ଓଡିଶା ଭବନ କ୍ୟାଂଟିନ ଖୋଲିବା ପ୍ରସଙ୍ଗ ନେଇ ଜୋର ଧରିଲା ରାଜନୀତି : ନବୀନଙ୍କ ଚିଠି ନେଇ ବିଜେପି କହିଲା ଅପାରଗ ରାଜ୍ୟ ସରକାର

31

କନକ ବ୍ୟୁରୋ : ଏବେ ରାଜନୀତିରେ କ୍ୟାଂଟିନ । ଦିଲ୍ଲୀ ସ୍ଥିତ ଓଡିଶା ଭବନର କ୍ୟାଂଟିନଙ୍କୁ ସମସ୍ତଙ୍କ ପାଇଁ ଖୋଲିବା ପାଇଁ ଗତ ଏପ୍ରିଲ ମାସରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ସହ ଦାୟିତ୍ୱ ଧର୍ମେନ୍ଦ୍ରଙ୍କ ଆଡକୁ ଠେଲି ଦେଇଛନ୍ତି । ସ୍ଥାନ ଅଭାବରୁ ଓଡିଶା ନିବାସ କ୍ୟାଂଟିନ ଖୋଲିବା ସମ୍ଭବ ନୁହେଁ ବୋଲି ନବୀନ ଉଲ୍ଲେଖ କରିଛନ୍ତି । ନୂଆଦିଲ୍ଲୀର ଓଡିଶା ଭବନ ନିକଟରେ ଥିବା ପେଟ୍ରୋଲ ପମ୍ପ ଜାଗା ମୂଳରୁ ରାଜ୍ୟ ସରକାରଙ୍କୁ ଦିଆଯାଇଥିଲା ଏବଂ ପରେ ଏହାକୁ କାଢି ନିଆଯାଇଥିଲା । ଏହାକୁ ପୁଣି ଫେରାଇ ଆଣିବାକୁ ଚେଷ୍ଟା କରି ପାରିବେ କି ବୋଲି ନବୀନ ଧର୍ମେନ୍ଦ୍ରଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।

ଓଡିଶା ନିବାସରେ କ୍ୟାଂଟିନ ଖୋଲିବା ପ୍ରସଙ୍ଗରେ ମଧ୍ୟ ସୂର୍ଯ୍ୟ ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଓଡିଶା ଭବନର କିଛି ଜାଗାକୁ ପେଟ୍ରୋଲ ପମ୍ପ ମାଡି ବସିଛି । ପେଟ୍ରୋଲ ପମ୍ପକୁ ହଟାଯାଇ ଓଡିଶା ଭବନକୁ ଦେଲେ କ୍ୟାଂଟିନ ସଂପ୍ରସାରଣ ହେବ । ପେଟ୍ରୋଲ ପମ୍ପ ଧର୍ମେନ୍ଦ୍ର ପ୍ରଧାନଙ୍କ କଣ ନିଜର ବୋଲି ସେ ପ୍ରଶ୍ନ କରିଛନ୍ତି । କ୍ୟାଂଟିନ ଖୋଲିବା ପାଇଁ ଧର୍ମେନ୍ଦ୍ର ନବୀନଙ୍କୁ ଚିଠି ଲେଖିବା ପୂର୍ବରୁ ଜାଗା ଅଛି କି ନାହିଁ ବୁଝିବା କଥା । ନ ବୁଝି ଚିଠି ଲେଖିଲେ କାହିଁକି । ଗତକାଲି ଏ ନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ।