ଗସ୍ତ ଖର୍ଚ୍ଚ ନେଇ ରାଜ୍ୟପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି ପ୍ରସଙ୍ଗ ! ଦୁଃଖ ପ୍ରକାଶ କଲେ ମୁଖ୍ୟ ଶାସନ ସଚିବ, ଚିଠି ଲେଖିଥିବା ଅଧିକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

39

କନକ ବ୍ୟୁରୋ : ଓଡିଶାର ମହାମହିମ ରାଜ୍ୟପାଳଙ୍କ ବିମାନ ଓ ହେଲିକପ୍ଟରର ଭଡ଼ା ଖର୍ଚ୍ଚକୁ ନେଇ ବିବାଦ ଲାଗି ରହିଥିବା ବେଳେ ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଏନେଇ ଦୁଃଖ ପ୍ରକାଶ କରିଛନ୍ତି । ଏହାଛଡ଼ା ରାଜ୍ୟପାଳଙ୍କ ଚାଟାର୍ଡ଼ ଫ୍ଲାଇଟ ଗସ୍ତ ଖର୍ଚ୍ଚକୁ ରାଜ୍ୟ ସରକାର ଅନୁମୋଦିତ କରିଛନ୍ତି ବୋଲି ରାଜଭବନକୁ ଯାଇ ଏ ବିଷୟରେ ରାଜ୍ୟପାଳଙ୍କୁ ଅବଗତ କରିଛନ୍ତି ମୁଖ୍ୟ ଶାସନ ସଚିବ । ଚାଟାର୍ଡ଼ ଫ୍ଲାଇଟ ଗସ୍ତ ଖର୍ଚ୍ଚକୁ ନେଇ ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଯେଉଁ ଢଙ୍ଗରେ ଚିଠି ଲେଖା ଯାଇଥିଲା ତାହାକୁ ନେଇ ରାଜ୍ୟପାଳଙ୍କୁ ଭେଟି ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟ ଶାସନ ସଚିବ । ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ପଠା ଯାଇଥିବା ଚିଠି ଯେଉଁ ଅଧିକାରୀ ଲେଖିଥିଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଦିତ୍ୟ ପ୍ରସାର ପାଢୀ ରାଜ୍ୟପାଳ ଗଣେଷୀ ଲାଲଙ୍କୁ ଜଣାଇଛନ୍ତି ।

ଘଟଣା ଅନୁଯାୟୀ, ଓଡିଶା ରାଜ୍ୟପାଳଙ୍କ ସିରସା ଗସ୍ତ ଓ ଏ ବାବଦରେ ଆସିଥିବା ବିଲକୁ ନେଇ ଗତକାଲି ଚର୍ଚ୍ଚା ଜୋର ଧରିଥିଲା । କାରଣ ରାଜ୍ୟପାଳଙ୍କ ଭୁବନେଶ୍ୱରରୁ ହରିୟାଣାର ସିରସା ଗସ୍ତ ପାଇଁ ଖର୍ଚ୍ଚ ହୋଇଥିଲା ୪୬ ଲକ୍ଷ ଟଙ୍କା । ତେବେ ଏହି ଗସ୍ତ ପାଇଁ ରାଜ୍ୟ ସରକାରଙ୍କ ଠାରୁ ସ୍ୱତନ୍ତ୍ର ବିମାନ ଚାହିଁଥିଲେ ରାଜ୍ୟପାଳ । ଆଉ ଏବାବଦରେ ଅନୁମତି ମଧ୍ୟ ପ୍ରଦାନ କରିଥିଲେ ରାଜ୍ୟ ସରକାର । ବିମାନ ବ୍ୟବହାର ବାବଦରେ ୪୪ ଲକ୍ଷ ଖର୍ଚ୍ଚ ହେବ ବୋଲି ସେବା ପ୍ରଦାନକାରୀ କଂପାନୀ କହିଥିଲା । ତେବେ ପରବର୍ତୀ ପର୍ୟ୍ୟାୟରେ ଦିଲ୍ଲୀରୁ ସିରସା ବିମାନରେ ଯିବା ସମ୍ଭବପର ନହେବାରୁ ହେଲିକପଟର ବ୍ୟବହାର ହୋଇଥିଲା । ଫଳରେ ବିଲ ବାବଦରେ କଂପାନୀ ରାଜ୍ୟ ସରକାରଙ୍କ ପାଖକୁ ୪୯ ଲକ୍ଷ ଟଙ୍କ ପଠାଇଥିଲା । ଯାହାକୁ ନେଇ ଦ୍ୱନ୍ଦ୍ୱ ଦେଖିବାକୁ ମିଳିବା ପରେ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିଲା ତନାଘନା । ଫଳରେ ପରବର୍ତୀ ପର୍ୟ୍ୟାୟରେ ବିମାନ ଯୋଗାଇ ଥିବା କଂପାନୀ ବିଲରେ ପରିବର୍ତନ କରି ରାଜ୍ୟ ସରକାରଙ୍କ ନିକଟକୁ ପଠାଇଥିଲା ।

ଯେଉଁଥିରେ ଭୁବନେଶ୍ୱରରୁ ଦିଲ୍ଲୀ ଯିବାକୁ ବିମାନ ବାବଦରେ ୪୧ ଲକ୍ଷ ୧୮ ହଜାର୍ ଓ ଦିଲ୍ଲୀରୁ ସିରସା ଯିବାକୁ ହେଲିକପଟର ବାବଦରେ ୫ ଲକ୍ଷ ଖର୍ଚ୍ଚ ହୋଇଥିବା ନେଇ ବିଲ ଦିଆଗଲା । ଯେହେତୁ ଅନୁମତି ମିଳିଥିବା ଅର୍ଥ ଠାରୁ ବିଲ ବାବଦ ଅର୍ଥ ଅଧିକ ହେଲା ତେଣୁ ଅଡିଟ ବେଳେ କାଳେ କିଛି ଅସୁବିଧା ସାମ୍ନାକୁ ଆସିବ ତେଣୁ ଏ ବାବଦରେ ରାଜଭବନ ଠାରୁ ଜାଣିବାକୁ ଚାହିଁଥିଲେ ରାଜ୍ୟ ସରକାର । ଯାହାର ଉଦ୍ଦେଶ୍ୟ ଥିଲା, ୟୁଜର୍ସ ସାର୍ଟିଫିକେଟ ମିଳିବା ପରେ ବିଲ ବାବଦ ଅର୍ଥ ପ୍ରଦାନରେ କିଛି ଅସୁବିଧା ରହିବ ନାହିଁ କିମ୍ବା ରାଜ୍ୟ ସରାକରଙ୍କୁ ମଧ୍ୟ ଅଡିଟ ବେଳେ କିଛି ସମସ୍ୟା ସାମ୍ନା କରିବାକୁ ପଡିବ ନାହିଁ । ତେବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ଦୁଃଖ ପ୍ରକାଶ କରିଛନ୍ତି ।