ରାଜନୀତିରେ ‘୨୦୦’ବର୍ଷ ! ବିଜେପି କହିଲା ବାଦ କରୁଛନ୍ତି ନବୀନ, କଂଗ୍ରେସ୍ କହିଲା ସର୍ବଦଳୀୟ ବୈଠକ କର

43

କନକ ବ୍ୟୁରୋ : ୨୦୦ ବର୍ଷର ତଳର ଓଡ଼ିଶାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ରୂପେ ଘୋଷଣା କରିବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କୁ ପତ୍ର ଲେଖିଛନ୍ତି । ଗତକାଲି ଏ ନେଇ ରାଜ୍ୟ କ୍ୟାବିନେଟ୍ ପ୍ରସ୍ତାବ ଗ୍ରହଣ କରିବା ପରେ ପାଇକ ବିଦ୍ରୋହର ଇତିହାସକୁ ରାଜନୀତି ଆରମ୍ଭ ହୋଇଛି ।

କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ଲେଖିଥିବା ପତ୍ରରେ ନବୀନ ଦର୍ଶାଇଛନ୍ତି- ୧୮୫୭ର ସିପାହୀ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ରୂପେ ଘୋଷଣା କରାଯାଉଥିଲେ ସୁଦ୍ଧା ୧୮୧୭ରେ ଓଡ଼ିଶାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୋଧରେ ସଶସ୍ତ୍ର ପାଇକ ବିଦ୍ରୋହ ହୋଇଥିଲା ।

ମଙ୍ଗଳବାର କ୍ୟାବିନେଟରେ ପାଇକ ବିଦ୍ରୋହକୁ କାହିଁକି ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରମାର ମାନ୍ୟତା ମିଳିବା ଉଚିତ ସେ ସଂପର୍କରେ ୯ଟି ଯୁକ୍ତି ଦର୍ଶାଯାଇଥିଲା । ଏଥିରେ ପ୍ରଖ୍ୟାତ ଓଡ଼ିଆ ଐତିହାସିକ ସ୍ୱର୍ଗତ ବି.ସି. ରାୟଙ୍କୁୂ ଉଦ୍ଧାର କରି କୁହାଯାଇଥିଲା- ଦେଶର ଅନ୍ୟ ପ୍ରାନ୍ତରରେ ପାଇକ ବିଦ୍ରୋହ ପୂର୍ବରୁ ଛୋଟ ଛୋଟ ଆନ୍ଦୋଳନ ହୋଇଥିଲେ ସୁଦ୍ଧା ପାଇକ ବିଦ୍ରୋହ ଅତ୍ୟନ୍ତ ସୁସଂଠିତ ଥିଲା ଓ ଏଥିରେ ସମାଜର ବହୁ ବର୍ଗର ଲୋକ ସାମିଲ ହୋଇଥିଲେ ।

ବିଦ୍ରୋହରେ ପାଇକ, ଜମିଦାର, ଲୁଣମରାଳି, କୃଷକ, ଆଦିବାସୀ ଭଳି ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ । ସେହିଭଳି ତକ୍ରାଳୀନ ବ୍ରିିଟିଶ କମିଶନର ଜି. ଟୋଏନବିଙ୍କ ଲେଖାକୁ ଉଦ୍ଧାର କରିଥିଲା କ୍ୟାବିନେଟ୍ । ଟୋଏନବିଙ୍କ ଭାଷାରେ ପାଇକ ବିଦ୍ରୋହ ଯୋଗୁଁ ଖୁବ୍ ଶୀଘ୍ର ବ୍ରିଟିଶ ଶାସନ ଲୋପ ହେବ ବୋଲି ଅନେକ ଜମିଦାର ଭାବୁଥିଲେ ।

ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତି ଅବସରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଆୟୋଜିତ ହେଉଥିବା ଉତ୍ସବ ପରିପ୍ରେକ୍ଷୀରେ ପାଇକ ବିଦ୍ରୋହର ଇତିହାସକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଏହି ଉତ୍ସବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିବେ ।

୧୮୧୭ର ବିଦ୍ରୋହ ଗଂଜାମ ଘୁମୁସରର କନ୍ଧମେଳିରୁ ଆରମ୍ଭ ହୋଇ ବାଣପୁର, ଖୋର୍ଦ୍ଧା, ପିପିଲି, ପୁରୀ, କୁଜଙ୍ଗ, ପଟ୍ଟାମୁଣ୍ଡାଇ ଓ କେନ୍ଦୁଝର ପର୍ଯ୍ୟନ୍ତ ବ୍ୟାପିଥିଲା । ଏଥିରେ ରାଜନୀତି ନାହିଁ । କେନ୍ଦ୍ର ସରକାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଘୋଷଣା କରିବା ଉଚିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।