ସାରା ଦେଶରେ ଓଡିଶା ଉପକୂଳ ଅତି ବାତ୍ୟା ପ୍ରବଣ ସ୍ଥାନ ! ୧୮୯୧ ରୁ ୨୦୦୦ ମସିହା ମଧ୍ୟରେ ୯୧ ବାତ୍ୟା ଓଡିଶାରେ ହୋଇଛି ମାଡ
କନକ ବ୍ୟୁରୋ : ଦେଶର ପୂର୍ବ ଉପକୂଳ ବିଶ୍ବର ଅନ୍ୟତମ ବାତ୍ୟାପ୍ରବଣ ଅଞ୍ଚଳ ହୋଇଥିବା ବେଳେ ଓଡ଼ିଶା ଏଥି ମଧ୍ୟରେ ଅତ୍ୟନ୍ତ ବିପଦସଙ୍କୁଳ। ପୂର୍ବ ଭାରତର ରାଜ୍ୟ ଗୁଡ଼ିକ ମଧ୍ୟରେ ଓଡ଼ିଶା ‘ଦୁର୍ବିପାକ ଅଞ୍ଚଳ’ ଭାବେ ଗଣାଯାଉଛି। ଗତ ଏକ ଦଶନ୍ଧି ମଧ୍ୟରେ ଓଡ଼ିଶା ଉପକୂଳରେ ପ୍ରତିବର୍ଷ ବାତ୍ୟା, ବନ୍ୟା, ଘୂର୍ଣ୍ଣିଝଡ଼ ଓ ମରୁଡ଼ି ଭଳି ସ୍ଥିତି ଉପୁଜୁଛି। ୧୮୯୧ରୁ ୨୦୦୦ ମସିହା ମଧ୍ୟରେ ଓଡ଼ିଶା ଉପକୂଳ ଦେଇ ପ୍ରାୟ ୯୮ଟି ବାତ୍ୟା ଓ ମହାବାତ୍ୟା ଅତିକ୍ରମ କରିଛି ଯାହାକି ଦେଶର ପୂର୍ବ ଉପକୂଳରେ ସର୍ବାଧିକ। ବାତ୍ୟା ସଂକ୍ରାନ୍ତରେ ପ୍ରସ୍ତୁତ ସର୍ବଶେଷ ରିପୋର୍ଟରୁ ଜଣାପଡ଼ିଛି ଯେ ପୂର୍ବ ଉପକୂଳରେ ଓଡ଼ିଶାର ଇଲାକା ୧୭ ପ୍ରତିଶତ ଥିବାବେଳେ ୩୫ ପ୍ରତିଶତ ବାତ୍ୟା ଓ ମହାବାତ୍ୟା କିନ୍ତୁ ଏହି ରାଜ୍ୟ ଦେଇ ଅତିକ୍ରମ କରୁଛି। ଏଥିଯୋଗୁ ଓଡ଼ିଶା ଉପକୂଳରେ ବ୍ୟାପକ କ୍ଷୟକ୍ଷତି ଘଟିବାରେ ଲାଗିଛି।
Kanak News is now on WhatsApp
Join and get latest news updates delivered to you via WhatsApp
ଏହି ରିପୋର୍ଟ ଅନୁଯାୟୀ ଓଡ଼ିଶା ୯୮ଟି ବାତ୍ୟାର ସମ୍ମୁଖୀନ ହୋଇଥିବା ବେଳେ ପଶ୍ଚିମବଙ୍ଗ ୬୯ ଓ ଆନ୍ଧ୍ରପ୍ରଦେଶ ୭୯ଟି ବାତ୍ୟାର ସମ୍ମୁଖୀନ ହୋଇଛନ୍ତି। ୧୭୩୭ ମସିହାରେ ଅକ୍ଟୋବର ୭ରୁ ୧୨ତାରିଖ ମଧ୍ୟରେ ଓଡ଼ିଶା ଉପକୂଳରେ ପ୍ରଥମ ମହାବାତ୍ୟା ଅତିକ୍ରମ କରିଥିବାର ରେକର୍ଡ ଥିବାବେଳେ, ଏହାପରେ ୧୮୮୫ ମସିହା ୨୨ ସେପ୍ଟେମ୍ବରରେ ପରବର୍ତୀ ମହାବାତ୍ୟାର ଓଡ଼ିଶା ସମ୍ମୁଖୀନ ହୋଇଥିଲା। ସେତେବେଳେ ଏହି ବାତ୍ୟାରେ ପ୍ରାୟ ପାଞ୍ଚ ହଜାର ଲୋକଙ୍କର ଜୀବନହାନି ଘଟିଥିଲା। ପରବର୍ତୀ ମହାବାତ୍ୟା ଆସିଥିଲା ୧୯୭୭ ମସିହା ନଭେମ୍ବର ୧୪ରୁ ୨୦ତାରିଖ ମଧ୍ୟରେ। ସେତେବେଳେ ଏହା ଆନ୍ଧ୍ରପ୍ରଦେଶର ନିଜାମପଟ୍ଟନମ୍ ଦେଇ ଅତିକ୍ରମ କରିଥିଲା। ଏହାପରେ ୧୯୯୦ ମସିହା ମଇ ମାସରେ ଆଉ ଏକ ମହାବାତ୍ୟା ଆନ୍ଧ୍ରର ମଛଲିପଟ୍ଟନମ୍ ଦେଇ ଅତିକ୍ରମ କରିଥିଲା।
