ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ: କେନ୍ଦ୍ର କୋଇଲା ମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ଏମସିଏଲଠାରୁ ୮୨୯୭ କୋଟି କ୍ଷତିପୂରଣ ରାଶି ମାଗିଲେ

ସ୍ବଚ୍ଛ ଇନ୍ଧନ ସେସ୍ର ୬୦% ରାଜ୍ୟକୁ ଦିଅ, କୋଇଲା ରୟାଲଟି ତୁରନ୍ତ ୨୦%କୁ ବଢ଼ାଅ, ଭୂତଳ ଖଣିରେ ବାଲି ଭର୍ତ୍ତି କରିବାକୁ ବି ଦାବି

110

କନକ ବ୍ୟୁରୋ: ନିର୍ବାଚନ ଘୋଷଣା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି। ରାଜ୍ୟ ସ୍ବାର୍ଥ ପ୍ରସଙ୍ଗ ଉଠାଇ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କୁ ଅତ୍ୟନ୍ତ କଡ଼ା ଚିଠି ଲେଖିଛନ୍ତି। କୋଇଲା ରୟାଲଟି ସଂଶୋଧନ ନେଇ ମୁଖ୍ୟମନ୍ତ୍ରୀ ଗତକାଲି କେନ୍ଦ୍ର କୋଇଲା ଓ ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଲେଖିଥିବା ଏହି ଚିଠିରେ ଦର୍ଶାଇଛନ୍ତି, କେନ୍ଦ୍ର ସରକାର କୋଇଲା ରୟାଲଟି ସଂଶୋଧନ ନେଇ ଅନୁଧ୍ୟାନ ଗୋଷ୍ଠୀ ଗଠନ କରିଥିଲେ। ସେହି ଗୋଷ୍ଠୀ ତାହାର ରିପୋର୍ଟ କେନ୍ଦ୍ର ସରକାରଙ୍କୁ ୨୦୧୮ ଫେବ୍ରୁଆରି ୫ ତାରିଖରୁ ଦାଖଲ କରିସାରିଛି। ଏହି ରିପୋର୍ଟ ଦାଖଲ ହେବାର ୧ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ କୋଇଲା ରୟାଲଟି ସଂଶୋଧନ ନେଇ କେନ୍ଦ୍ର ସରକାର ଏ ପର‌୍ୟ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହାନ୍ତି। କୋଇଲା ମନ୍ତ୍ରାଳୟର ଗତ ମାସ ୨୫ ତାରିଖର ବିଭାଗୀୟ ଚିଠି ନମ୍ବର ୪୮୦୪୦/୧/୨୦୧୯-ପିସିଏରୁ ଏହି ବିଷୟ ଜଣାପଡ଼ିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି।

କୋଇଲା ରୟାଲଟି ସମ୍ପର୍କରେ ନିଷ୍ପତ୍ତି ନେବାରେ ବିଳମ୍ବ କରୁଥିବାରୁ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିଛନ୍ତି। ଏହା ଉପରେ ତୁରନ୍ତ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏଥିସହିତ କୋଇଲା ରୟାଲଟି ହାର ବର୍ତ୍ତମାନର ୧୪ ପ୍ରତିଶତରୁ ୨୦ ପ୍ରତିଶତକୁ ବୃଦ୍ଧି କରିବା ଲାଗି ଦୀର୍ଘଦିନର ଦାବିକୁ ପୂରଣ କରିବା ଲାଗି ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଗୋୟଲଙ୍କୁ ଅନୁରୋଧ କରିଛନ୍ତି। ଦେଶରେ ଉତ୍ତୋଳନ ହେଉଥିବା ମୋଟ କୋଇଲାରେ ଓଡ଼ିଶାର ଯୋଗଦାନ ଏକ ପଞ୍ଚମାଂଶ ରହିଛି। ରାଜ୍ୟରୁ ବିପୁଳ ପରିମାଣର କୋଇଲା ଉତ୍ତୋଳନ ହେଉଥିବାରୁ ଏହାର ପ୍ରତିକୂଳ ପ୍ରଭାବ ଓଡ଼ିଶାବାସୀଙ୍କୁ ଭୋଗିବାକୁ ପଡ଼ିଥାଏ। ପରିବେଶ ପ୍ରଦୂଷଣଠାରୁ ଆରମ୍ଭ କରି ଜଳ ସମ୍ପଦ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥାଏ। ଏତଦବ୍ୟତୀତ ଅନେକ ଲୋକ ବିସ୍ଥାପିତ ହୋଇଥାନ୍ତି। କିନ୍ତୁ କୋଇଲାରୁ ମିଳୁଥିବା ଲାଭର ସିଂହଭାଗ କେନ୍ଦ୍ର ସରକାର ନେଇଯାଉଛନ୍ତି।

ସେ କହିଛନ୍ତି, ଯଦିଓ ଖଣି ଓ ଖଣିଜ ବିକାଶ ଓ ନିୟାମକ (ଏମଏମଡିଆର) ଆଇନରେ ପ୍ରତି ୩ ବର୍ଷରେ କୋଇଲା ରୟାଲଟି ସଂଶୋଧନର ବ୍ୟବସ୍ଥା ରହିଛି, କିନ୍ତୁ ଗତ ୬ ବର୍ଷ ହେଲା ଏହା ସଂଶୋଧନ ହୋଇନାହିଁ। ଏତଦବ୍ୟତୀତ କେନ୍ଦ୍ର ସରକାରଙ୍କ ଦ୍ବାରା କୋଇଲା ଉପରୁ ଆଦାୟ କରାଯାଉଥିବା ସ୍ବଚ୍ଛ ଇନ୍ଧନ ସେସକୁ ଉପରୋକ୍ତ ସମୟ ମଧ୍ୟରେ ଟନ୍ ପିଛା ୫୦ ଟଙ୍କାରୁ ୪୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ୨୦୧୦-୧୧ ମସିହାରେ ସ୍ବଚ୍ଛ ଇନ୍ଧନ ସେସ୍ ଲାଗୁ ହେବା ଦିନଠାରୁ ୨୦୧୮ ମାର୍ଚ୍ଚ ପର‌୍ୟ୍ୟନ୍ତ କେନ୍ଦ୍ର ସରକାର ଏ ବାବଦରେ ପ୍ରାୟ ୧୭,୩୦୦ କୋଟି ଟଙ୍କା ଆଦାୟ କରିଛନ୍ତି। କିନ୍ତୁ ଏହି ସମୟ ମଧ୍ୟରେ ରାଜ୍ୟକୁ ରୟାଲଟି ଆକାରରେ ମିଳିଛି ମାତ୍ର ୧୧ ହଜାର କୋଟି। କୋଇଲା ଖଣି ଖନନର ପ୍ରତିକୂଳ ପ୍ରଭାବର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଏହି ପାଣ୍ଠିରୁ ଅତିକମରେ ୬୦ ପ୍ରତିଶତ ଅର୍ଥ ଦାବି କରୁଛି। କେନ୍ଦ୍ର ସରକାର ଏହାକୁ ତୁରନ୍ତ ବିଚାର କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏତଦବ୍ୟତୀତ କୋଲ୍ ଇଣ୍ଡିଆ ଲିମିଟେଡର ସହାୟକ କମ୍ପାନି ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ (ଏମସିଏଲ୍)ର ମନମୁଖୀ କାର‌୍ୟ୍ୟ ସମ୍ପର୍କରେ ମଧ୍ୟ ନବୀନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ କୋଇଲା ଖନନ କରୁଥିବା ଏମସିଏଲର ଟିକସ ପୂର୍ବବର୍ତ୍ତୀ ଲାଭ ୨୦୧୪-୧୫ରେ ୫୩୧୪.୨୪ କୋଟି ଟଙ୍କା ଥିବାବେଳେ ୨୦୧୭-୧୮ରେ ଏହା ୭୩୩୯.୬୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏମସିଏଲର ଲାଭରେ ଉଲ୍ଲେଖନୀୟ ଭାବେ ୩୮ ପ୍ରତିଶତ ବୃଦ୍ଧି ଘଟିଛି। ଏତଦବ୍ୟତୀତ ଏମସିଏଲ୍ କେନ୍ଦ୍ର ସରକାରଙ୍କୁ ୨୦୧୪-୧୫ରେ ପ୍ରାୟ ୨୦୨୧ କୋଟି ଟଙ୍କା ପ୍ରଦାନ କରିଥିବାବେଳେ ୨୦୧୭-୧୮ରେ ଏହା ୬୧୬୩ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଏମସିଏଲ୍ ରାଜ୍ୟରେ ମିଳିଥିବା ପରିବେଶ ଅନୁମତିଠାରୁ ଅଧିକ ପ୍ରାୟ ୧୮୦ ନିୟୁତ ଟନ୍ କୋଇଲା ଉତ୍ତୋଳନ କରିଛି। କିନ୍ତୁ ଏ ବାବଦ ୮୨୯୭.୭୭ କୋଟି ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରିନାହିଁ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଉକ୍ତ ରାଶି ତୁରନ୍ତ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବା ଲାଗି ଏମସିଏଲକୁ ନିର୍ଦ୍ଦେଶ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

ଏତଦବ୍ୟତୀତ ସିବିଏ ଆଇନ ଅଧୀନରେ ଏମସିଏଲ ରାଜ୍ୟରେ ପ୍ରାୟ ୧୦ ହଜାର ହେକ୍ଟର ଜମିକୁ ୨୦୧୭ ମାର୍ଚ୍ଚ ୩୧ ସୁଦ୍ଧା ଉପଯୋଗ କରିଛି। କମ୍ପାନି ଏହାର ଦୁଇଟି ଭୂତଳ ଖଣିକୁ ଯଥାକ୍ରମେ ୧୯୯୮ ମସିହା ଓ ୨୦୦୬ ମସିହାରୁ ବନ୍ଦ କରିଦେଇଛି। କିନ୍ତୁ ଏହି ଭୂତଳ ଖଣିରେ ଆବଶ୍ୟକ ବାଲି ଭର୍ତ୍ତି କରିନାହିଁ। ଏହି ଖଣିରେ ୯.୧୫ ଲକ୍ଷ ଘନ ମିଟରର ବାଲି ଭର୍ତ୍ତି କରିବାର ଆବଶ୍ୟକ ରହିଥିବାବେଳେ କମ୍ପାନି ୫.୩୮ ଲକ୍ଷ ଘନମିଟରର ବାଲି ଭର୍ତ୍ତି କରିଛି। ଆବଶ୍ୟକ ମାତ୍ରାରେ ବାଲି ଭୂତଳ କୋଇଲା ଖଣିରେ ଭର୍ତ୍ତି ହୋଇ ନଥିବାରୁ ଏଠାରେ ମାଟି ଦବିବା ଆଶଙ୍କା ରହିଛି। ତେଣୁ ଏମସିଏଲକୁ ଉକ୍ତ ଖଣିରେ ବାଲି ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦେବାକୁ ମୁଖମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଅନୁରୋଧ କରିଛନ୍ତି।