ବନ୍ଦୀ କରି ଭୁଲିଗଲେ ! ଜଙ୍ଗଲରେ ଖୋଲାରେ ବୁଲିବା ପରିବର୍ତ୍ତେ ବନ୍ଦୀ ଜୀବନ କାଟୁଛି ‘ସୁନ୍ଦରୀ’। ବାଘୁଣୀର ଭବିଷ୍ୟତ ନେଇ ଏବେ ସମସ୍ତେ ଚୁପ୍

ସିସିଟିଭି ଦେଇପାରିବନି ‘ସୁନ୍ଦରୀ’କୁ ସୁରକ୍ଷା

109

କନକ ବ୍ୟୁରୋ: ବନ ବିଭାଗ ଅଧିକାରୀ, ରାଜ୍ୟ ସରକାର ସମସ୍ତେ ଇତି ମଧ୍ୟରେ ପାସୋରି ଦେଇଛନ୍ତି। ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତୃପକ୍ଷ (ଏନଟିସିଏ) ମଧ୍ୟ ପରବର୍ତୀ ପଦକ୍ଷେପ କଣ ନିଆଯିବ, ସେ ସଂକ୍ରାନ୍ତରେ କିଛି ଜଣାଉନାହାନ୍ତି। ଏହାର ସାଂଘାତିକ ପରିଣାମ ହେଲା, ଜଙ୍ଗଲରେ ଖୋଲା ମୁକୁଳାରେ ବୁଲିବା ପରିବର୍ତେ ୨୬ ଦିନ ହେଲା ବନ୍ଦୀ ଜୀବନ କାଟୁଛି ବାଘୁଣୀ ‘ସୁନ୍ଦରୀ’।

‘ସୁନ୍ଦରୀ’ ବିବାଦରେ ଫସିବା ପରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଥିଲେ, ତାକୁ ନନ୍ଦନକାନନରେ ରଖିବା ପାଇଁ ପଦକ୍ଷେପ ନିଆଯିବ। ତାହା ଗଣମାଧ୍ୟମ ରିପୋର୍ଟରେ ରହିଗଲା। ତା’କୁ ପୁଣିଥରେ ସାତକୋଶିଆ ଭିତରକୁ ଛଡ଼ାଯିବ ନା ମଧ୍ୟପ୍ରଦେଶର ବାନ୍ଧବଗଡ଼କୁ ଫେରାଇ ନିଆଯିବ ସେ ସଂକ୍ରାନ୍ତରେ ମଧ୍ୟ ବନ ଅଧିକାରୀ, ଏନଟିସିଏ କେହି କିଛି ଜଣାଉନାହାନ୍ତି।

ସେପଟେ ଚଳିତ ମାସ ଶେଷ ସପ୍ତାହ କିମ୍ବା ଜାନୁଆରି ପ୍ରଥମ ସପ୍ତାହ ସୁଦ୍ଧା ମଧ୍ୟପ୍ରଦେଶରୁ ଦ୍ବିତୀୟ ପର‌୍ୟ୍ୟାୟ ବାଘ ଆଣିବାକୁ ଲକ୍ଷ୍ୟ ରଖାଯାଇଥିଲା। ‘ସୁନ୍ଦରୀ’ ବନ୍ଦୀ ହୋଇ ରହିଲା ଭଳି ଏ ପ୍ରସ୍ତାବ ମଧ୍ୟ ଫାଇଲ ଭିତରେ ବନ୍ଧା ପଡ଼ିଛି। ଏଥି ସହିତ ଦେଶର ପ୍ରଥମ ଅନ୍ତଃରାଜ୍ୟ ବ୍ୟାଘ୍ର ସମ୍ପ୍ରସାରଣ ପ୍ରକଳ୍ପ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି।

ସାତକୋଶିଆ ଭିତରେ ଦୁଇ ଜଣଙ୍କୁ ମାରିବା ପରେ ନଭେମ୍ବର ୬ରେ ବାଘୁଣୀ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍ କରାଯାଇ ଏନ୍‌କ୍ଲୋଜରକୁ ଅଣାଯାଇଥିଲା। ଏହାର କିଛି ଦିନ ପରେ ସୁରକ୍ଷା ଅଭାବରୁ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ଅଣାଯାଇଥିବା ‘ମହାବଳ’ର ମୃତ୍ୟୁ ହୋଇଥିଲା। ତାହାର ମୃତ୍ୟୁ ଏବେ ବି ରହସ୍ୟରେ ରହିଛି। ଏଣୁ ‘ସୁନ୍ଦରୀ’କୁ ଜଙ୍ଗଲ ଭିତରକୁ ପୁଣିଥରେ ଛାଡ଼ିବାକୁ ବନ ବିଭାଗ ଅଧିକାରୀମାନେ ଭୟ କରୁଛନ୍ତି।

‘ସୁନ୍ଦରୀ’ ପାଇଁ ଯୋଜନା ହେଲା, ତା’କୁ ସାତକୋଶିଆ ଜଙ୍ଗଲ ଭିତରେ ଛାଡ଼ିବା ପରେ ନଜର ରଖିବାକୁ ସିସିଟିଭି କ୍ୟାମେରା ଲଗାଯିବ। ୨୦୦ରୁ ଅଧିକ କ୍ୟାମେରା ଲାଗିବ ଓ ତା ପରେ ଯାଇ ‘ସୁନ୍ଦରୀ’କୁ ଛଡ଼ାଯିବ। କିନ୍ତୁ ଏହି ନିଷ୍ପତ୍ତିକୁ ବିେଶଷଜ୍ଞମାେନ ଗ୍ରହଣ କରିପାରୁନାହାନ୍ତି। ଯେଉଁଠି ମହାବଳକୁ ସୁରକ୍ଷା ଦିଆଯାଇପାରିଲା ନାହିଁ, ସେଠାରେ ସିସିଟିଭି ଲଗାଇଲେ ‘ସୁନ୍ଦରୀ’ କିଭଳି ସୁରକ୍ଷିତ ରହିବ?

ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ କହିବା କଥା ହେଲା ସୁନ୍ଦରୀକୁ ଏନ୍‌କ୍ଲୋଜରରେ ରଖିବାକୁ ଅଣାଯାଇ ନ ଥିଲା। ଜଙ୍ଗଲୀ ଜନ୍ତୁ ହୋଇଥିବାରୁ ତାକୁ ଯେଉଁ ଉଦ୍ଦେଶ୍ୟରେ ଅଣାଯାଇଥିଲା ତାହାକୁ କାର‌୍ୟ୍ୟକାରୀ କରାଯାଉ। ମହାବଳ ମୃତ୍ୟୁ ଘଟଣା ସୂଚାଇ ଦେଇଛି, ସାତକୋଶିଆ ବାଘଙ୍କ ପାଇଁ ସୁରକ୍ଷିତ ନୁହେଁ। ଏହି ଅଭୟାରଣ୍ୟର ପ୍ରତିଟି ସ୍ଥାନରେ ଶିକାରୀଙ୍କ ଫାଶ ବସିଛି, ଯାହାକି ବାଘ ପାଇଁ ବିପଦ ସୃଷ୍ଟି କରୁଛି। ସିସିଟିଭି କ୍ୟାମେରା ଲଗାଇଦେଲେ ଯେ ସବୁ ସମସ୍ୟାର ସମାଧାନ ହୋଇଯିବ ତାହା ନୁହେଁ। ଭିତ୍ତିଭୂମିକୁ ସୁଦୃଢ଼ କରି ପଦକ୍ଷେପ ନେବା ଆବଶ୍ୟକ।