କ୍ୟାବିନେଟରେ ୧୭ ପ୍ରସ୍ତାବକୁ ମଂଜୁରୀ : ସରକାରୀ ବାବୁ ଓଡିଆ କହିବାକୁ ବାଧ୍ୟ, ବେସରକାରୀ ଡିଲରଙ୍କୁ ଦିଆଗଲା ଆଉ ବର୍ଷେ ଅନୁମତି

29

କନକ ବ୍ୟୁରୋ: ଯେକୌଣସି ମୁହୂର୍ତରେ ସାଧାରଣ ନିର୍ବାଚନ ହୋଇପାରେ । ଏମିତିରେ ବି ଚଳିତ ବର୍ଷ ରାଜ୍ୟର ସିଂହଭାଗ ପୌରାଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହେବ । ଏଣୁ ଜନମତକୁ ନିଜ ଆଡକୁ ଟାଣିବା ଲାଗି ସରକାର ଭରପୂର ପ୍ରୟାସ ଆରମ୍ଭ କରିଛନ୍ତି । ସବୁ ବର୍ଗକୁ ଖୁସି କରିବା ଲାଗି ଗତକାଲି ରାଜ୍ୟ କ୍ୟାବିନେଟରେ ୧୭ଟି ବଡ଼ ପ୍ରସଙ୍ଗ ଉପରେ ମୋହର ଲାଗିଛି । ପ୍ରଶାସନରେ ଓଡ଼ିଆ ଭାଷା ବ୍ୟବହାର ଠାରୁ ଆରମ୍ଭ କରି ଜମାକାରୀଙ୍କ ଅର୍ଥ ପୈଠ ପ୍ରକ୍ରିୟାକୁ ଆଗକୁ ନେବା ପର୍ଯ୍ୟନ୍ତ ଏକାଧିକ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । କେବଳ ସେତିକି ନୁହେଁ, କର୍ମଚାରୀ ତୁଷ୍ଟୀକରଣ, ଯୁବ ବର୍ଗକୁ ଆକର୍ଷିତ କରିବା ଲାଗି ବିଜୁ ଯୁବ ବାହିନୀ ଉପଯୋଜନା, ପିଇବା ପାଣି ପ୍ରସଙ୍ଗର ସ୍ଥାୟୀ ସମାଧାନ ଲାଗି ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ଆଦି କ୍ଷେତ୍ରରେ ମଧ୍ୟ କ୍ୟାବିନେଟ୍ ଆଖିଦୃଶିଆ ନିଷ୍ପତ୍ତି ନେଇଛନ୍ତି । ସବୁଠାରୁ ବଡ଼ କଥା ହେଲା, ରାଜନୈତିକ ନେତାଙ୍କୁ ଅସନ୍ତୁଷ୍ଟ ନ କରି କଣ୍ଟ୍ରୋଲ ଡିଲର ଲାଇସେନ୍ସକୁ ବର୍ଷକ ପାଇଁ ନବୀକରଣ କରାଯାଇଛି ।

ଗତକାଲି କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଥିଲେ, ରାଜ୍ୟରେ ବିଜୁ ଯୁବ ସଶକ୍ତୀକରଣ ଯୋଜନା କାର୍ଯ୍ୟକାରୀ ହେଉଛି । ଏବେ ଏହା ଅଧୀନରେ ଆଉ ଏକ ନୂତନ ଉପଯୋଜନା ବିଜୁ ଯୁବ ବାହିନୀ କାର୍ଯ୍ୟକାରୀ କରାଯିବ। ଏହା ଯୁବଗୋଷ୍ଠୀ ମଧ୍ୟରେ ନେତୃତ୍ୱ, ସ୍ୱେଚ୍ଛାସେବୀ ପଣ, କ୍ରୀଡା, ଖେଳୁଆଡ ମନୋବୃତ୍ତି ସହିତ ସୁସ୍ଥ ଜୀବନ ଯାପନ ଶୈଳୀ ବିକାଶ ନିମନ୍ତେ ଉଦ୍ଦିଷ୍ଟ । ଏହା ମଧ୍ୟ ଯୁବଗୋଷ୍ଠୀଙ୍କ ସହିତ କ୍ରିୟାଶୀଳ ସମନ୍ଵୟ ରଖିବା ନିମନ୍ତେ ଭିନ୍ନଭିନ୍ନ ମାଧ୍ୟମ ପ୍ରତିଷ୍ଠା କ୍ଷେତ୍ରରେ ଉପଯୋଗୀ ହେବ। ଏହି କାର୍ଯ୍ୟକ୍ରମ ଜରିଆରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ସୁନାଗରିକତା, ନେତୃତ୍ୱ ବିକାଶ, ଜାତୀୟତାବାଦୀ ଚିନ୍ତାଧାରା ଓ ବିକାଶ ଇତ୍ୟାଦି ଗୁଣମାନ ବିକାଶ ନିମନ୍ତେ କାର୍ୟ୍ୟକ୍ରମମାନ ହାତକୁ ନିଆଯିବ । ୧୫ରୁ ୩୫ ବର୍ଷ ବୟସ୍କ ଯୁବବର୍ଗ ବିଜୁ ଯୁବ ବାହିନୀରେ ସାମିଲ ହୋଇପାରିବେ । ଏକ ଆଦର୍ଶ ବିଜୁ ଯୁବ ବାହିନୀର ସଦସ୍ୟ ସଂଖ୍ୟା ୨୫ ହେବ । ଏହିଭଳି ପ୍ରାୟ ୮ହଜାର ବିଜୁ ଯୁବ ବାହିନୀ ଗଠନ ହେବ। ଏହି ବାହିନୀଙ୍କୁ ପଞ୍ଚାୟତ ଏବଂ ସହରାଞ୍ଚଳରେ ବିଭିନ୍ନ ସାମାଜିକ ସେବା କାର୍ଯ୍ୟ ନିମନ୍ତେ ଉତ୍ସାହିତ କରାଯିବ । ସଚେତନତା ଅଭିଯାନ, ପଥପ୍ରାନ୍ତ ଅଭିନୟ, କ୍ୟାମ୍ପ, ଆୟୋଜନ, ମୁଖ୍ୟ ଦିବସମାନ ପାଳନ ଆଦି କରାଯିବ । ସେମାନଙ୍କୁ ମୁଁ ଜଣେ ହିରୋ ଅଭିଯାନରେ ସାମିଲ କରାଯାଇ ପଞ୍ଚାୟତ ଓ ସହରାଞ୍ଚଳରେ ନାୟକ ବା ନାୟିକାଙ୍କୁ ଚିହ୍ନଟ କରାଯିବ ।

