହୁଲଙ୍କୁ ଭେଟିବେ ନିରଞ୍ଜନ ! ସମୀକ୍ଷା ବୈଠକରେ ରାଜ୍ୟରେ କଂଗ୍ରେସ କାର୍ଯ୍ୟକ୍ରମ ଓ ଅଗ୍ରଗତି ବିଷୟରେ ହାଇକମାଣ୍ଡଙ୍କୁ ଜଣାଇବ ପିସିସି ଟିମ୍

63

କନକ ବ୍ୟୁରୋ: ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିବେ ପିସିସି ସଭାପତି ନିରଞ୍ଜନ ପଟ୍ଟାୟକ । ନିରଞ୍ଜନଙ୍କ ସହ ପିସିସିର କାର୍ଯ୍ୟକାରୀ ସଭାପତି ତଥା ଏଆଇସିସିର ଓଡ଼ିଶା ପ୍ରଭାରୀ, ଏଆଇସିସିର ତିନି ଜଣ ସମ୍ପାଦକ, ଜଣେ ଯୁଗ୍ମ ସମ୍ପାଦକ ରାହୁଲଙ୍କ ସହ ଆଲୋଚନା କରିବେ । ବୈଠକରେ ଓଡ଼ିଶା ପାଇଁ ନୂଆ ଟିମ୍ ଗଠନ ହେବା ପରଠୁ ବର୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ପାର୍ଟି ଓ ସଂଠନର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ପାର୍ଟି ହାଇକମାଣ୍ଡଙ୍କୁ ଅବଗତ କରାଇବେ ପିସିସି ଟିମ୍ । ଏହି ପ୍ରଥମ ସମୀକ୍ଷା ବୈଠକରେ ରାହୁଲଙ୍କ ସହ ଆଲୋଚନା ପରେ ଦିନେ ଦୁଇଦିନ ଭିତରେ ଜିଲ୍ଲା ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନାମ ନାମ ଘୋଷଣା କରାଯିବାର ସମ୍ଭାବନା ରହିଛି ।

ମିଳିଥିବା ସୂଚନା ମୁତାବକ, ଆଜି ସକାଳ ୧୧.୩୦ରେ ରାହୁଲଙ୍କ ତୋଗଲକ ରୋଡ୍ ସ୍ଥିତ ସରକାରୀ ବାସଭବନରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ତିନି କାର୍ଯ୍ୟକାରୀ ସଭାପତି ବିଧାୟକ ଚିରଂଜୀବ ବିଶ୍ୱାଳ,ବିଧାୟକ ନବକିଶୋର ଦାସ ଓ ପୂର୍ବତନ ସାଂସଦ ପ୍ରଦୀପ ମାଝି, ଏଆଇସିସିର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ, ଏଆଇସିସି ସମ୍ପାଦକ ତଥା ସହ ପ୍ରଭାରୀ ରୁଦ୍ରରାଜୁ, ଶେଖ୍ ମସ୍ତାନ ଅଲ୍ଲୀ, ଅନୀଲ ଚୌଧୁରୀ ତଥା ଯୁଗ୍ମ ସମ୍ପାଦକ ଆଦିତ୍ୟ ଶର୍ମା ପ୍ରଥମ ସମୀକ୍ଷା ବୈଠକରେ ଯୋଗଦେବେ ଓ ଓଡ଼ିଶପାଇଁ ନୂଆ ଟିମ୍ ଗଠନ ହେବାପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ପାର୍ଟି ଓ ସଂଗଠନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ପାର୍ଟି ହାଇକମାଣ୍ଡଙ୍କୁ ଅବଗତ କରାଇବା ସହ ଆଗାମୀ ଦିନରେ ବିଭିନ୍ନ କାର୍ୟ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

ପ୍ରଥମ ସମୀକ୍ଷା ବୈଠକରେ ରାଜ୍ୟରେ ଦଳର ସ୍ଥିତି ସମ୍ପର୍କରେ ଫିଡବ୍ୟାକ୍ ଦେବା ସହ ରାଜ୍ୟ କଂଗ୍ରେସର ନୂତନ କାର୍ଯ୍ୟକର୍ତ୍ତା (ନୂଆ ଟିମ୍) ତଥା ଜିଲ୍ଲା କଂଗ୍ରେସ କମିଟି ଗୁଡ଼ିକର ପୁର୍ନଗଠନ ସମ୍ପର୍କରେ ନାମ ଗୁଡ଼ିକର ଚୁଡ଼ାନ୍ତ ପାଇଁ କଂଗ୍ରେସ ସଭାପତିଙ୍କ ଅନୁମୋଦନ ନେବେ ବୋଲି ଜଣାପଡ଼ିଛି। ତେବେ ଆଜି ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିବାପରେ ଦିନେ ଦୁଇଦିନ ଭିତରେ ଜିଲ୍ଲା ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନାମ ଘୋଷଣା କରାଯିବ ତଥା ସପ୍ତାହ ଭିତରେ ପିସିସି ଟିମର ଘୋଷଣା କରାଯିବ।