ତେଲେଙ୍ଗାନା ଢାଞ୍ଚାରେ ବିଧାନ ପରିଷଦ ଗଠନ ପାଇଁ କମିଟି ଦେବ ରିପୋର୍ଟ : ବିଧାନ ପରିଷଦ ଗଠନ କରିବା ନେଇ କମିଟି ବୁଲିଥିଲା ୪ଟି ରାଜ୍ୟ

76

କନକ ବ୍ୟୁରୋ : ରାଜ୍ୟରେ କିପରି ଭାବରେ ବିଧାନ ପରିଷଦ ଗଠନ ହେବ ସେନେଇ ଗତ କିଛି ବର୍ଷ ହେଲା ସରକାର ଚେଷ୍ଟା କରୁଛନ୍ତି । ଏଥି ପାଇଁ ଗଠିତ କମିଟି ୪ଟି ରାଜ୍ୟ ବୁଲିଲା ପରେ ତେଲେଙ୍ଗାନା ରେ ଗଠନ ହୋଇଥିବା ବିଧାନ ପରିଷଦଢାଞ୍ଚା ମନକୁ ପାଇଛି ବିଧନସଭା ଲାଗି ଗଠନ ହୋଇଥିବା କମିଟିର। ତେଲେଙ୍ଗାନା ଢାଞ୍ଚାରେ ବିଧାନ ପରିଷଦ ଗଠନ ପାଇଁ ସରକାରଙ୍କୁ ରିପୋର୍ଟ ଦେବ ଏହି କମିଟି । ମଙ୍ଗଳବାର ଏ ନେଇ କମିଟିର ଅଧ୍ୟକ୍ଷ ତଥା ପରିବହନ ମନ୍ତ୍ରୀ ନୃସିଂହ ସାହୁ ସୂଚନା ଦେଲା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ତେବେ ଆଗାମୀ ବର୍ଷ ରାଜ୍ୟରେ ସାଧାରଣ ନିର୍ବାଚନ ଥିବାରୁ ଦଳରେ ଥିବା ଅସନ୍ତୁଷ୍ଟ ନେତାଙ୍କୁ ମନେଇବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଥିବା ବିରୋଧୀମାନେ କହିଛନ୍ତି ।

ତେବେ ରାଜ୍ୟ ସରକାର ୨୦୧୫ ମସିହାରେ ବିଧାନ ପରିଷଦ ଗଠନ ନେଇ ପକ୍ରିୟା ଆରମ୍ଭ କରିଥିଲେ। ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ବିଜେଡିରୁ ପ୍ରମିଳା ମଲ୍ଲିକ ଓ ମନୋହର ରାନ୍ଧାରୀ, କଂଗ୍ରେସରୁ ଭୁଜବଳ ମାଝୀ ଓ ବିଜେପିରୁ ନୀତିଶ ଗଙ୍ଗଦେବ ସଦସ୍ୟ ରହିଥିଲେ। ତେବେ ଏହି ବିଧାନ ପରିଷଦକମିଟି ଗଠନ ହେବା ପୂର୍ବରୁ ସବୁ ଦଳ ସହ ରାଜ୍ୟ ସରକାର ପରାମର୍ଶ କରି ନଥିବାରୁ କଂଗ୍ରେସ ଓ ବିଜେପି ବିଧାୟକମାନେ ଏଥିରୁ ଓହରିଯାଇଥିଲେ। ବିଜେଡିର ତିନି ସଦସ୍ୟଙ୍କୁ ନେଇ କମିଟି ୨୦୧୫ ମସିହା ଫେବ୍ରୁଆରୀ ମାସ ପ୍ରଥମ ସପ୍ତାହରେ ମହାରାଷ୍ଟ୍ର ଓ କର୍ଣ୍ଣାଟକ ଯାଇଥିଲେ। ତେବେ ଏହି ଗସ୍ତ ଫଳପ୍ରଦ ହେଲା ନାହିଁ। କାରଣ ଦୁଇ ରାଜ୍ୟ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ପ୍ରଥମେ ଗଠନ ହୋଇଥିଲା ବିଧାନ ପରିଷଦ ଓ ପରେ ଗଠନ ହେଲା ବିଧାନସଭା। ତେଣୁ ଏହି ଦୁଇ ରାଜ୍ୟର ଢ଼ାଞ୍ଚା ବିଧାନ ପରିଷଦ ଗଠନ ହେବା ପାଇଁ କୈାଣସି ସୂଚନା ମିଳିପାରିଲା ନାହିଁ ବୋଲି କମିଟି କହିଛି । ଯେଉଁ ରାଜ୍ୟରେ ବିଧାନସଭା ପରେ ବିଧାନ ପରିଷଦ ଗଠନ କରାଯାଇଛି, ସେମିତି ଦୁଇଟି ରାଜ୍ୟକୁ କମିଟିକୁ ପଠାଇବାକୁ ପ୍ରସ୍ତାବ ଦେଲେ ରାଜ୍ୟ ସରକାର।

