୨୦୧୯ ପାଇଁ ୪୪ ପ୍ରାର୍ଥୀ ଚୂଡାନ୍ତ କଲା କଂଗ୍ରେସ ! ଜାଣନ୍ତୁ କେଉଁ ପ୍ରାର୍ଥୀ ପିସିସିର ପ୍ରଥମ ପସନ୍ଦ

38

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପୂର୍ବରୁ ଆଟାକିଙ୍ଗ ମୁଡରେ ରାଜ୍ୟ କଂଗ୍ରେସ । ପୂର୍ବ ଘୋଷଣା ଅନୁଯାୟୀ, ଆଜି ୨୦୧୯ ନିର୍ବାଚନ ପାଇଁ ୪୪ ଜଣ ପ୍ରାର୍ଥୀ ଚୂଡାନ୍ତ କରିଛି କଂଗ୍ରେସ । ପିଇସି ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଚୂଡାନ୍ତ ହୋଇଥିବା ୪୪ ଜଣ ପ୍ରାର୍ଥୀଙ୍କ ତାଲିକା ସ୍କ୍ରିନିଂ କମିଟିକୁ ପଠାଯିବ । ସେଠାରେ ଏହି ପ୍ରାର୍ଥୀଙ୍କ ବାବଦରେ ଆଲୋଚନା କରାଯାଇ ଟିକେଟ ପ୍ରଦାନ କରାଯିବ ।

ପିଇସି ବୈଠକରେ ବିଭିନ୍ନ ଜିଲ୍ଲା ତଥା ବ୍ଲକ ସଭାପତି ଓ କର୍ମକର୍ତ୍ତାଙ୍କ ରିପୋର୍ଟ ଆଧାରରେ ୪୪ ପ୍ରାର୍ଥୀଙ୍କ ତାଲିକା ଚୂଡାନ୍ତ କରାଯାଇଛି । ଖାସକରି ଯେଉଁମାନଙ୍କର ଜିତିବା ସମ୍ଭାବନା ଅଧିକ ରହିଛି ସେମାନଙ୍କୁ ଦଳ ଗୁରୁତ୍ୱ ଦେଇଛି । ଏହାଛଡା ଯୁବକ ଓ ନୂଆ ମୁହଁକୁ ପ୍ରଥମେ ଅଗ୍ରାଧିକାର ଦିଆଯାଇଛି ବୋଲି ନିରଞ୍ଜନ କହିଛନ୍ତି ।

ସୂଚନା ଅନୁଯାୟୀ, ପୂରା ଓଡିଶାରୁ ଯେଉଁ ୪୪ଟି ଆସନ ପାଇଁ ପ୍ରାର୍ଥୀ ଚୂଡାନ୍ତ କରାଯାଇଛି ସେଥିରେ ଦକ୍ଷିଣ ଓଡିଶାର ୨୦ ଜଣ, ଉପକୂଳ ଓଡିଶାର ୧୩ ଜଣ ଓ ପଶ୍ଚିମ ଓଡିଶାର ୧୧ ଜଣ ରହିଛନ୍ତି । ଏହି ରିପୋର୍ଟ ସ୍କ୍ରିନିଂ କମିଟିକୁ ଦିଆଯିବ । ସେଠାରେ ଏହା ଉପରେ ଆଲୋଚନା ହେବା ପରେ ଫାଇନାଲ ଟିକେଟ ଘୋଷଣା କରାଯିବ ।

ପୂର୍ବରୁ ଅଗଷ୍ଟ ମାସରେ ୫୦ ଜଣ ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ କହିଥିଲା କଂଗ୍ରେସ । କିନ୍ତୁ ଆଜି ମାତ୍ର ୪୪ ଜଣ ପ୍ରାର୍ଥୀଙ୍କ ଚୂଡାନ୍ତ ତାଲିକା ସ୍କ୍ରିନିଂ କମିଟିକୁ ପଠାଇଛି । ତେଣୁ ଆଗ ମାସରେ ଆଉ କିଛି ପ୍ରାର୍ଥୀଙ୍କ ତାଲିକା ଚୂଡାନ୍ତ କରାଯିବ ବୋଲି କହିଛନ୍ତି ନିରଞ୍ଜନ । ତେବେ ଚୂଡାନ୍ତ ତାଲିକାରେ କେଉଁ ପ୍ରାର୍ଥୀଙ୍କ ନାଁ ରହିଛି ତାହା ସସପେନ୍ସରେ ରହିଛି । ଆଉ ଏହି ଘୋଷଣା ସହ ନିର୍ବାଚନକୁ ଆଉ ମାତ୍ର ମାସ କେଇଟା ବାକି ଥିବା ବେଳେ କଂଗ୍ରେସ ଶିବିର ଏବେଠୁ ଚଳଚଞ୍ଚଳ ହୋଇ ଉଠିଛି ।