୧୯୯୯ ମସିହା ଅକ୍ଟୋବର ୨୯ରୁ ୩୧ତାରିଖ ମଧ୍ୟରେ ଓଡ଼ିଶା ମହାବାତ୍ୟାର ସମ୍ମୁଖୀନ ହୋଇଥିଲା। ଏହା ପାରାଦ୍ବୀପ ନିକଟରେ ଅତିକ୍ରମ କରିବା ସହିତ ଉପକୂଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ଏଥିରେ ପ୍ରାୟ ୧୦ହଜାର ଲୋକ ପ୍ରାଣ ହରାଇଥିଲେ। କିନ୍ତୁ ୧୮୩୧ ମସିହା ଅକ୍ଟୋବର ୩୧ତାରିଖରେ ଓଡ଼ିଶା ପ୍ରଥମ ମହାବାତ୍ୟାର ସମ୍ମୁଖୀନ ହୋଇଥିଲା, ଯାହାକି ବାଲେଶ୍ବର ଦେଇ ଅତିକ୍ରମ କରିଥିଲା। ସେତେବେଳେ ଏଥିରେ ପ୍ରାୟ ୫୦ହଜାର ଲୋକ ପ୍ରାଣ ହରାଇଥିଲେ।
୧୮୬୪ ମସିହା ଅକ୍ଟୋବର ମାସରେ ପଶ୍ଚିମବଙ୍ଗର କୋଣ୍ଟା ଅତିକ୍ରମ କରିଥିବା ବେଳେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିଥିଲା। ସେହିଭଳି ୧୮୬୪ ନଭେମ୍ବର ମାସରେ ଆନ୍ଧ୍ରର ମଛଲିପଟ୍ଟନମ୍ ଦେଇ ମହାବାତ୍ୟା ଅତିକ୍ରମ କରିଥିବା ବେଳେ ଓଡ଼ିଶା ଉପକୂଳ ବି କ୍ଷତିଗ୍ରସ୍ତ ହୋଇଥିଲା। ୧୯୪୨ ମସିହା ଅକ୍ଟୋବର ମାସରେ ପଶ୍ଚିମବଙ୍ଗ ଦେଇ ଅତିକ୍ରମ କରିଥିବା ଆଉ ଏକ ମହାବାତ୍ୟା ମଧ୍ୟ ଓଡ଼ିଶାର କ୍ଷୟକ୍ଷତି ଘଟାଇଥିଲା। ୧୯୬୭ ମସିହା ଅକ୍ଟୋବର ୬ରୁ ୧୧ତାରିଖ ମଧ୍ୟରେ ସୃଷ୍ଟ ମହାବାତ୍ୟା ପୁରୀ ଓ ପାରାଦ୍ବୀପ ଦେଇ ଅତିକ୍ରମ କରିଥିବା ବେଳେ ୨୦୧୩ ମସିହା ଅକ୍ଟୋବରରେ ଆସିଥିବା ଫାଇଲିନ୍ ଗୋପାଳପୁର ଦେଇ ଅତିକ୍ରମ କରିଥିଲା।
୨୦୧୪ ଅକ୍ଟୋବରରେ ଆସିଥିବା ହୁଡ଼୍ହୁଡ଼୍ ଆନ୍ଧ୍ରର ବିଶାଖାପାଟଣା ଦେଇ ଅତିକ୍ରମ କରିଥିବା ବେଳେ ଦକ୍ଷିଣ ଓଡ଼ିଶାରେ ବହୁ କ୍ଷୟକ୍ଷତି ଘଟାଇଥିଲା। ଚଳିତମାସରେ ଆସିଥିବା ତିତଲି ଗଞ୍ଜାମ, ଗଜପତି, ରାୟଗଡ଼ା ଓ କନ୍ଧମାଳରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ ପରବର୍ତୀ ବନ୍ୟାରେ ନାହିଁନଥିବା ପରିସ୍ଥିତି ସୃଷ୍ଟି ହୋଇଛି। କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ଅଧୀନରେ ଥିବା ବିଏମଟିପିସି ଓଡ଼ିଶାର ବାତ୍ୟାପ୍ରବଣ ଜିଲ୍ଲା ଚିହ୍ନଟ କରିଛି। ଓଡ଼ିଶାର ବାତ୍ୟା ଜୋନ୍ ମ୍ୟାପ୍ ଅନୁଯାୟୀ, ମୋଟ ୩୦ ଜିଲ୍ଲା ମଧ୍ୟରୁ ୧୪ଟି ଜିଲ୍ଲାକୁ ଆଂଶିକ ବା ସଂପୂର୍ଣ୍ଣ ଭାବେ ଅତି ବାତ୍ୟାପ୍ରବଣ ଜୋନ୍ ଭାବେ ଚିହ୍ନଟ କରାଯାଇଛି।