ବିନା ପ୍ରଧାନଶିକ୍ଷକରେ ଚାଲିଛି ସ୍କୁଲ । ରାଜ୍ୟରେ ଖାଲି ପଡିଛି ୨୬୦୦ ପାଖାପାଖି ପ୍ରଧାନଶିକ୍ଷକ ପଦବୀ । ବିଧାୟକ ଅମର ଶତପଥୀଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀଙ୍କ ଉତ୍ତର

818

କନକ ବ୍ୟୁରୋ: ବିନା ପ୍ରଧାନଶିକ୍ଷକରେ ଚାଲିଛି ସ୍କୁଲ । ପ୍ରଧାନଶିକ୍ଷକ ପଦବୀ ଖାଲି ପଡିଥିଲେ ବି ସ୍କୁଲ ଚାଲିଛି । ରାଜ୍ୟରେ ମୋଟ ୮୦୭୬ଟି ଉଚ୍ଚ ବିଦ୍ୟାଳୟରେ ୨୫୮୫ଟି ସ୍ଥାୟୀ ପ୍ରଧାନଶିକ୍ଷକ ଖାଲି ରହିଛି । ମାଲି ମକଦମା ଚାଲୁରହିଥିବାରୁ ସେସବୁ ପଦବୀ ପୂରଣ ହୋଇ ପାରୁନାହିଁ ।

ଆଜି ବିଧାନସଭାରେ ପ୍ରଧାନଶିକ୍ଷକ ପଦବୀ ପୂରଣ ନେଇ ବିଧାୟକ ଅମର ଶତପଥୀଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ନ୍ୟାୟଳୟରେ ମାମଲା ପଡିଥିବାରୁ ପଦନ୍ନୋତି ହୋଇପାରୁନି କି ଖାଲି ପଦବୀ ପୂରଣ ହୋଇପାରୁନି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ।

ତେବେ ବିନା ପ୍ରଧାନଶିକ୍ଷକରେ ସ୍କୁଲଗୁଡିକ ଚାଲିପାରୁନି । ଉତ୍ତମ ପରିଚାଳନା ହେଉ ନଥିବାରୁ ସେସବୁ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ମିଳିପାରୁନି । ଭାରପ୍ରାପ୍ତ ଶିକ୍ଷକମାନେ ପ୍ରଧାନଶିକ୍ଷକଙ୍କ ଦାୟିତ୍ୱ ତୁଆଇଲା ବେଳକୁ ଶିକ୍ଷାରେ ଅବହେଲା ହେଉଛି । ତେଣୁ ପ୍ରଧାନଶିକ୍ଷକ ପଦବୀ ପୂରଣ ପାଇଁ ବିଧାୟକ ଅମର ଶତପଥୀ ପ୍ରଶ୍ନ କରିଛନ୍ତି ।

ସେପଟେ ମୋହନ ମାଝୀଙ୍କ ପ୍ରଶ୍ନରେ ଉତ୍ତର ରଖିବାକୁ ଯାଇ ମନ୍ତ୍ରୀ ସମୀର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ସାଙ୍ଘାତିକ ଚିତ୍ର ଦେଇଥିଲେ ।୧୧୫ଟି ବିଦ୍ୟାଳୟର ନିଜସ୍ୱ ଗୃହ ନାହିଁ । ରାଜ୍ୟର ୯୦ଟି ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ନାହିଁ । ବାହାରେ ବସି ପାଠ ପଢ଼ୁଛନ୍ତି ପିଲା । ୩୧୫ଟି ବିଦ୍ୟାଳୟରେ ସର୍ବନିମ୍ନ ସଂଖ୍ୟକ ୧୦ରୁ କମ୍ ପିଲା ପାଠ ପଢ଼ୁଛନ୍ତି । ପ୍ରାୟ ୧୦୪୮ଟି ହାଇସ୍କୁଲରେ କମ୍ପ୍ୟୁଟର ନାହିଁ । ୨୮ଟି କମ୍ପୁଟର ଥିବା ହାଇସ୍କୁଲରେ ବିଦ୍ୟୁତ୍ ସଂଯୋଗ ଥିବାବେଳେ ବିଦ୍ୟୁତ୍ କାର୍ଯ୍ୟକାରୀ ହେଉନାହିଁ । ୨୬୧ଟି ବିଦ୍ୟାଳୟରେ ପାଠାଗାର ନାହିଁ ଓ ୪୭୦ଟି ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକ କାର୍ଯ୍ୟ କରୁଛନ୍ତି ।