କେଉଁ ସ୍ବାର୍ଥ ପାଇଁ କେନ୍ଦ୍ରକୁ ସମର୍ଥନ?, ମୁଖ୍ୟମନ୍ତ୍ରୀଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡ଼ିଲା କଂଗ୍ରେସ

94

କନକ ବ୍ୟୁରୋ: ଗୋଟିଏ ଦେଶ ଗୋଟିଏ ନିର୍ବାଚନ। ଗୋଟିଏ ଦେଶ ଗୋଟିଏ ଟିକସ। ଗୋଟିଏ ଦେଶ ଗୋଟିଏ ଟ୍ରିବ୍ୟୁନାଲ। ଏହା ପରେ କହିବେ, ଗୋଟିଏ ଦେଶ ଗୋଟିଏ ରାଜନୈତିକ ଦଳ। ଗୋଟିଏ ଦେଶ, ଶାସକ ଦଳର ଗୋଟିଏ ନେତା। ଗୋଟିଏ ଦେଶ, ଗୋଟିଏ ଧର୍ମ। ଏ ଦେଶ କୁଆଡ଼େ ଯାଉଛି? ଏମିତି ଦେଶର ଉନ୍ନତି ଘଟୁଛି? ଏମିତି ଏକଛତ୍ରବାଦ ଶାସନ ଚାଲିଲେ, ଭାରତ ଖଣ୍ଡ ବିଖଣ୍ଡ ହୋଇଯିବ। ଅଶାନ୍ତ ହେବ। ଦେଶ ଧ୍ବଂସ ହୋଇଯିବ।

ଗତକାଲି ବିଧାନସଭାରେ ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏଭଳି ମନ୍ତବ୍ୟ ରଖି କମ୍ପିଥିଲେ। କେନ୍ଦ୍ର ସରକାରଙ୍କ ଏକକ ଟ୍ରିବ୍ୟୁନାଲ ବିଲରେ ବିଜେଡିର ସମର୍ଥନ ପ୍ରସଙ୍ଗ ଉଠାଇ କହିଥିଲେ, ଯଦି ରାଜ୍ୟ ସରକାରଙ୍କ କିଛି ଲୁଚାଛପା ଏଜେଣ୍ଡା ଅଛି, ତେବେ ଗୃହକୁ ବିଶ୍ବାସକୁ ନେଇ ମୁଖ୍ୟମନ୍ତ୍ରୀ ବିବୃତି ଦିଅନ୍ତୁ। ଅନ୍ୟଥା ବ୍ୟକ୍ତିଗତ ବା ଦଳୀୟ ସ୍ବାର୍ଥ ସାଧନ ପାଇଁ ରାଜ୍ୟ ସ୍ବାର୍ଥକୁ ବଳି ଦେଲେ ଗ୍ରହଣୀୟ ନୁହେଁ।

ଶ୍ରୀ ମିଶ୍ର ଏକ ବୈଧାନିକ ପ୍ରଶ୍ନ ଉଠାଇ କହିଥିଲେ, ମହାନଦୀ ଜଳବିବାଦ ନେଇ ଗୃହରେ ଆେଲାଚନା ହୋଇଥିଲା। ଛତିଶଗଡ ସରକାର ବେଆଇନ ଭାବେ ଏକାଧିକ ବ୍ୟାରେଜ ଓ ଡ୍ୟାମ କରିଛନ୍ତି। ହୀରାକୁଦ ଜଳ ବାଧାପ୍ରାପ୍ତ ହୋଇଛି। ବୌଦ୍ଧ ଚାରିଛକ ପାଖରେ ଏକଦା ଲୋକେ ଡଙ୍ଗାରେ ପାର ହେଉଥିଲେ। ଏବେ ଲୋକ ସେଠାରେ ଚାଲି ଚାଲି ଯାଉଛନ୍ତି। ଗୋଟିଏ ପ୍ରସଙ୍ଗରେ ସାଧାରଣତଃ ଦୁଇଟି ଗୃହ କମିଟି ଗଠନ କରାଯାଇନଥାଏ। ଏ କ୍ଷେତ୍ରରେ କିନ୍ତୁ ସର୍ବଦଳୀୟ ବୈଠକରେ ସହମତି ଆଧାରରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଦୁଇଟି ଗୃହ କମିଟି ଗଠନ କରାଯାଇଥିଲା।