ଏହା ପରେ ପାଖାପାଖି ସାଢ଼େ ୩ ବର୍ଷ ସରକାର ଆଉ କୈାଣସି ରାଜ୍ୟ ଗସ୍ତ କରିନଥିଲେ। ହଠାତ୍ ଗତ ମାସରେ ଆଉ ଦୁଇ ରାଜ୍ୟ ବିହାର ଓ ତେଲେଙ୍ଗାନା ଯାଇ ବିଧାନ ପରିଷଦର ଗଠନ ପ୍ରଣାଳୀ ଓ କାର୍ୟ୍ୟଧାରା ଅନୁଧ୍ୟାନ କରିବାକୁ ସରକାର ଅନୁମତି ଦେଲେ। ବିରୋଧୀ ସଦସ୍ୟଙ୍କ ବିନା ଶ୍ରୀ ସାହୁଙ୍କ ନେତୃତ୍ୱରେ ଶାସକ ଦଳର ଅନ୍ୟ ଦୁଇ ସଭ୍ୟ ଓ ଅଧିକାରୀମାନେ ଦୁଇ ରାଜ୍ୟ ଯାଇ ସେଠାକାର ବିଧାନ ପରିଷଦର ଅଧ୍ୟକ୍ଷ, ଅଧିକାରୀ ଓ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରି ଫେରିଥିବା ଜଣା ପଡିଛି । ଅଧ୍ୟକ୍ଷ ଶ୍ରୀ ସାହୁ ବୁଧବାରଗଣମାଧ୍ୟମକୁ ସୂଚନା ଦେଇକହିଛନ୍ତି, କମିଟି ୪ଟି ରାଜ୍ୟରେ ତା’ର ଗସ୍ତ କାର୍ୟ୍ୟକ୍ରମ ଶେଷ କରିଛି। ତେଲେଙ୍ଗାନାରେ ବିଧାନ ପରିଷଦ ଗଠନ ପାଇଁ ବିଧାନସଭାରେ ଯେପରି ରିଜୋଲ୍ୟୁସନ୍ ଆସିଥିଲା ଓ ଯେପରି ଗୃହୀତ ହୋଇଥିଲା, ତାହାକୁ ଆମେ ଭଲ ଭାବେ ଅନୁଧ୍ୟାନ କଲୁ। ଠିକ୍ ସେହିପରି ଭାବେ ଓଡ଼ିଶାରେ ରିଜୋଲ୍ୟୁସନ୍ ଆଣିବାକୁ କମିଟି ମତ ଦେବ। ଏ ନେଇ ଖୁବ୍ ଶୀଘ୍ର ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

ନିର୍ବାଚନର କିଛି ମାସ ପୂର୍ବରୁ ସରକାର ହଠାତ କାହିଁକି ରାଜ୍ୟରେ ବିଧାନ ପରିଷଦ ଗଠନ ଲାଗି କାହିଁକି ଏତେ ତତ୍ପର ଦେଖାଉଛନ୍ତି ସେନେଇ ସରକାରଙ୍କୁ ସମାଲୋଚନା କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଯଦିଓ ବିଧାନ ପରିଷଦ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ, କିନ୍ତୁ ଏହି ପ୍ରକ୍ରିୟା ବହୁ ବିଳମ୍ବ କରାଯାଇଛି। ନିର୍ବାଚନ ପାଖେଇ ଆସୁଥିବାରୁ ଏବେ ସରକାରୀ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ସ୍ପଷ୍ଟ ହୋଇଛି। ଶାସକ ଦଳରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢ଼ିଚାଲିଛି। ତେଣୁ ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରିବା ଲାଗି ସରକାରଙ୍କ ଏହା ଏକ ଚାଲ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।ସମ୍ବିଧାନର ୧୬୯ ଧାରା ଅନୁଯାୟୀ ବିଭିନ୍ନ ରାଜ୍ୟରେ ବିଧାନ ପରିଷଦ ଗଠନର ବ୍ୟବସ୍ଥା ରଖାଯାଇଛି। ବର୍ତ୍ତମାନ ୭ଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ବିହାର, ଜାମ୍ମୁ କଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା ଓ ଉତ୍ତର ପ୍ରଦେଶରେ ବିଧାନ ପରିଷଦ ରହିଛି। ଆସାମରେ ବିଧାନ ପରିଷଦ ଗଠନ ପାଇଁ ପ୍ରକ୍ରିୟା ଚାଲିଛି। ନିୟମ ଅନୁଯାୟୀ ବିଧାନସଭା ସଦସ୍ୟ ସଂଖ୍ୟାର ଏକ ତୃତୀୟାଂଶ ଆସନ ବିଧାନ ପରିଷଦରେ ରହିବ। ଏହି ହିସାବରେ ପ୍ରସ୍ତାବିତ ଓଡ଼ିଶା ବିଧାନ ପରିଷଦରେ ସଦସ୍ୟ ସଂଖ୍ୟା ୪୯ରେ ସୀମିତ ରହିବ। ପରୋକ୍ଷ ନିର୍ବାଚନ ଓ ମନୋନୟନ ପଦ୍ଧତ୍ତିରେ ଏହି ଆସନଗୁଡ଼ିକ ପୂରଣ ହେବ। ପରିଷଦ ଏକ ସ୍ଥାୟୀ ବ୍ୟବସ୍ଥାପକ ସଭା। ପ୍ରତି ଦୁଇ ବର୍ଷରେ ଏକ ତୃତୀୟାଂଶ ସଭ୍ୟ ଅବସର ଗ୍ରହଣ କରନ୍ତି ବୋଲି ଜଣାପଡିଛି । ତେବେ ରାଜ୍ୟରେ କେବେ ବିଧାନ ପରିଷଦ ଗଠନ କରାଯିବ ସେନେଇ କୈାଣସି ତାରିଥ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ସରକାର ଏହାକୁ ଖୁବଶୀଘ୍ର ଗଠନ କରିବାକୁ ଇଚ୍ଛା ପ୍ରକାଶ କରୁଥିବା ଜଣାପଡିଛି ।