ବେସରକାରୀ ଡିଲରଙ୍କ ଲାଇସେନ୍ସ ଅବଧି ବୃଦ୍ଧି ସଂପର୍କିତ ନିଷ୍ପତ୍ତି ଶୁଣାଇ ମୁଖ୍ୟଶାସନ ସଚିବ କହିଥିଲେ, ରାଜ୍ୟରେ ସାଧାରଣ ବଣ୍ଟନ ବ୍ୟବସ୍ଥାର ସମସ୍ତ କାର୍ଯ୍ୟ ୧୨ ହଜାର ୬୦୨ ସୁଲଭ ମୂଲ୍ୟ ଦୋକାନ ମାଧ୍ୟମରେ ସଂପାଦିତ ହେଉଛି । ଏ ମଧ୍ୟରୁ ୬ ହଜାର ୩୫୨ଟିରେ ଆନୁଷ୍ଠାନିକ ଡିଲର ଏବଂ ୬ହଜାର ୨୫୦ରେ ବେସରକାରୀ ଡିଲର ଅଛନ୍ତି । ଏମାନଙ୍କର ବାର୍ଷିକ ଲାଇସେନ୍ସ ଆସନ୍ତା ମାର୍ଚ୍ଚ ୩୧ ତାରିଖରେ ଶେଷ ହେଉଥିଲା । ନିୟମ ଅନୁସାରେ, ସରକାର ଦୁଇ ବର୍ଷ ଭିତରେ ସମସ୍ତ ବେସରକାରୀ ଡିଲରଙ୍କୁ କାଢି ଆନୁଷ୍ଠାନିକ ଡିଲର ନିଯୁକ୍ତି ଦେବା କଥା । କିନ୍ତୁ ସରକାର ସୁଲଭ ମୂଲ୍ୟ ଦୋକାନଙ୍କ ସ୍ତରରେ ଦେଣନେଣ ପ୍ରକ୍ରିୟା ଇ ପଏଣ୍ଟ ଅଫ୍ ସେଲ୍ ମେସିନ ମାଧ୍ୟମରେ କରୁଛନ୍ତି । ଏହି ଇ- ପଏଣ୍ଟ ଅଫ୍ ସେଲ୍ ମେସିନର ବ୍ୟବହାର ନେଇ ପ୍ରଶିକ୍ଷଣ ଆବଶ୍ୟକ। ହେଲେ ଏତେ କମ୍ ସମୟରେ ସମସ୍ତଙ୍କୁ ପ୍ରଶିକ୍ଷଣ ଦେବା ସମ୍ଭବ ନୁହେଁ । ଏହାକୁ ଆଳ କରି ସରକାର ବେସରକାରୀ ଡିଲରଙ୍କ ଲାଇସେନ୍ସ ବାତିଲ୍ କରିବା ଲାଗି ଆଗ୍ରହ ଦେଖାଇନାହାନ୍ତି । ଅନ୍ୟପକ୍ଷରେ ଓଡ଼ିଶା ସାଧାରଣ ବଣ୍ଟନ ବ୍ୟବସ୍ଥା (ନିୟନ୍ତ୍ରଣ) ଆଦେଶର ୨୦୧୬, (୪) (୬)ରେ ନିର୍ଧାରଣ କରାଯାଇଥିବା ଅବଧିକୁ ୨ ବର୍ଷକୁ ତିନି ବର୍ଷକୁ ବୃଦ୍ଧି କରାଯିବ। ଫଳରେ ବେସରକାରୀ ଡିଲରମାନେ ଆଉ ବର୍ଷକ ପାଇଁ ଖାଉଟି ସାମଗ୍ରୀ ବଣ୍ଟନ କରିପାରିବେ । ନିର୍ବାଚନ ବର୍ଷରେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ନାବାର୍ଡ ସହାୟତାରେ ହୋଇଥିବା ଚୁକ୍ତି ଅନୁଯାୟୀ ମହାନଦୀ ଉପରେ କଟକ ଜିଲ୍ଲାରେ ଗୋପୀନାଥପୁରର ସିଂଘନାଥପୀଠ ଓ ବୈଦେଶ୍ୱରକୁ ସଂଯୋଗ ଲାଗି ଏକ ସେତୁ ନିର୍ମାଣ କରାଯିବ । ଏହାଦ୍ୱାରା ବୈଦେଶ୍ୱର, କଣ୍ଟିଲୋ, ବାଙ୍କି, ଖୋର୍ଧା ଓ ନୟାଗଡକୁ ବଡ଼ମ୍ବା, ନରସିଂହପୁର, ହିନ୍ଦୋଳ, ଅନୁଗୁଳ ଏବଂ ପଶ୍ଚିମ ଓଡ଼ିଶା ସହିତ ସଂଯୋଗ କରାଯିିବ। ମେସର୍ସ ଏସ୍ପି ସିଙ୍ଗଲା କନଷ୍ଟ୍ରକସନ୍ ପ୍ରାଇଭେଟ୍ ଲିମିଟେଡ୍ ଏହି କାର୍ଯ୍ୟ କରିବେ । ପ୍ରକଳ୍ପରେ ୧୧୦ କୋଟି ୪୭ ଲକ୍ଷ ବ୍ୟୟ କରାଯିବ। ୩୬ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସାରିବା ଲାଗି ନିଷ୍ପତ୍ତି ହୋଇଛି । କ୍ୟାବିନେଟ୍ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି।