ଶ୍ରୀ ମିଶ୍ର ଆହୁରି କହିଥିଲେ, ସେ ସମୟରେ ଏନଡିଏ ସରକାର ମହାନଦୀ ପ୍ରସଙ୍ଗରେ ଟ୍ରିବ୍ୟୁନାଲ ଗଠନକୁ ବିରୋଧ କରିଥିଲେ। ସରକାରଙ୍କୁ ସୁପ୍ରିମକୋର୍ଟ ଯିବାକୁ ପଡିଥିଲା ଓ କୋର୍ଟଙ୍କ ନିର୍ଦେଶରେ ଏବେ ଏହି ପ୍ରସଙ୍ଗ ବିଚାରାଧୀନ ରହିଛି। ସେ ସମୟରେ ଏକକ ଟ୍ରିବ୍ୟୁନାଲ ଗଠନ ପ୍ରସ୍ତାବକୁ ବିଜେଡି ବିେରାଧ କରିଥିଲା। କିନ୍ତୁ କେଉଁ ପରିସ୍ଥିତିରେ ରାଜ୍ୟ ସରକାର ଏହି ବିଲ୍ ସପକ୍ଷରେ ଭୋଟ ଦେଲେ ଓ ଲୋକସଭା ତଥା ରାଜ୍ୟସଭାରେ ସମର୍ଥନ କଲେ, ତାହା ବୁଝାପଡୁନାହିଁ। ଲୋକଙ୍କ ସ୍ବାର୍ଥ ବିରୋଧରେ ଓ ଗୃହର ନିଷ୍ପତ୍ତି ବିରୋଧରେ ବିଜେଡି ସଂସଦରେ ସମର୍ଥନ ଦେଇଛି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ।

ସେ ଆହୁରି କହିଥିଲେ, ଅତୀତରେ ଜିଏସଟି ବିଲକୁ ବିଜେଡି ସମର୍ଥନ ଦେଲା। ସେତେବେଳେ କୁହାଯାଇଥିଲା ଯେ ଓଡ଼ିଶାକୁ ଅଧିକ ଅର୍ଥ ଆସିବ। କିନ୍ତୁ ଆମେ କହିଥିଲୁ କ୍ଷତି ହେବ। ଏବେ ବୁଲେଇ ବଙ୍କେଇ କହିଲେଣି, ଏହାଦ୍ବାରା ଆର୍ଥିକ କ୍ଷତି ହେବ। ବିମୁଦ୍ରୀକରଣ କ୍ଷେତ୍ରରେ ଏକା କଥା। ପ୍ରଥମେ ସମର୍ଥନ କଲେ, ଲୋକଙ୍କ ଦୁର୍ଦଶା ବଢିବା ପରେ ଏହାକୁ ବିରୋଧ କରାଗଲା। ସୂଚନା ଅଧିକାର ଆଇନ ସେଂଶାଧନ କ୍ଷେତ୍ରରେ ଆଲୋଚନା ବେଳେ ବିେରାଧ କରାଗଲା। କିନ୍ତୁ ଭୋଟିଂ ବେଳେ ସମର୍ଥନ ଦେଲେ। ତିନି ତଲାକ୍ କ୍ଷେତ୍ରରେ ବି ଏକା କଥା। ସଂଖ୍ୟା ନଥିବା ସତ୍ତ୍ବେ କେବଳ ପ୍ରଧାନମନ୍ତ୍ରୀ ଫୋନ କଲେ ବୋଲି ବିଜେପିକୁ ଗୋଟିଏ ଆସନ ରାଜ୍ୟସଭାରେ ଟେକି ଦିଆଗଲା। ଏତେ ସବୁ ଦେଲେ। ହେଲେ ଓଡ଼ିଶାର କେଉଁ ସ୍ବାର୍ଥ ସାଧନ ହେଲା? ଯାହା ରାଜ୍ୟ ସରକାର ମାଗୁଛନ୍ତି ତାହା ମିଳୁନାହିଁ। ରାଜ୍ୟ ସ୍ବାର୍ଥ ହାନି କରି ଏସବୁ ବିଲକୁ କାହିଁକି ସମର୍ଥନ ଦିଆଯାଉଛି?

କଂଗ୍ରେସ ଏହାକୁ ନିନ୍ଦା କରୁଛି ବୋଲି ମନ୍ତବ୍ୟ ରଖି ଶ୍ରୀ ମିଶ୍ର କହିଥିଲେ, ମୁଖ୍ୟମନ୍ତ୍ରୀ ଗୃହରେ ଏ ସଂପର୍କରେ ସ୍ପଷ୍ଟୀକରଣ ଦେବାର ଆବଶ୍ୟକତା ରହିଛି।