ବରଗଡର ବିସ୍ମୟ ବାଳିକା ! ଆଖି ବନ୍ଦ କରି ସବୁ ଦେଖି ପାରୁଛି କୁନି ଝିଅ ଆଲିଶା; କଷି ପାରୁଛି ଗଣିତ, ଚିହ୍ନି ପାରୁଛି ସଂଖ୍ୟା

456

କନକ ବ୍ୟୁରୋ: ବରଗଡର ଆଲିଶା ସିଂଘଲ । ଡ଼ାକ ନାମ ବ୍ରେବି । ବ୍ରେବି ପାଖରେ ଏବେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟ ପ୍ରତିଭା । ଆଖିରେ କପଡ଼ା ବାନ୍ଧି ଦେଇ ସାମ୍ନାରେ କଣ ଅଛି ବୋଲି ପଚାରିଲେ ଆଲିଶା ଆରାମରେ କହିଦେଉଛନ୍ତି । ଏହା ଜଣାପଡ଼ିବା ପରେ ଆଲିଶାଙ୍କ ପ୍ରତିଭା ବିଷୟରେ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି ।

 

ବୟସ ୮ ବର୍ଷୀୟ ଏଇ କୁନି ବୟସର ଝିଅଠାରେ ଲୁଚି ରହିଛି ବିରଳ ପ୍ରତିଭା । ଯାହା ଆଖିରେ ନଦେଖିଲେ ଆପଣ ବି ବିଶ୍ୱାସ କରିପାରିବେ ନାହିଁ । ଆମେ ସମସ୍ତେ ଆଖି ଖୋଲିଲେ ଦେଖିଥାଉ, ହେଲେ ଆଲିଶା କିନ୍ତୁ ଏସବୁଠାରୁ ପୁରା ଅଲଗା । ଆଖି ଖୋଲିଲେ ତ ଦେଖିପାରୁଛନ୍ତି, ହେଲେ ଆଖି ବନ୍ଦ କଲା ପରେ ବି ସବୁ କିଛି ଦେଖିପାରୁଛନ୍ତି । ଆଖିରେ କଳାପଟି ବାନ୍ଧି ଦିଅନ୍ତୁ, ଆଖିରେ ଆଗରେ ଥିବା ସବୁ ଜିନିଷକୁ ଠିକ୍ ଠିକ୍ କହିପାରିବେ ଆଲିଶା ।

ଆଖି ବନ୍ଦ କରି ଦେଖିବା ଆଲିଶାଙ୍କ ବାମ ହାତର ଖେଳ । ଆଲିସାଙ୍କ ଆଖିରେ ପଟି ବାନ୍ଧିବା ପରେ ବ୍ୟାଙ୍କ ଏଟିଏମ ଠାରୁ ଆରମ୍ଭ କରି ମୋବାଇଲ୍, ତାସ ପତା ଠାରୁ କଲମ୍ । ଯାହା ବି ଦେଖାନ୍ତୁ ତାକୁ କହି ଦେଇପାରିବ । ଆଉ ଆଲିଶାଙ୍କ ଉତର ଶହେ ରୁ ଶହେ ଠିକ୍ ଆସିଥାଏ । ଏ ତ ଗୋଟିଏ ବିସ୍ମୟ ଗୁଣ । ହେଲେ ଆଖି ବନ୍ଦ କରି ବି ଗଣିତ ବି କଷି ଦେଇ ପାରନ୍ତି ଆଲିଶା । ଏହି କୁନି ବୟସରୁ ତାଙ୍କର ଏହି ବିରଳ ପ୍ରତିବା ପାଇଁ ସାରା ବରଗଡ ଜିଲ୍ଲାରେ ଚର୍ଚ୍ଚା ଯୋର ଧରିଛି ।ସେପଟେ ଝିଅର ଏଭଳି ଗୁଣକୁ ନେଇ ବାପା ଖୁସି ହେବା ସହ ଡାକ୍ତରାଙ୍କ ପରାମର୍ଶ କରିବେ ବୋଲି କହିଛନ୍ତି । ତେବେ ଆଲିଶାଙ୍କ ଏହି ବିରଳ ପ୍ରତିଭା ଜଣାପଡିବା ପରେ ଏବେ ତାଙ୍କର ବରଗଡ଼ ଶ୍ୟାମାକାଳି ଏନକ୍ଲେଭ ବାସଭବନରେ ଲୋକଙ୍କ ଗହଳି ଲାଗୁଛି । ଯିଏ ଦେଖୁଛି ସିଏ ଆଲିଶାଙ୍କ ପ୍ରଶଂସା ନକରି ରହିପାରୁନାହାଁନ୍ତି ।