ପରାଜୟ ଅନୁଧ୍ୟାନ ପାଇଁ କଂଗ୍ରେସର ୬ଟି ସବକମିଟି ଗଠନ: ରମେଶ, ସୁର, ସାଲୁଜା ସବକମିଟି ଆବାହକ, ୩୦ ପୂର୍ବରୁ ରିପୋର୍ଟ ପ୍ରଦାନ କରିବ କମିଟି

185

କନକ ବ୍ୟୁରୋ: ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ନେଇ ପ୍ରଦେଶ କଂଗ୍ରେସ କମିଟିର ତଥ୍ୟ ଅନୁସନ୍ଧାନ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ୩ ଜଣିଆ ସଦସ୍ୟ ବିଶିଷ୍ଟ ୬ଟି ସବ କମିଟି ଗଠନ କରିଛନ୍ତି। ପ୍ରତ୍ୟେକ ସବକମିଟିରେ ଜଣେ ଲେଖାଏଁ ଆବାହକ ରହିଥିବାବେଳେ ଦୁଇଜଣ ସଦସ୍ୟ ଅଛନ୍ତି।

ସବକମିଟି-୧ରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଆବାହକ ରହିଥିବାବେଳେ ପିସିସି ଉପସଭାପତି ଯଜ୍ଞେଶ୍ବର ବାବୁ ଓ ଉସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସଦସ୍ୟ ଅଛନ୍ତି। ଏହି ସବ କମିଟି ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲ୍ଲା ଗସ୍ତକରି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ଲୋକସଭା ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତୃମଣ୍ଡଳୀ, କର୍ମୀ, ଛାମୁଆ ସଂଗଠନର କର୍ମକର୍ତ୍ତା, ବିଭାଗ ଓ ପ୍ରକୋଷ୍ଠର କର୍ମକର୍ତ୍ତା, ବିଭିନ୍ନ ବର୍ଗର ଜନସାଧାରଣଙ୍କ ସହ ଆଲୋଚନା କରି ପରାଜୟର କାରଣ ସଂଗ୍ରହ କରି ଅଧ୍ୟକ୍ଷ ଶ୍ରୀ ମିଶ୍ରଙ୍କୁ ଚଳିତ ମାସ ୩୦ ତାରିଖ ପୂର୍ବରୁ ରିପୋର୍ଟ ପ୍ରଦାନ କରିବ। ସେହିପରି ସବକମିଟି-୨ରେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ଆବାହକ ଦାୟିତ୍ବ ତୁଲାଇବା ସହ ବରିଷ୍ଠ କଂଗ୍ରେସ ନେତା ଗଣେଶ୍ବର ବେହେରା ଓ ରାଜ୍ୟ ମହିଳା କଂଗ୍ରେସର କାର୍ଯ୍ୟକାରୀ ସଭାନେତ୍ରୀ ବନ୍ଦିତା ପରିଡ଼ାଙ୍କୁ ସଦସ୍ୟ ଦାୟିତ୍ବ ପ୍ରଦାନ କରାଯାଇଛି। ଏହି ସବକମିଟି ଗଞ୍ଜାମ, ପୁରୀ, କନ୍ଧମାଳ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ଗସ୍ତ କରି ତଥ୍ୟ ସଂଗ୍ରହ କରିବ।

ସବକମିଟି-୩ରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଆବାହକ ଥିବାବେଳେ ପୂର୍ବତନ ବିଧାୟକ ଭୁଜବଳ ମାଝୀ ଓ ପିସିସି ଉପସଭାପତି ଶିବାନନ୍ଦ ରାୟ ସଦସ୍ୟ ଅଛନ୍ତି। ତିନି ନମ୍ବର ସବକମିଟି କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୋନପୁର ଓ ବୌଦ୍ଧ ଜିଲ୍ଲା ଗସ୍ତ କରି ପରାଜୟର କାରଣ ଖୋଜିବ। ସବକମିଟି-୪ରେ ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କୁ ଆବାହକ ନିଯୁକ୍ତ କରାଯାଇଛି। ଏହାସହିତ ଏହି କମିଟିରେ ସଦସ୍ୟ ଦାୟିତ୍ବ ତୁଲାଇବେ କଂଗ୍ରେସ ନେତା ସତ୍ୟଶିବ ଦାସ ଓ ପିସିସି ସାଧାରଣ ସମ୍ପାଦକ ଜ୍ଞାନଦେବ ବେହୁରା। କମିଟି ଖୁବଶୀଘ୍ର ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ ଓ ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରିବ।

ସବକମିଟି-୫ରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କୁ ଆବାହକ ଦାୟିତ୍ବ ପ୍ରଦାନ କରାଯାଇଛି। ଏହି ସବକମିଟିର ସଦସ୍ୟ ଭାବେ ବରିଷ୍ଠ କଂଗ୍ରେସ ନେତା ବଟକୃଷ୍ଣ ତ୍ରିପାଠୀ ଓ ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ନଳିନୀକାନ୍ତ ମହାନ୍ତି ସଦସ୍ୟ ଭାବେ କାର୍ଯ୍ୟ କରିବେ। କଂଗ୍ରେସର ପରାଜୟ କାରଣ ଜାଣିବାକୁ ଏହି ସବକମିଟି ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲା ଗସ୍ତ କରିବ। ସେହିପରି ସବକମିଟି-୬ରେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଆବାହକ ଥିବାବେଳେ ପିସିସି ଉପସଭାପତି ସସ୍ମିତା ବେହେରା ଓ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ସଦସ୍ୟ ଅଛନ୍ତି। ଏହି ସବକମିଟି ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ କରି ଦଳର ପରାଜୟର ବିଭିନ୍ନ କାରଣ ଅନୁସନ୍ଧାନ କରି ଚଳିତମାସ ୩୦ ତାରିଖ ମଧ୍ୟରେ ରିପୋର୍ଟ ପ୍ରଦାନ କରିବ ବୋଲି ପିସିସି ମୁଖପାତ୍ର ପଦ୍ମାକର ଗୁରୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି।