ନିର୍ବାଚନର ଢେର ପୁର୍ବରୁ କଂଗ୍ରେସର କସରତ ! ୪୪ ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ କଲା ସ୍କ୍ରିନିଂ କମିଟି, ବୈଠକରେ ନବ ଦାସଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା, ସେପଟେ ପଦରୁ ଇସ୍ତଫା ଦେଲେ କୃଷ୍ଣ ସଗରିଆ ।

62

କନକ ବ୍ୟୁରୋ : ୨୦୧୯ ମହାସମର ପାଇଁ ପ୍ରସ୍ତୁତ ହେଉଛି ରଣକ୍ଷେତ୍ର । ଆଉ ଏହି ମହାମୁକାବିଲା ପାଇଁ କଂଗ୍ରେସର ପ୍ରସ୍ତୁତି ବିଜେଡି ଓ ବିଜେପି ଠାରୁ ଦୁଇ ପାଦ ଆଗରେ ରହିଛି । ଆଜି ୪୪ ଜଣ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିଛି ରାଜ୍ୟ କଂଗ୍ରେସ । ୧୫ ଜଣ ଷ୍ଟାଣ୍ଡିଂ ଏମଏଲଏଙ୍କ ବ୍ୟତୀତ ଆଉ ୨୯ ଜଣ ପ୍ରାର୍ଥୀଙ୍କ ନାଁ ସ୍କ୍ରିନିଂ କମିଟି ବୈଠକରେ ଚୂଡାନ୍ତ ହୋଇଛି । ଯେଉଁମାନେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିବେ । ହେଲେ ଅପେକ୍ଷା ବିଧିବଦ୍ଧ ନାଁ ଘୋଷଣାକୁ ।

ନିର୍ବାଚନର ଢ଼େର ପୂର୍ବରୁ, ଏମିତି କି ନିର୍ବାଚନର ତାରିଖ ଘୋଷଣା ହେବା ଆଗରୁ ୨୦୧୯ ଲଢ଼େଇ ପାଇଁ ପ୍ରସ୍ତୁତ ନିରଞ୍ଜନଙ୍କ ଟିମ୍ ଓଡ଼ିଶା । କିଏ କେଉଁ ନିର୍ବାଚନ ମଣ୍ଡଳୀରୁ ଲଢ଼ିବେ ? କେଉଁ ଆସନ ପାଇଁ କିଏ ଫିଟ୍ ? ଏକ ପ୍ରକାର ଚୂଡାନ୍ତ ହୋଇଛି କଂଗ୍ରେସର ପ୍ରାର୍ଥୀ ତାଲିକା । ରାଜ୍ୟରେ କ୍ଷମତାରେ ଥିବା ବିଜେଡି ଏବଂ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପିଠାରୁ ଗୋଟିଏ ପାଦ ଆଗକୁ ବଢ଼ିଛି କଂଗ୍ରେସର ନିର୍ବାଚନ ପ୍ରସ୍ତୁତି ।

ଚୂଡ଼ାନ୍ତ ହେଲା ୪୪ ଜଣ ପ୍ରାର୍ଥୀଙ୍କ ନାଁ । ପ୍ରାର୍ଥୀଙ୍କ ନାଁରେ ସ୍କ୍ରିନିଂ କମିଟିର ମୋହର । ସ୍କ୍ରିନିଂ କମିଟି ଅଧ୍ୟକ୍ଷ, ଓଡ଼ିଶା ପ୍ରଭାରୀ ଏବଂ ପିସିସି ସଭାପତି ଏବଂ ପିଇସି ସଦସ୍ୟଙ୍କ ଉପସ୍ଥିତିରେ ୪୪ ଜଣ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରାଯାଇଛି । ଯେଉଁଥିରେ, ଦକ୍ଷିଣ ଓଡ଼ିଶାରୁ ୨୦ ଜଣ । ପଶ୍ଚିମ ଓଡ଼ିଶାରୁ ୧୧ ଜଣ ଏବଂ ଉପକୂଳ ଓଡ଼ିଶାରୁ ୯ ଜଣ ପ୍ରାର୍ଥୀଙ୍କ ନାଁ ଚୁଡ଼ାନ୍ତ ହୋଇଛି । ସେହିପରି ୧୫ ଜଣ ଷ୍ଟାଣ୍ଡିଂ ଏମଏଲଏ ନିର୍ବାଚନୀ ମୈଦାନରେ ପୁଣି ଥରେ ଓହ୍ଲାଇବା ନେଇ ସ୍ପଷ୍ଟ ହୋଇଛି । ୨୦୧୯ ମହାମୁକାବିଲା ପାଇଁ କଂଗ୍ରେସର ଏହି ଟିମରେ ଯୁବ ପୀଢ଼ିଙ୍କୁ ମିଳିଛି ଅଧିକ ଗୁରୁତ୍ୱ ।

