ବିରି ମାଡ ଦେଖି କୋଳଥ ଚେପା ! ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ପରେ ଯୁକ୍ତ ଦୁଇ ପରୀକ୍ଷା ପାଇଁ ପଶିଲା ଚିନ୍ତା, ପରୀକ୍ଷାର୍ଥୀ ଓ ନୀରିକ୍ଷକଙ୍କ ପାଇଁ ଗାଈଡଲାଇନ ଜାରି

35

କନକ ବ୍ୟୁରୋ : ହ୍ୱାଟସଆପରେ ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ ହେବା ପରେ ଯୁକ୍ତ ଦୁଇ ପରୀକ୍ଷା ପାଇଁ ସଜାଗ ହୋଇଉଠିଛି କାଉନସିଲ୍ । ଶିକ୍ଷକ ଓ ପରୀକ୍ଷାର୍ଥୀଙ୍କ ପରେ ଏବେ ନୀରିକ୍ଷକଙ୍କ ପାଇଁ ଜାରି ହୋଇଛି ଗାଇଡଲାଇନ୍ । ଯେଉଁଥିରେ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ରହିଛି , ସୁପରିଟେଣ୍ଡେଂଟଙ୍କୁ ବାଦ୍ ଦେଲେ ପରୀକ୍ଷା ହଲକୁ ଆଉ କେହି ବି ମୋବାଇଲ୍ ଫୋନ୍ ନେଇପାରିବେନାହିଁ ।

ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ ପ୍ରତିବାଦରେ ବୋର୍ଡ ଅଫିସରେ ଲଙ୍କାକାଣ୍ଡ । ଅଫିସ ଭିତରେ ଧସେଇ ପଶିଲେ ଆନ୍ଦୋଳନକାରୀ । ହ୍ୱାଟ୍ସଆପରେ ପ୍ରଶ୍ନପତ୍ର ଲିକ୍ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଏବିଭିପି । ଆଉ ପ୍ରତିବାଦକାରୀଙ୍କୁ ଅଟକାଇବାକୁ ଯାଇ ଲାଠି ଚାର୍ଜ କରିଛି ପୋଲିସ ।

ପ୍ରତିବାଦ ପଛର କାରଣ ହେଉଛି ପ୍ରଶ୍ନପତ୍ର ଲିକ୍ । ପରୀକ୍ଷା ହଲରେ ପିଲା ପରୀକ୍ଷା ଦେଉଛନ୍ତି ଆଉ ବାହାରେ ହ୍ୱାଟ୍ସଆପରେ ମୋବାଇଲରୁ ମୋବାଇଲ ଘୁରିବୁଲୁଛି ପ୍ରଶ୍ନପତ୍ର । ଉଭୟ ମାତୃଭାଷା ଓ ଇଂରାଜୀ ପ୍ରଶ୍ନପତ୍ର ଏଭଳି ଭାଇରାଲ୍ ହୋଇଛି । ପରୀକ୍ଷା ଆରମ୍ଭ ହେଉ ହେଉ ହ୍ୱାଟ୍ସ ଆପ୍ ଜରିଆରେ ବାହାରକୁ ଆସିଯାଉଛି ପ୍ରଶ୍ନପତ୍ର । ପ୍ରଶ୍ନ ଉଠୁଛି, ଯଦି ପ୍ରଶ୍ନପତ୍ର ବାହାରକୁ ଆସିଯାଉଛି , ତେବେ ତାର ଉତର ମଧ୍ୟ ଭିତରକୁ ଯିବାର ସମ୍ଭାବନା ରହିଛି ।

ମାଟ୍ରିକ୍ ପରୀକ୍ଷା ଆରମ୍ଭରୁ ବିଭ୍ରାଟ ପରେ ଚେତିଛନ୍ତି ସରକାର । ଯୁକ୍ତ ଦୁଇ ପରୀକ୍ଷା ପାଇଁ କାଉନସିଲ୍ ନେଇଛି ଆଗୁଆ ପଦକ୍ଷେପ । ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପରେ ନିରୀକ୍ଷକ ମଧ୍ୟ ଏଣିକି ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ନେଇପାରିବେ ନାହିଁ । ବିଳମ୍ବରେ ପହଁଚିଲେ ବି ପରୀକ୍ଷାର୍ଥୀଙ୍କୁ କଡାକଡି ଯାଂଚ୍ କରାଯିବ । ଏପରିକି ପରୀକ୍ଷା କେନ୍ଦ୍ର ବାହାରେ ଅଭିଭାବକ, ଛାତ୍ରଛାତ୍ରୀ କେହିବି ଗହଳି କରିପାରିବେ ନାହିଁ ବୋଲି ଗାଇଡଲାଇନ୍ ଜାରି କରିଛି କାଉନସିଲ୍ ।

ଆସନ୍ତା ମାର୍ଚ୍ଚ ୬ରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପରୀକ୍ଷା । ତେବେ ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ୍ ହେବା ପରେ ଯୁକ୍ତ ଦୁଇ ପରୀକ୍ଷା ପୂର୍ବରୁ ମୋବାଇଲ୍ କଟକଣା ପ୍ରଶ୍ନପତ୍ର ଭାଇରାଲକୁ କେତେ ରୋକିପାରୁଛି ତାଉପରେ ନଜର ।
ସିଏଚଏସଇ ଗାଇଡଲାଇନ୍
– ନିରୀକ୍ଷକଙ୍କୁ ବି ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ମନା
– ବିଳମ୍ବରେ ପହଁଚିଲେ ବି ପରୀକ୍ଷାର୍ଥୀଙ୍କ ହେବ କଡାକଡି ଯାଂଚ୍
– ପରୀକ୍ଷା କେନ୍ଦ୍ର ବାହାରେ ଗହଳି ଉପରେ କଟକଣା