ବଲାଙ୍ଗୀରରେ ରାତିରେ ରୋଡ ସୋ କଲେ ମୁଖ୍ୟମନ୍ତ୍ରୀ: ବରଗଡରେ କଲେ ରାତ୍ରିଯାପନ, ଆଜି ନିଜ ନିର୍ବାଚନମଣ୍ଡଳୀ ବିଜେପୁରରେ ପ୍ରଚାର କରିବେ ନବୀନ

ପଶ୍ଚିମ ଓଡିଶାରେ ମାରାଥନ ପ୍ରଚାର

115

କନକ ବ୍ୟୁରୋ: ବିଜେଡି ଫୋକସରେ ପଶ୍ଚିମ ଓଡିଶା । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପଶ୍ଚିମ ଓଡିଶାରେ ମାରାଥନ ପ୍ରଚାର କରୁଛନ୍ତି ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ଗତକାଲି ବଲାଙ୍ଗୀରର ବିଭିନ୍ନ ସ୍ଥାନରେ ରାତିରେ ରୋଡ ସୋ କରି ପ୍ରଚାର କରିଛନ୍ତି ନବୀନ । ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ସହରରେ ସନ୍ଧ୍ୟା ୭ଟାରେ ପହଁଚିଥିଲେ । ସେଠାରେ ବିଜେଡିର ନେତା ଓ କର୍ମୀମାନେ ନବୀନଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ବଲାଙ୍ଗୀର ଆରଟିଓ ଛକଠାରୁ ନବୀନଙ୍କ ରୋଡସୋ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲେ ।

ଏହି ସମୟରେ ନବୀନ ବସ୍ ଉପରୁ ହାତ ହଲାଇ ସମସ୍ତଙ୍କୁ ଆପଣମାନେ ଖୁସି ତ ବୋଲି ପ୍ରଶ୍ନ କରିବା ସହ ନିଜେ ମଧ୍ୟ ଖୁସିଥିବା କହିଥିଲେ । ଶଂଖ ଚିହ୍ନରେ ଭୋଟ ଦେବାକୁ ସମସ୍ତଙ୍କୁ ନିବେଦନ କରିଥିଲେ । ସହରର ସବୁ ଛକରେ ନବୀନଙ୍କ ଲୋକେ ବିପୁଳ ସ୍ୱାଗତ ଜଣାଇଥିଲେ ଏବଂ ନବୀନ ଜନସାଧାରଣଙ୍କୁ ଦୁଇ ପଦ ଲେଖାଏଁ ଉଦବୋଧନ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ଲାଗି ବଲାଙ୍ଗୀର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରୁ ଲୋକଙ୍କ ସୁଅ ଛୁଟିଥିଲା ।

ସେଠାରୁ ବଙ୍ଗୋମୁଣ୍ଡା ଦେଇ ଟିଟିଲାଗଡ,ବେଲଗାଁ ସଇଁତଳା ତୁଷୁରା ଛକ,ଦେଓଗାଁ ଦେଇ ଟିଟଲାଗଡରେ ନବୀନ ରାତିରେ ପ୍ରଚାର କରିଥିଲେ । ତାପରେ ବରଗଡ ପିଡବ୍ଲ୍ୟୁଡି ଆଇବିରେ ରାତ୍ରିଯାପନ କରିଥିଲେ । ଆଜି ବରଗଡ ବିଜେପୁର ସମେତ ଅନ୍ୟ ନିର୍ବାଚନ ମଣ୍ଡଳୀରେ ନବୀନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।