ଅଲିଭରିଡଲେଙ୍କ ଏନ୍ତୁଡିଶାଳରେ ଆଜିଠୁ ଲାଗିଲା କଟକଣା : କଇଁଛଙ୍କ ପ୍ରଜନନ ଯୋଗୁଁ ଗହିରମଥାରେ ବନବିଭାଗର କଡା ସୁରକ୍ଷା

ଆସିଛି ବିରଳ ଅଲିଭରିଡଲେ କଇଁଛଙ୍କ ପ୍ରଜନନ ଋତୁ । ଗହିରମଥାରେ ସୁରକ୍ଷା ପାଇଁ ସଜାଗ ବନବିଭାଗ

82

କନକ ବ୍ୟୁରୋ : ଅଲିଭରିଡଲେଙ୍କ ଏନ୍ତୁଡିଶାଳରେ ଆଜିଠୁ ଲାଗିଲା କଟକଣା । କଇଁଛଙ୍କ ପ୍ରଜନନ ଯୋଗୁଁ ଗହିରମଥାରେ ବନବିଭାଗର କଡା ସୁରକ୍ଷା ବନ୍ଦୋବସ୍ତ । ୭ ମାସ ପାଇଁ ଧାମରା ମୁହାଣ ଠାରୁ ଦେବୀ ମୁହାଣ ଯାଏଁ ମୋଟର ବୋଟ୍, ଟ୍ରଲର ଚଳାଚଳ ବନ୍ଦ ପାଇଁ ନିର୍ଦେଶ ଦିଆଯାଇଛି । ମାଛ ମାରିବା ଉପରେ କଟକଣା ଲଗାଯାଇଛି । ମାଛ ମାଫିଆଙ୍କ ଅବାଧ ପ୍ରବେଶ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ବନ କର୍ମଚାରୀଙ୍କ ସୁରକ୍ଷା କ୍ୟାମ୍ପ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ନଭେମ୍ବର ୧ରୁ ୭ ମାସ ଧରି ଗହିରମଥାରେ ଅଲିଭରିଡଲେ କଇଁଛଙ୍କ ସମାଗମ ହୋଇଥାଏ । ଏହି ସମୟରେ କଇଁଛଙ୍କ ଏନ୍ତୁଡିଶାଳ କୁହାଯାଉଥିବା ଗହିରମଥାରେ ଲକ୍ଷାଧିକ ଅଲିଭରିଡଲେ କଇଁଛ ଅଣ୍ଡା ଦେଇ ଛୁଆ ଫୁଟାଇବା ପରେ ପୁଣି ଗଭୀର ସମୁଦ୍ରକୁ ଫେରିଯାଇଥାନ୍ତି । ପ୍ରଜନନ ପାଇଁ ଗହିରମଥାକୁ କଇଁଛମାନେ ସୁରକ୍ଷିତ ସ୍ଥାନ ବୋଲି ବାଛୁଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ସକ୍ରିୟ ହୋଇଛି ବନବିଭାଗ । ତେବେ ବିଭିନ୍ନ ସମୟରେ ମାଛ ମାଫିଆମାନେ ବେଧଡକ ଭାବେ ମାଛ ମାରୁଥିବାରୁ କଇଁଚ୍ଛଙ୍କ ମୃତ୍ୟୁ ହେଉଥିବାରୁ ବନବିଭାଗର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି ପରିବେଶବିତ୍ ।

ଜାଣନ୍ତୁ ଅଲିଭରିଡଲେ କଇଁଛଙ୍କ ସୁରକ୍ଷା ପାଇଁ କି କି ପ୍ରକାର ପଦକ୍ଷେପ ନେଇଛି କେନ୍ଦ୍ରାପଡା ବନବିଭାଗ ।

• ନଭେମ୍ବର ୧ରୁ ୨୦୧୯ ମେ’ ୩୧ ଯାଏଁ ଗହିରମଥା ଉପରେ ରହିବ କଡା ନଜର ।

• ଧାମରାରୁ ଦେବୀ ମୁହାଣ ଯାଏଁ ୧୬୦ କିଲୋମିଟର ପରିଧିରେ କଟକଣା ଲାଗିଛି ।

• ୭ ମାସ ଧରି ଗହିରମଥାରେ ଅଲିଭରିଡଲେ କଇଁଛଙ୍କ ସମାଗମ ହୋଇଥାଏ ।

• ଏହି ସମୟରେ ଗହିରମଥାରେ ବୋଟ୍, ଟ୍ରଲର ଓ ମାଛ ଧରାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଏ ।

• ବାବୁବାଲି ଓ ଅଗରନାଶିରେ ବନଅଧିକାରୀଙ୍କର ୨ଟି କ୍ୟାମ୍ପ କରାଯିବ ।

• ଏକକୂଳା, ସାତଭାୟା, ଜାଉଦିଆ, ଦୋବନ୍ଧି ସମେତ ୧୪ଟି ସ୍ଥାନରେ ସୁରକ୍ଷା କ୍ୟାମ୍ପ କରିବ ବନବିଭାଗ ।

• ୩୧୪ ଜଣ ବନ କର୍ମଚାରୀ ସୁରକ୍ଷା କାମରେ ନିୟୋଜିତ ହେବେ ।

• ଗହିରମଥା ୧ ଓ ଗହିରମଥା ୨ ହାଇସ୍ପିଡ ବୋଟ୍ ଉପକୂଳରେ ମାଛ ମାଫିଆଙ୍କ ଉପରେ ନଜର ରଖିବ ।

ଅଲିଭରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ବ୍ୟାପକ ପଦକ୍ଷେପ ନେଇଛି ବନବିଭାଗ । ଗହିରମଥାରେ ମାଫିଆଙ୍କ ଅବାଧ ପ୍ରବେଶ ରୋକିବା ପାଇଁ ବନକର୍ମଚାରୀ ସଜାଗ ରହିଛନ୍ତି ।