କ୍ୟାବିନେଟରେ ଆହୁରି ନିଷ୍ପତ୍ତି ହୋଇଛି ଯେ ଗ୍ରାମ ପଞ୍ଚାୟତ ବୈଷୟିକ ସହାୟକମାନେ ଏଣିକି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ଡିପ୍ଲୋମା ଇଞ୍ଜିନିୟରିଂ କ୍ୟାଡରରେ କନିଷ୍ଠ ଯନ୍ତ୍ରୀ ଭାବେ ପର୍ଯ୍ୟାୟକ୍ରମେ ଅନ୍ତର୍ଭୁକ୍ତ ହେବେ। ଫଳରେ ସେମାନଙ୍କୁ ସରକାରୀ ମାନ୍ୟତା ମିଳିବ ଓ ଅନ୍ୟ କନିଷ୍ଠ ଯନ୍ତ୍ରୀମାନଙ୍କୁ ମିଳୁଥିବା ସମସ୍ତ ସରକାରୀ ସୁବିଧା ସେମାନେ ପାଇପାରିବେ । ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପଗୁଡିକର ବୈଷୟିକ ଦିଗ ତଦାରଖ ପାଇଁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମାଧ୍ୟମରେ ପ୍ରାୟ ୭ହଜାର ଡିପ୍ଲୋମା ଇଞ୍ଜିନିୟରଙ୍କୁ ଗ୍ରାମ ପଞ୍ଚାୟତ ବୈଷୟିକ ସହାୟକ ପଦବିରେ ୨୦୦୫ରୁ ବିଭିନ୍ନ ପର୍ଯ୍ୟାୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯାଇଥିଲା । ଇଆଇସି(ସିଭିଲ୍)ଙ୍କ ଦ୍ୱାରା ପ୍ରସ୍ତୁତ ତାଲିକା ମଧ୍ୟରୁ ଏମାନଙ୍କୁ ନିଯୁକ୍ତି ମିଳିଥିଲା।

ଚିଟଫଣ୍ଡ ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିବା କ୍ଷେତ୍ରରେ ସରକାର ଆଉ ପାଦେ ଆଗେଇଛନ୍ତି । ଅର୍ଥ ପ୍ରଦାନ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଯେ ଏଣିକି କ୍ଷୁଦ୍ର ଜମାକାରୀମାନେ ସାଧା କାଗଜରେ ବିନା ଷ୍ଟାମ୍ପ ଦେୟରେ କ୍ଷତି ପୂର୍ତ୍ତି ବନ୍ଧପତ୍ର ପ୍ରଦାନ କରି କ୍ଷତିପୂରଣ ଗ୍ରହଣ କରିବେ । କ୍ଷୁଦ୍ର ଜମାକାରୀମାନଙ୍କ ପକ୍ଷରେ କ୍ଷତି ପୂର୍ତି ବନ୍ଧପତ୍ର ନିମନ୍ତେ ଷ୍ଟାମ୍ପ ଦେୟ କ୍ରୟ କରିବା କଷ୍ଟ ସାଧ୍ୟ ହେତୁ ଏହି ବନ୍ଧପତ୍ରରେ ଷ୍ଟାମ୍ପ ଦେୟକୁ ରାଜ୍ୟ ସରକାର ଛାଡ଼ କରିଛନ୍ତି ।