‘ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ! ଗ୍ରାମାଂଚଳର ଲୋକଙ୍କ ସହ ସିଧାସଳଖ କଲେ ଆଲୋଚନା

116

କନକ ବ୍ୟୁରୋ: ପଂଚାୟତରାଜ ଦିବସ ଅବସରରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀ ମୋଦିଙ୍କ ପରି ଗ୍ରାମାଂଚଳର ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତିବର୍ଷ ରାଜଧାନୀ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ପଂଚାୟତିରାଜ ଦିବସ ପାଳନ କରାଯାଉଥିବାବେଳେ ଚଳିତବର୍ଷ ଏହାକୁ ଜିଲ୍ଲା ଓ ବ୍ଲକ ସ୍ତରରେ ପାଳନ କରାଯାଉଛି । ରାଜ୍ୟ ସଚିବାଳୟରୁ ଭିଡିଓ କନଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବ୍ଲକରେ ଉପସ୍ଥିତ ଥିବା ପଂଚାୟତ ପ୍ରତିନିଧି ଓ ସାଧାରଣ ଲୋକଙ୍କ ସହ ଆଲୋଚନା କରିଛନ୍ତି । ୪ଟି ଜିଲ୍ଲାର ୪ଟି ବ୍ଲକରେ ଏଥିପାଇଁ ବ୍ୟବସ୍ଥା କରାଯାଇଥିଲା ।

ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୨ତମ ଜନ୍ମ ଦିବସ । ଏଥିପାଇଁ ସାରା ରାଜ୍ୟରେ ପାଳନ କରାଯାଉଛି ପଂଚାୟତିରାଜ ଦିବସ । ବିଭିନ୍ନ ସ୍ଥାନରେ ବିଜୁ ବାବୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ଫରେଷ୍ଟ ପାର୍କ ଓ ବିଧାନସଭାରେ ବିଜୁ ବାବୁଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଂଚାୟତିରାଜ ଦିବସ ଅବସରରେ ସଂଧ୍ୟାରେ ଭୁବନେଶ୍ୱର ଜୟଦେବ ଭବନ ପରିସରରେ ନବନିର୍ମିତ ଗୀତଗୋବିନ୍ଦ ସଦନ, ଫଟୋଚିତ୍ର ପ୍ରଦର୍ଶନୀ ଓ ବିଜୁ ସ୍ମାରକୀ ଡାକ ଟିକଟକୁ ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ ।

ସେପଟେ ଜୟନ୍ତୀରେ ଟ୍ୱିଟ କରି ପ୍ରବାଦ ପୁରୁଷ ବିଜୁବାବୁଙ୍କୁ ମନେପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟରେ ସେ ଲେଖିଛନ୍ତି, ବିଜୁ ପଟ୍ଟନାୟକ ଜଣେ ଦୂରଦୃଷ୍ଟି ସମ୍ପର୍ଣ୍ଣ ବ୍ୟକ୍ତି ଥିଲେ । ସେ ଅକ୍ଲାନ୍ତଭାବେ ଭାବେ ଦେଶ ଓ ଓଡିଶା ଲୋକଙ୍କ ସେବା କରିଥିଲେ । ଗରିବୀ ଦୂରୀକରଣରେ ତାଙ୍କର ପ୍ରମୁଖ ଭୂମିକା ଥିଲା ।