ପୁଲିସକୁ ପିଟିଲେ ଆନ୍ଦୋଳନରତ ବିଜେପି କର୍ମୀ । ନାଲି ଚୁଡ଼ି ପିନ୍ଧାଇବାକୁ ଗଲାବେଳେ ରାଜରାସ୍ତା ପାଲଟିଲା ରଣକ୍ଷେତ୍ର ।

600

କନକ ବ୍ୟୁରୋ: ଓଡ଼ିଶାରେ ମହିଳାଙ୍କ ଉପରେ ଅଚ୍ୟାଚାର ବଢୁଥିବା ଅଭିଯୋଗ ଆଣି ବିଜେପି କାର୍ଯ୍ୟାଳୟରୁ ନବୀନ ନିବାସ ଅଭିମୁଖେ ନାଲି ଚୁଡ଼ି ଧରି ବାହାରିଥିଲେ ହଜାର ହଜାର ମହିଳାମୋର୍ଚ୍ଚାର କର୍ମୀ । ମାଷ୍ଟର କ୍ୟାଣ୍ଟିନ୍  ଛକରୁ ଲୋୟର ପିଏମ ମୁହାଁଇଲା ବେଳେ ପୁଲିସ୍ ସହ ହୋଇଥିଲା ସାମ୍ନାସାମ୍ନି । ଏମିତି କି କିଛି କର୍ମୀ ସଚିବାଳୟ ଗେଟରେ ଯାଇ ନାଲି ଚୁଡ଼ି ମଧ୍ୟ ବାନ୍ଧିଥିଲେ ।

ସରକାରୀ ଦଫ୍ତରର ସୁରକ୍ଷା ପାଇଁ ନିୟୋଜିତ ଥିବା ପୁଲିସ୍ ଏମାନଙ୍କ ବାଟ ଓଗାଳିବାରୁ ଆରମ୍ଭ ହୋଇଗଲା ମୁହାଁମୁହିଁ ପରିସ୍ଥିତି । ଆଉ ଏହି ଧସ୍ତାଧସ୍ତ ଭିତରେ ପୁଲିସ୍ କର୍ମଚାରୀଙ୍କୁ ବି ଛାଡି ନଥିଲେ ବିଜେପିର ମହିଳା କର୍ମୀ । ପୁଲିସ୍ ଉପରକୁ ଚୁଡ଼ି ମାଡ଼ କରିବା ସହ ପୁଲିସ୍ କନଷ୍ଟେବଲଙ୍କୁ ଚାପୁଡ଼ା ମାରୁଥିବାର ଚିତ୍ର ମଧ୍ୟ କ୍ୟାମେରାରେ କଏଦ ହୋଇଥିଲା । ସେହିପରି ଆଡିସିନାଲ ଡିସିପି ରାଜ କିଶୋର ପାଇକରାୟଙ୍କ କଲର ଧରି ଗାଳିଗୁଳଜ କରିଥିବାର ମଧ୍ୟ ଅଭିଯୋଗ ହୋଇଛି । ଏପଟେ ଏହି ମୁହାଁମୁହିଁରେ ବିଜେପିର ୬ଜଣ ମହିଳା କର୍ମୀ ଆହତ ହୋଇଥିବା ଅଭିଯୋଗ ହୋଇଛି ।

ବିଜେପିର ଏହି ଚୁଡିପିନ୍ଧା ଅଭିଯାନକୁ ସମାଲୋଚନା କରିଛି ବିଜେଡି । ଦଳ ପକ୍ଷରୁ କୁହାଯାଇଛି ଚୁଡ଼ିକୁ ଦୁର୍ବଳତାର ପ୍ରତୀକ ଭାବେ ଗ୍ରହଣ କରି ବିଜେପି ନିଜ ହୀନମନ୍ୟତାର ପରିଚୟ ଦେଇଛି । ରାଜ୍ୟ ସରକାର ସବୁ ବେଳେ ନାରୀ ସୁରକ୍ଷା ଓ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇ ଆସୁଛି ବୋଲି ବିଜେଡି କହିଛି । ବିଜେଡି ଓ ବିଜେପିର ଏହି ଆରୋପ-ପ୍ରତ୍ୟାରୋପ ଭିତରେ ରାଜନୀତି ଜୋରଦାର ହେବାରେ ଲାଗିଛି । କାରଣ ଆଗକୁ ଅଛି ୨୦୧୯ ନିର୍ବାଚନ ।