କେଉଁ ନେତାଙ୍କ ସଂଗଠନ କେମିତି ? କେଉଁ ନେତାଙ୍କ ବିଜୟ ସଂଭାବନା ଅଧିକ ? ଏହି ଭଳି ସବୁ ଗୁରୁତ୍ୱ ପୂର୍ଣ୍ଣ ଦିଗ ଉପରେ ଦୁଇ ଦିନ ଧରି ଆଲୋଚନା କରାଯାଇଥିଲା । ଆଉ ଏସବୁ ଭିତରେ ବର୍ତମାନ କଂଗ୍ରେସରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ନିଜର ସାଂଗଠନିକ ସ୍ଥିତି ଏବଂ କାହିଁକି ଛିଡ଼ା ହେବେ ସେନେଇ ଅବଗତ କରିବେ । ହେଲେ କେବେ ଏହି ଚୁଡ଼ାନ୍ତ ପ୍ରାର୍ଥୀ ତାଲିକା ବିଧିବଦ୍ଧ ଭାବରେ ଘୋଷଣା ହେବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିିିଳି ନାହିଁ । ଭୁବନେଶ୍ୱରରେ ପ୍ରସ୍ତୁତ ହୋଇଥିବା ଏହି ତାଲିକା ଦିଲ୍ଲୀ ଯିବ । କେନ୍ଦ୍ରୀୟ ନିର୍ବାଚନ କମିଟିର ମୋହର ପରେ ଦଳୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଖକୁ ଯିବ । ଆଉ ରାହୁଲ ଗାନ୍ଧୀଙ୍କ ଅନୁମୋଦନ ପରେ ଘୋଷଣା ହେବ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ।

ଏପଟେ ମୁଖ୍ୟମନ୍ତ୍ରୀଙ୍କ ସହ ନବ ଦାସଙ୍କ ପରିବାର ଲୋକଙ୍କ ଫୋଟୋ ଭାଇରାଲ ହେଉଥିବା ବେଳେ ସ୍କ୍ରିିନିଂ କମିଟି ବୈଠକରେ ଝାରସୁଗଡ଼ା ବିଧାୟକ ତଥା କାର୍ଯ୍ୟକାରୀ ସଭାପତିଙ୍କ ଅନୁପସ୍ଥିତି ଅନେକ ଚର୍ଚ୍ଚା ସୃଷ୍ଟି କରିଥିଲା । ହେଲେ ସେ ବିଜେଡିରେ ଯୋଗ ଦେଉ ନାହାନ୍ତି ବୋଲି ଟ୍ୱିଟ୍ ଜରିଆରେ ଖଣ୍ଡନ କରିଛନ୍ତି ନବ ଦାସ । ଆଉ ଏସବୁ ଭିତରେ ଅପେକ୍ଷା କଂଗ୍ରେସ ପ୍ରାର୍ଥୀ ତାଲିକାର ବିଧିବଦ୍ଧ ଘୋଷଣାକୁ ।

ଗୋଟିଏ ପଟେ ନିର୍ବାଚନ ପାଇଁ କସରତ ଚାଲିଥିବା ବେଳେ ଅନ୍ୟପଟେ ଦଳର ସାଧାରଣ ସଂପାଦକ ପଦରୁ ଇସ୍ତଫା ଦେଇଛନ୍ତି କୋରାପୁଟ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ । ତାଙ୍କ ବିରୋଧରେ ଷଡଯନ୍ତ୍ର ଚାଲିଥିବା ସେ ଅଭିଯୋଗ କରିଛନ୍ତି । ତେବେ ଦଳ ଛାଡ଼ିବା ଭଳି ନିଷ୍ପତି ନେଇ ନଥିବା କହିଛନ୍ତି କୃଷ୍ଣ ସଗରିଆ ।