ରାଜ୍ୟରେ ଆଉ କେହି ଶୋଇବେନି ଭୋକରେ । ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କଲେ ନବୀନ ସରକାର, କହିଲେ, ଲୋକଙ୍କ ଟଙ୍କା ଲୋକଙ୍କ ପାଇଁ ଖର୍ଚ୍ଚ ହେବ

73

କନକ ବ୍ୟୁରୋ : ରାଜ୍ୟରେ ଆଉ କେହି ରହିବେନି ଭୋକିଲା । କଥା ରଖିଲେ ରାଜ୍ୟ ସରକାର । ନିର୍ବାଚନ ବେଳେ ଦେଇଥିବା ପ୍ରତିଶୃତିକୁ ପୂରଣ କରିଛନ୍ତି ନବୀନ ସରକାର । ଅକ୍ଟୋବର ୨ରୁ ରାଜ୍ୟରେ ଲାଗୁ ହେଲା ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା । ସଚିବାଳୟରୁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏହି ଯୋଜନାର ଘୋଷଣା ସହ ନବୀନ କହିଛନ୍ତି, ଖାଦ୍ୟ ସୁରକ୍ଷା ସମସ୍ତଙ୍କର ଅଧିକାର । ଏଥିରୁ ଲୋକଙ୍କୁ କେହି ବଞ୍ଚିତ କରିପାରିବେ ନାହିଁ । ଏହି ଯୋଜନା ମାଧ୍ୟମରେ ଗରିବଙ୍କୁ ଚାଉଳ ମିଳିବ । ଲୋକଙ୍କ ଟଙ୍କା ଲୋକଙ୍କ ପାଇଁ ଖର୍ଚ୍ଚ ହେବ । ଲୋକଙ୍କ ସେବା ପାଇଁ କେବେ ମଧ୍ୟ ଅର୍ଥର ଅଭାବ ରହିବ ନାହିଁ । ଏପରିକି ତାଙ୍କ ସରକାର ଦେଇଥିବା ପ୍ରତିଶୃତି ପୂରଣ କରାଯାଇଛି ବୋଲି ନବୀନ କହିଛନ୍ତି । ଭିଡ଼ିଓ କନଫରେନସିଂ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଲୋକଙ୍କ ସହ ଏହି ଯୋଜନା ବାବଦରେ ସିଧାସଳଖ କଥା ହୋଇଛନ୍ତି ନବୀନ । ସବୁଠୁ ବଡ କଥା ହେଲା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନକୁ ବାଦ ପଡିଥିବା ହିତାଧିକାରୀଙ୍କ ପାଇଁ ଯୋଜନାରେ ବ୍ୟବସ୍ଥା ହୋଇଛି ।

୨୦୧୪ରେ ନିଜସ୍ୱ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । କେନ୍ଦ୍ରର ନୂଆ ଖାଦ୍ୟ ସୁରକ୍ଷା ଆଇନ ରାଜ୍ୟରେ ଲାଗୁ ହେବା ପରେ ବହୁ ଗରୀବ ଲୋକ ଏଥିରୁ ବାଦ ପଡିଥିଲେ । ରାଜ୍ୟର ଜଣେ ବି ଲୋକ ଖାଦ୍ୟ ସୁରକ୍ଷାରୁ ବଂଚିତ ନ’ହୁଅନ୍ତୁ, ଏହାକୁ ଆଖି ଆଗରେ ରଖି ନିଜସ୍ୱ ଟଙ୍କାରେ ଯୋଜନା କାର୍ଯ୍ୟକାରୀ ହୋଇଛି ।

୨୦୧୩ରେ ଖାଦ୍ୟ ସୁରକ୍ଷା ଆଇନ ଓଡିଶାରେ କାର୍ଯ୍ୟକାରୀ ହୋଇଥିଲା । ସେତେବେଳେ ୨୦୧୧ ଜନସଂଖ୍ୟାକୁ ବିଚାରକୁ ନିଆଯାଇଥିଲା । ଜନଗଣନାରେ ଓଡିଶାର ଜନସଂଖ୍ୟା ୪ କୋଟି ୧୯ ଲକ୍ଷ ୭୪ ହଜାର ୨୧୮ ଥିଲା । ଏହାର ୭୮ ପ୍ରତିଶତ ଅର୍ଥାତ୍ ୩ କୋଟି ୨୬ ଲକ୍ଷ ୪୧ ହଜାର ୮୦୦ ଲୋକଙ୍କୁ ଖାଦ୍ୟ ସୁରକ୍ଷାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ୨୦୧୮ ସୁଦ୍ଧା ରାଜ୍ୟର ଲୋକସଂଖ୍ୟା ପାଖାପାଖି ୧୦.୨୨% ବୃଦ୍ଧି ପାଇଛି । ଅର୍ଥାତ୍ ବର୍ତ୍ତମାନ ରାଜ୍ୟର ଲୋକସଂଖ୍ୟା ୪ କୋଟି ୬୨ ଲକ୍ଷ ୬୩ ହଜାର ୯୮୩ ରହିଛି । କେନ୍ଦ୍ର ସରକାରଙ୍କ ମାପକାଠିକୁ ବିଚାରକୁ ନେଲେ ରାଜ୍ୟର ୩ କୋଟି ୬୦ ଲକ୍ଷ ୮୫ ହଜାର ୯୦୭ ଲୋକ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବା କଥା । ହେଲେ ବଳକା ୩୩ ଲକ୍ଷ ୪୪ ହଜାର ପରିବାରକୁ ଯୋଜନାରେ ସାମିଲ କରିବାକୁ ବାରମ୍ବାର ନିବେଦନ କରିବା ସତ୍ତେ୍ୱ କେନ୍ଦ୍ର କୈାଣସି ପଦକ୍ଷେପ ନେଇନଥିଲା । ଯାହାକୁ ଆଖି ଆଗରେ ରଖି ରାଜ୍ୟରେ କାର୍ଯ୍ୟକାରୀ ହୋଇଛି ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ।

୨୦୦୮ରେ ରାଜ୍ୟରେ ୨ ଟଙ୍କିଆ ଚାଉଳ ଯୋଜନା, ୨୦୧୩ରେ ଟଙ୍କିକିଆ ଚାଉଳ ଜରିଆରେ ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରିବା ସହ ରାଜ୍ୟ ସରକାର ସାରା ଦେଶରେ ଏକ ବଡ ପଦକ୍ଷେପ ନେଇଥିଲେ । ଆମ ମୁଖ୍ୟମନ୍ତ୍ରୀ ଆମ କଥା କାର୍ଯ୍ୟକ୍ରମରେ ଏକଥା ଘୋଷଣା କରି ରାଜ୍ୟ ସରକାର ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପାଳନ ଦିଗରେ ବଳିଷ୍ଠ ଭୂମିକା ନିର୍ବାହ କରିଛନ୍ତି ।