ରସଗୋଲା ଓଡିଶାର ! ହେଲେ ବଙ୍ଗଳା ସହ ଚାଲିଛି ଶୀତଳଯୁଦ୍ଧ  

108

କନକ ବ୍ୟୁରୋ : ରସଗୋଲା ଓଡିଶାର । ପଂଚଶଖା ଯୁଗର କାଳଜୟୀ ସୃଷ୍ଟିରୁ ଏନେଇ ମିଳିଛି ପ୍ରମାଣ । ଦାଣ୍ଡି ରାମାୟଣରେ ରସଗୋଲା ଶବ୍ଦର ଉଲ୍ଲେଖ ଥିବା ବିିଶେଷଜ୍ଞ ଦାବି କରିଛନ୍ତି । ରସଗୋଲାର ପ୍ରମାଣ ଖୋଜିବାରେ ସରକାର ବ୍ୟସ୍ତ ଥିବା ବେଳେ ବିଶେଷଜ୍ଞଙ୍କ ଏହି ତଥ୍ୟ ସଂଗ୍ରହ, ରାଜ୍ୟବାସୀଙ୍କ ମନରେ ଜିଆଇ ଟ୍ୟାଗ୍ ନେଇ ନୂଆ ଆଶା ସଂଚାର କରିଛି । ହେଲେ ଏଯାଏଁ ଜିଆଇ ଟ୍ୟାଗ୍ ହାସଲ ପ୍ରକ୍ରିୟା କଛପ ଗତିରେ ଚାଲିଛି ।

ପଂଚଶଖା ଯୁଗର କାଳଜୟୀ ସୃଷ୍ଟି-ଦାଣ୍ଡି ରାମାୟଣ । ଏହି ଧର୍ମ ଗ୍ରନ୍ଥର ୭୬ ନମ୍ବର ପୃଷ୍ଠାରେ ସ୍ୱଷ୍ଟ ଲେଖା ହୋଇଛି-ରସଗୋଲା ଶବ୍ଦ । ଦାଣ୍ଡି ରାମାୟଣର ପୃଷ୍ଟା ନମ୍ବର ୭୪, ୭୫, ୭୬ ଏବଂ ୭୭ରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ସଂପର୍କରେ ଆଲୋଚନା ରହିଛି । ଭରଦ୍ୱାଜ ଆଶ୍ରମରେ ଭରତଙ୍କୁ ଋଷିମାନେ ଅଭ୍ୟର୍ଥନା ଦେବା ସମୟରେ ଏହି ବ୍ୟଞ୍ଜନ ସବୁ ପରଷି ଦେଇଥିଲେ । ଏଥିରୁ ସ୍ପଷ୍ଟ ପ୍ରମାଣ ମିଳୁଛି ପଶ୍ଚିମବଂଗରେ ରସଗୋଲା ମିଳିବାର ପ୍ରାୟ ୩ଶହ ବର୍ଷରୁ ପୂର୍ବରୁ ଓଡିଶାରେ ଥିଲା ରସଗୋଲା ।

ଏଠି ବର୍ଣ୍ଣିତ ବ୍ୟଞ୍ଜନ ଓଡିଶାର ଘରେ ଘରେ ପ୍ରଚଳିତ ବୋଲି ବିଶେଷଜ୍ଞ ଦାବି କରିଛନ୍ତି । ରସଗୋଲା ତଥ୍ୟ ପ୍ରମାଣ ଖୋଜିବାରେ ରାଜ୍ୟ ସରକାର ଧୀର ଗତିରେ ଚାଲୁଛନ୍ତି । ଏପଟେ କିନ୍ତୁ ବିଶେଷଜ୍ଞଙ୍କ ହାତରେ ରହିଛି ବଡ଼ ପ୍ରମାଣ । ସେହିପରି ଶ୍ରୀଜଗନ୍ନାଥ ଓ ମଠ ସହିତ ରସଗୋଲାର ସଂପର୍କ ଥିବା ନେଇ ତଥ୍ୟ ବି ମିଳିିଛି । ରସଗୋଲା ଓଡିଶାର ବୋଲି ପ୍ରମାଣିତ କରିବା ଲାଗି ଏସବୁ ତଥ୍ୟ ଯଥେଷ୍ଟ ବୋଲି ଅନୁମାନ କରାଯାଉଛି ।

ରସଗୋଲାକୁ ନିଜର ବୋଲି ଦାବି କରିବା ସହ ଜିଆଇ ଟ୍ୟାଗ ହାସଲ ପାଇଁ ପଶ୍ଚିମବଙ୍ଗ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ କରିବା ପରେ ଓଡିଶା ସରକାରଙ୍କ ନିଦ ଭାଙ୍ଗିଥିଲା । ଆଉ ଏହାକୁ ନେଇ ଗଠନ ହୋଇଥିଲା କମିଟି । ହେଲେ ଏହି କମିଟି ରସଗୋଲା ସଂପର୍କିତ ତଥ୍ୟ ରଖିବା ନେଇ ଏକ ପ୍ରକାର ବିଫଳ ହୋଇଥିଲା ।

ରସଗୋଲା ଉପରେ ନିଜ ହକ୍ ଜାରି କରିବାକୁ ଗତ କିଛି ମାସ ଧରି ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଶୀତଳ ଯୁଦ୍ଧ ଜାରି ରହିଛି । ଗୋଟିଏ ପରେ ପଡୋଶୀ ରାଜ୍ୟ ରସଗୋଲାକୁ ନେଇ ଜିଆଇ ଟ୍ୟାଗ ହାସଲ କରିବାକୁ ସରକାରୀ ସ୍ତରରେ ସମସ୍ତ କାର୍ଯ୍ୟ ସାରିଦେଇଛି । ଅପରପକ୍ଷରେ ଓଡିଶାର ବିଶେଷଜ୍ଞମାନେ ସାମ୍ନାକୁ ଆଣିଛନ୍ତି ନୂଆ ତଥ୍ୟ । ଯାହା ଓଡ଼ିଶା ପାଇଁ ଜିଆଇ ଷ୍ଟାଟସ୍ ପଂଜୀକରଣ ଦିଗରେ ସହାୟକ ହେବ । ଆଉ ଏହାରି ଭିତରେ ନଜର ରହିଛୀ, ଓଡିଶା ସରକାର ରସଗୋଲା ବାବଦରେ ଜିଆଇ ଟ୍ୟାଗ୍ ହାସଲ କରିବାରେ ସଫଳ ହେଉଛନ୍ତି ନା ନାହିଁ ।