ରାଜନୀତିର ପଶାପାଲିରେ ନୀତି ଆୟୋଗ : ଅସନ୍ତୋଷର ଛାୟା ଭିତରେ ସାମିଲ ହେଲେ ୪ ଅଣ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ନବୀନ ଯୋଗ ନଦେବା ନେଇ ଓଡ଼ିଶାରେ ତେଜିଲା ରାଜନୀତି

28

କନକ ବ୍ୟୁରୋ : ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ନଦେବାନେଇ ଜୋର୍ ଧରିଛି ରାଜନୀତି । କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ କହିଛନ୍ତି, ଏହାଦ୍ୱାର ସାମ୍ବିଧାନିକ ବ୍ୟବସ୍ଥାକୁ ଉଲ୍ଲଂଘନ କରୁଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ବିଜେଡି କହିଛି, ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଥିବାରୁ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଯୋଗ ଦେଇନାହାଁନ୍ତି । ସେପଟେ ନୀତି ଆୟୋଗ ବୈଠକରେ ଅଣ ବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଅସନ୍ତୋଷ ପୁରା ବୈଠକରେ ଛାଇଯାଇଛି ।

ସଂଘୀୟ ବ୍ୟବସ୍ଥା ଭିତରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହଭାଗିତା ଏବଂ ଟିମ୍ ଇଣ୍ଡିଆ ଗଠନ ଲକ୍ଷ୍ୟରେ ଆରମ୍ଭ ହୋଇଥିବା ନୀତି ଆୟୋଗ, ପ୍ରଥମରୁ ଚତୁର୍ଥ ବୈଠକରେ ପହଂଚିଲା ବେଳକୁ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଅସନ୍ତୋଷ ସ୍ପଷ୍ଟବାରି ହୋଇପଡୁଛି । ଅଣ ବିଜେପି ଶାସିତ ମୁଖ୍ୟମନ୍ତ୍ରୀଙ୍କ ଅସନ୍ତୋଷ ଭିତରେ ଦିଲ୍ଲୀରେ ନୀତି ଆୟୋଗ ପରିଚାଳନା ପରିଷଦର ଚତୁର୍ଥ ବୈଠକ ଅନୁଷ୍ଠିତ ହୋଇଛି । ଯେଉଁଥିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ, କେରଳ ମୁଖ୍ୟମନ୍ତ୍ରୀ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ କେନ୍ଦ୍ର ସରକାରଙ୍କ ପାଇଁ ଏକ ଅଦୃଶ୍ୟ ଚାପ ସୃଷ୍ଟି କରିଛି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଧାରଣା ଏବଂ କେଜ୍ରିୱାଲଙ୍କୁ ୪ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ସମର୍ଥନ, ମୋଦି ସରକାରଙ୍କ ଆଗରେ ବଡ ଚ୍ୟାଲେଂଜ୍ ହୋଇ ସାମ୍ନାକୁ ଆସିଛି । ଯାହାର ପ୍ରଭାବ ନୀତି ଆୟୋଗ ବୈଠକରେ ମଧ୍ୟ ଅନୁଭୂତ ହୋଇଛି । ୪ଟି ଅଣ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଏହି ନୀତି ଆୟୋଗ ବୈଠକ ଅବସରରେ ଦିଲ୍ଲୀ ସରକାରରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ।

ଏସବୁ ଭିତରେ ଟିମ୍ ଇଣ୍ଡିଆ ଆଗରେ ମିଶନ୍ ୨୦୨୦ ଏବଂ ଏକଅଙ୍କରୁ ଦୁଇ ଅଙ୍କକୁ ଅଭିବୃଦ୍ଧି ପହଂଚିବାର ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଠକକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜ୍ୟ ଗୁଡ଼ିକର ଦାବି ଉପରେ ଗମ୍ଭୀରତାର ସହ ବିଚାର କରାଯିବ । ଆହୁରି କହିଛନ୍ତି, ନୀତି ଆୟୋଗ ଏପରି ଏକ ମଂଚ ଯେଉଁଠୁ ଦେଶ ଐତିହାସିକ ପରିବର୍ତ୍ତନ ଅଭିମୁଖେ ଆଗକୁ ବଢ଼ିବ ।

ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗ ନଦେବା ପ୍ରସଙ୍ଗକୁ ନେଇ ପିସିସି ସଭାପତି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଥିବା ବେଳେ ଜୁଏଲ କହିଛନ୍ତି-ରାଜ୍ୟ ସ୍ୱାର୍ଥ ଅପେକ୍ଷା ନବୀନ ଦଳ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଜବାବରେ ବିଜେଡି କହିଛି ନୀତି ଆୟୋଗ ବୈଠକକୁ ବିଜେଡି ବୟକଟ୍ କରି ନାହିଁ । ବରଂ ଅନ୍ୟ କାମ ଦୃଷ୍ଟିରୁ ବୈଠକରେ ଯୋଗ ଦେଇ ନାହାଁନ୍ତି ଏବଂ କେନ୍ଦ୍ରକୁ ଏନେଇ ପୂର୍ବରୁ ଜଣାଇ ଦିଆଯାଇଛି । ରବିବାର ଆରମ୍ଭ ହୋଇଥିବା ନୀତି ଆୟୋଗ ବୈଠକ ଦୁଇ ଦିନ ଧରି ଚାଲିବ, ଯେଉଁଥିରେ ଦେଶର ସମସ୍ତ ରାଜ୍ୟ ନିଜ ନିଜର ଦାବି ନେଇ କେନ୍ଦ୍ରଙ୍କୁ ଅବଗତ କରିବେ ।