ଆକାଶମାର୍ଗରୁ ଦୁର୍ଦ୍ଦଶା ଦେଖିଲେ ମୁଖ୍ୟମନ୍ତ୍ରୀ । ଗଂଜାମ, ଗଜପତି ଓ ରାୟଗଡାରେ ବନ୍ୟା ସ୍ଥିତିର କଲେ ଅନୁଧ୍ୟାନ

39

କନକ ବ୍ୟୁରୋ: ଭୁବନେଶ୍ୱରରେ ବନ୍ୟା ସ୍ଥିତିର ସମୀକ୍ଷା ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଜି ଗଂଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାର ବନ୍ୟା ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଆକାଶମାର୍ଗରୁ ସ୍ଥିତିର ଅନୁଧ୍ୟାନ କରିବା ପରେ ଯୁଦ୍ଧକାଳୀନ ଭିତିରେ ରିଲିଫ୍ ଏବଂ ରେସ୍କ୍ୟୁ ଅପରେସନ ଚାଲିଥିବା ସୂଚନା ନେଇଛନ୍ତି । ଏହାରି ଭିତରେ ଜଳବନ୍ଦୀ ଘେରରେ ଥିବା ବନ୍ୟା ବିପନ୍ନଙ୍କୁ ଆକାଶମାର୍ଗରୁ ରିଲିଫ୍ ସାମଗ୍ରୀ ପହଂଚାଯାଉଛି । ୪ଲକ୍ଷ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ପ୍ରାୟ ଦେଢ଼ ଲକ୍ଷ ଲୋକଙ୍କୁ ବନ୍ୟା ଆଶ୍ରୟ ସ୍ଥଳୀରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଆଉ ଗୋଟିଏ ସପ୍ତାହ ଭିତରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

ଆକାଶମାର୍ଗରୁ କଏଦ ହେଇଥିବା ଏଇ ଚିତ୍ର ହିଁ ବୟାନ୍ କରୁଛି ବନ୍ୟାର ବିଭିଷିକା କେତେ ବଡ଼ ସଂକଟ ହୋଇ ସାମ୍ନାକୁ ଆସିଛି । ବନ୍ୟା ପାଣିରେ ସଂପୂର୍ଣ୍ଣ ବୁଡି ରହିଛି ଜନବସତି । କାଁ ଭାଁ କିଛି ଘରକୁ ଛାଡି ଦେଲେ ଚାରି ଆଡେ କେବଳ ପାଣି ହିଁ ପାଣି ।

ଗଂଜାମ, ଗଜପତି ଏବଂ ରାୟଗଡ଼ାରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିର ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଂଚଳ ବୁଲି ଦେଖିଛନ୍ତି ନବୀନ । ଏହା ସହ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆଉ ଏପଟେ ଯୁଦ୍ଧକାଳୀନ ଭିତିରେ ଚାଲିଛି ରିଲିଫ୍ ଏବଂ ରେସକ୍ୟୁ ଅପରେସନ୍ । ନୌସେନା ହେଲିକପ୍ଟର ଜରିଆରେ ବନ୍ୟା ବିପନ୍ନଙ୍କୁ ଯୋଗଇ ଦିଆଯାଉଛି ରିଲିଫ୍ ସାମଗ୍ରୀ । ଚୁଡ଼ା, ଗୁଡ଼, କ୍ୟାଣ୍ଡେଲ ଓ ଦିଆସିଲି ଥିବା ପୁଡିଆ ଆକାଶମାର୍ଗରୁ ପହଂଚାଯାଉଛି । ଜଳବନ୍ଦୀ ଅବସ୍ଥାରେ ଆସ୍କା, ଛତ୍ରପୁର, ଗଂଜାମ ଏବଂ ପୁରୁଷୋତମ୍ପୁର ବ୍ଲକ୍ରେ ଚାଲିଛି ଏୟାରଡ୍ରପି ।

ରିଲିଫ୍ ଓ ରେସ୍କ୍ୟୁ ଭିତରେ କିନ୍ତୁ ଆସ୍କା ସହରରେ ଆହୁରୀ ଦୁର୍ବିସୟ ହୋଇପଡ଼ିଛି ଜନ ଜବୀନ । ବନ୍ୟା ପାଣି କମୁଛି ସତ, ହେଲେ ତା ସହ ବଢୁଛି ଲୋକଙ୍କ ଦୁର୍ଦଶା । ପାଣି ଭିତରେ ବୁଡି ରହିଥିବା ସାମଗ୍ରୀକୁ ପୁଣି ଥରେ ସଜାଡିବାରେ ଲାଗିଛନ୍ତି ଆସ୍କା ବାସିନ୍ଦା ।

ସେହିପରି ଗଂଜାମ ଏବଂ ପୁରୁଷୋତମପୁର ବ୍ଲକରେ ଏଯାଏଁ ଟଳିନି ବନ୍ୟା ସମସ୍ୟା । ନଦୀ ଗୁଡ଼ିକର ଜଳସ୍ଥର ବଢ଼ିଯିବା ଫଳରେ ଜନବସତି ଆଡକୁ ମାଡି ଆସିଛି ବନ୍ୟାପାଣି । ସ୍ଥିତି ଏମିତି ରହିଛି ଯେ, ଏବେ ବି ଲୋକ ପାଣି ଘେରରେ ଜଳବନ୍ଦୀ ଜୀବନ କାଟୁଛନ୍ତି । ଏପଟେ ସ୍ଥିତିର ମୁକାବିଲା ପାଇଁ ଗଂଜାମ, ଗଜପତି ଏବଂ ରାୟଗଡ଼ା ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ । ଆସନ୍ତା ୭ ଦିନ ଭିତରେ ବିଦ୍ୟୁତ ଏବଂ ପାନୀୟ ଜଳ ସମସ୍ୟାର ସମାଧାନ ହୋଇଯିବ ବୋଲି ସୂଚନା ଦେଇଛନ୍ତି ।

ରିଲିଫ୍ ଓ ରେସ୍କ୍ୟୁକୁ ପ୍ରଶାସନ ବେଶ ଗୁରୁତ୍ୱ ଦେଇଥିବା ବେଳେ ବର୍ତମାନ ସୁଦ୍ଧା ୪ ଲକ୍ଷ ଲୋକଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ୧ ଲକ୍ଷ ୨୯ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀ, ଓଡ୍ରାଫ୍ ଏବଂ ଏନଡିଆରଏଫ୍ ଟିମ୍ ନିୟୋଜିତ ଥିବା ସୂଚନା ଦିଆଯାଇଛି । ଆଉ ସବୁ ଭିତରେ ରାଜ୍ୟ ସରକାରଙ୍କ ପାଇଁ ବଡ ଆହ୍ୱନ୍ ହେଉଛି-ବନ୍ୟା ପ୍ରଭାବିତ ଅଂଚଳରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ।