ଆସନ୍ତାକାଲି ମାଟ୍ରିକ ପରୀକ୍ଷା ! ହାଇସ୍କୁଲ ବୋର୍ଡର ମହାପ୍ରସ୍ତୁତି, ଜାଣନ୍ତୁ ବୋର୍ଡ ପକ୍ଷରୁ କଣ ହୋଇଛି ବ୍ୟବସ୍ଥା

34

କନକ ବ୍ୟୁରୋ : ଆସନ୍ତାକାଲିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । କ୍ୟାରିଅରର ଟର୍ଣ୍ଣିଂ ପଏଂଟ କୁହାଯାଉଥିବା ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ପାଇଁ ୨ହଜାର ୮୧୮ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଏଥର ରେକର୍ଡ ସଂଖ୍ୟକ ୬ଲକ୍ଷ ୮ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଯାଉଛନ୍ତି । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପରୀକ୍ଷା ଉପରେ ନଜର ରଖିବା ପାଇଁ ୫ସ୍ତରୀୟ ସ୍କ୍ୱାଡ ବ୍ୟବସ୍ଥ୍ା କରାଯାଇଛି । ଉପାନ୍ତ ଅଂଚଳର ଥାନା ଗୁଡିକୁ ନୋଡାଲ ସେଂଟର ଭାବେ ବ୍ୟବହାର କରାଯିବ ।

ପ୍ରଥମ ଦିନରେ ମାତୃଭାଷାରେ ପରୀକ୍ଷା ହେବ । ପରୀକ୍ଷାର୍ଥୀମାନେ ସକାଳ ୮ଟା ୧୫ରେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବେ । ୮ଟା ୩୦ରେ ପରୀକ୍ଷାର୍ଥୀଙ୍କୁ ଓଏମଆର ସିଟ୍ ଦିଆଯିବ । ତାପରେ ୮ଟା ୪୫ରେ ଉଭୟ ସଂକ୍ଷିପ୍ତ ଓ ଦୀର୍ଘ ଉତରମୂଳକ ପ୍ରଶ୍ନପତ୍ର ଦିଆଯିବ । ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିବ । କପି ରୋକିବା ପାଇଁ ୩୦ଟି ଜିଲ୍ଲାରେ ୫୮ଟି ଫ୍ଲାଇଂ ସ୍କ୍ୱାଡ ଓ ପ୍ରତି ଜିଲ୍ଲା ଓ ଜୋନରେ ସ୍କ୍ୱାଡ୍ ବ୍ୟବସ୍ଥା କରାଯାଇଛି । ସେହିଭଳି ୧୩ ଜଣ କଏଦୀ ପରୀକ୍ଷା ଦେଉଥିବାରୁ ଜେଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।