କଂଗ୍ରେସରେ ବଢୁଛି କନ୍ଦଳ ! ସଂଧ୍ୟା ମହାପାତ୍ରଙ୍କ ବୟାନକୁ ନେଇ ସନ୍ଦେହ, ପ୍ରସାଦ ବିରୋଧୀ କହିଲେ, ଏଆଇସିସିରୁ ଆସିନାହିଁ ସେଭଳି କୌଣସି ଚିଠି

33

କନକ ବ୍ୟୁରୋ : ସନ୍ଧ୍ୟାଙ୍କ ବୟାନକୁ ନେଇ ସନ୍ଦେହ । ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷା ସଂନ୍ଧ୍ୟାରାଣୀ ମହାପାତ୍ର, ସଭାପତି ପ୍ରସାଦ ହରିଚନ୍ଦନଙ୍କ ଉପରେ ଦେଇଥିବା ବିବୃତିକୁ ଗ୍ରହଣ କରିପାରୁନାହାନ୍ତି କଂଗ୍ରେସ ନେତା । ୨୦୧୯ ପର୍ଯ୍ୟନ୍ତ ପ୍ରସାଦ ସଭାପତି ରହିବେ ଓ ଏ ନେଇ ଏଆଇସିସିରୁ ନିର୍ଦ୍ଦେଶ ଆସିଥିବା ଶନିବାର ଗଣମାଧ୍ୟମକୁ କହିଥିଲେ ସଂନ୍ଧ୍ୟା । ତେବେ ସଂନ୍ଧ୍ୟାଙ୍କ ଏହି ବୟାନକୁ ନେଇ ନିଜ ଦଳରୁ ଏବେ ଉଠିଛି ବିରୋଧାଭାଷର ସ୍ୱର । ଯାହା କଂଗ୍ରେସର ଗୋଷ୍ଠୀକନ୍ଦଳକୁ ପୁଣି କୁହୁଳିବାକୁ ଇନ୍ଧନ ଯୋଗାଇଛି ।

ଶୃଙ୍ଖଳା କମିଟି ଅଧ୍ୟକ୍ଷା କହୁଛନ୍ତି ୨୦୧୯ ପର୍ଯ୍ୟନ୍ତ ରାଜ୍ୟ କଂଗ୍ରେସର ମଙ୍ଗ ସମ୍ଭାଳିବେ ପ୍ରସାଦ ହରିଚନ୍ଦନ । ଏ ନେଇ କୁଆଡେ ଏଆଇସିସି ପକ୍ଷରୁ ନିର୍ଦ୍ଦେଶନାମା ଆସଛି । କିନ୍ତୁ ସେହି କଂଗ୍ରେସ ଶିବିରରେ ହିଁ ସଂଧ୍ୟାଙ୍କ ବୟାନକୁ ନେଇ ସନ୍ଦେହ ଉଠିଛି । ପ୍ରସାଦ ବିରୋଧୀ ନେତା କହିଛନ୍ତି, ଏଆଇସିସିରୁ ସେଭଳି କୌଣସି ଚିଠି ଆସିନାହିଁ । ଏହି ଘଟଣା ଏବେ ବିଜେପୁର ପରାଜୟ ପରେ ଚୁପ ଥିବା କଂଗ୍ରେସ ଶିବିରରେ ପୁଣି ଅସନ୍ତୋଷ ଭରିଦେଇଛି । ଦୀର୍ଘଦିନରୁ ଥିବା କଂଗ୍ରେସ ଗୋଷ୍ଠୀକନ୍ଦଳର ନିଆଁରେ ଘିଅ ଢାଳିଛି ବୋଲି ଚର୍ଚ୍ଚା ହେଉଛି ।

ରାଜ୍ୟ ନେତାଙ୍କ ଏହି ଛକାପଂଝା ଭିତରେ ଆସନ୍ତା ୧୬ ତାରିଖରୁ ନୂଆଦିଲ୍ଲୀରେ ବସୁଛି ଏଆସିସିର ଅଧିବେଶନ । ଆଗାମୀ ୧୬- ୧୭ରେ ହାଇକମାଣ୍ଡଙ୍କୁ ଦାବି ଜଣାଇବେ ଅସନ୍ତୁଷ୍ଟ ନେତା । ତେଣୁ ହାଇକମାଣ୍ଡ, ରାଜ୍ୟ କଂଗ୍ରେସର ସ୍ଥିତିକୁ ସୁହାଇଲା ଭଳି କିଛି ଦୃଢ ନିଷ୍ପତି ନେବେ ବୋଲି ରାଜନୈତିକ ମହଲରେ ଆଲୋଚନା ଜୋର ଧରିଛି ।