ଦିଲ୍ଲୀରେ ଝଲସିଲା ଓଡ଼ିଶାର କଳାକୃତି : ସାଧାରଣତନ୍ତ୍ର ଦିବସ ପରେଡରେ ଓଡ଼ିଶାର ସଫଳତା, ପ୍ରଜ୍ଞାପନ ମେଢ଼ରେ ସାରା ଦେଶରେ ଓଡ଼ିଶା ହେଲା ଦ୍ୱିତୀୟ

283

କନକ ବ୍ୟୁରୋ :  ନୂଆଦିଲ୍ଲୀ ସାଧାରଣତନ୍ତ୍ର ଦିବସ ପରେଡରେ ଓଡ଼ିଶାର ସଫଳତା  । ଦିଲ୍ଲୀରେ ଝଲସିଲା ଓଡ଼ିଶାର କଳାକୃତି । ପ୍ରଜ୍ଞାପନ ମେଢ଼ରେ ଦ୍ୱିତୀୟ ହେଲା ଓଡ଼ିଶା । ସାରା ଦେଶରେ ଦ୍ୱିତୀୟ ନମ୍ବରରେ ରହିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ପ୍ରଜ୍ଞାପନ ମେଢ଼ ଭାବେ ‘ରୁକୁଣା ରଥ’ ପ୍ରସ୍ତୁତ କରିଥିଲା ଓଡ଼ିଶା । ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦିଲ୍ଲୀଠାରେ ଆୟୋଜିତ ପରେଡର ମୁଖ୍ୟ ଆକର୍ଷଣ ସାଜିଥିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ଓଡ଼ିଶାର ମହାନ ଐତିହ୍ୟ ଓ ସଂସ୍କୃତିକୁ ସାରା ଦେଶ ଦେଖିଛି ।

ଦିଲ୍ଲୀର ରାଜପଥ ପରେଡରେ ପ୍ରଦର୍ଶିତ ହୋଇଥିବା ଓଡିଶାର ପ୍ରଜ୍ଞାପନ ମେଢକୁ ମିଳିଛି ସମ୍ମାନ । ଜାତୀୟ ସ୍ତରରେ ଓଡିଶା ମେଢ ହାସଲ କରିଛି ଦ୍ୱିତୀୟ ସ୍ଥାନ । ଆସାମର ମେଢ଼ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଓଡ଼ିଶା ସହ ଉତ୍ତର ପ୍ରଦେଶର ମେଢ଼ ଉଭୟ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଆଉ ଏଥିପାଇଁ ରାଜଧାନୀ ଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପୁରସ୍କାର ପ୍ରଦାନ କରିଛନ୍ତି । ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ଦେଶର ମୋଟ ୨୨ଟି ପ୍ରଜ୍ଞାପନ ମେଢ ସାମିଲ ହୋଇଥିଲା ।

ସାଧାରଣତନ୍ତ୍ର ଦିବସରେ ମହାପ୍ରଭୁ ଲିଙ୍ଗରାଜଙ୍କର ରୁକୁଣା ରଥ ପଛରେ ଥିବା ପରମ୍ପରାକୁ ପ୍ରଜ୍ଞାପନ ମେଢ଼ରେ ଦର୍ଶାଯାଇଥିଲା । ଓଡିଶାରୁ ଯାଇଥିବା ନୃତ୍ୟଶିଳ୍ପୀମାନେ ଦିଲ୍ଲୀ ଦରବାରରେ ନୃତ୍ୟ ମାଧ୍ୟମରେ କଳା ଓ ସଂସ୍କୃତିର ପ୍ରଦର୍ଶନ କରିଥିଲେ । ଗତ ଦୁଇ ବର୍ଷ ହେଲା ଓଡିଶାର ପ୍ରଜ୍ଞାପନ ମେଢ ଗଣତନ୍ତ୍ର ଦିବସରେ ସାମିଲ ହୋଇନଥିଲା । ଶେଷ ଥର ପାଇଁ ଓଡିଶାର ପ୍ରଜ୍ଞାପନ ମେଢ ୨୦୧୭ରେ ସାମିଲ ହୋଇଥିଲା, ଯାହାର ଥିମ୍ ଥିଲା ଦୋଳ ।