କାଲିଠାରୁ ବିଧାନସଭାର ବଜେଟ ଅଧିବେଶନ : ୨୦୧୯ ନିର୍ବାଚନ ପୂର୍ବରୁ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ଆଣିବେ ସରକାର

32

କନକ ବ୍ୟୁରୋ : ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହା ନବୀନ ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ ହୋଇଥିବାରୁ ଆକାର ବଡ ହେବା ଯଥୋଷ୍ଟ ସମ୍ଭାବନା ରହିଛି । ମାର୍ଚ୍ଚ ୨୩ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା । ଚଳିତବର୍ଷ ବଜେଟର ପରିମାଣ ୧ ଲକ୍ଷ ୨୦ ହଜାର କୋଟି ଟଙ୍କା ହୋଇପାରେ ବୋଲି ଅନୁମାନ କରାଯାଉଛି । ଏହି ଅଧିବେଶନ ସମୟରେ ପୂର୍ଣ୍ଣାଙ୍ଗ ବଜେଟକୁ ଅନୁମୋଦନ ମିଳିବା ସମ୍ଭାବନା କମ ଥିବାରୁ ଆଗାମୀ ୨୯ ତାରିଖରେ ଏପ୍ରିଲ ମାସ ପାଇଁ ଏକ କାମଚଳା ଖର୍ଚ୍ଚ ବିଲ ଆଗତ କରାଯାଇପାରେ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ସେପଟେ ବିଧାନସଭାରେ ଏହି ବଜେଟ ଅଧିବେଶନ ବେଶ୍ ସରଗରମ ହେବା ଅନୁମାନ । ବିଧାନସଭାର ବଜେଟ ଅଧିବେଶନ ଆଗାମୀ ୨୦ ତାରିଖରୁ ଆରମ୍ଭ ହୋଇ ଦୁଇଟି ପର୍ଯ୍ୟାୟରେ ମେ’ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଯେଉଁଥିରେ ମୋଟ ୩୧ଟି କାର୍ଯ୍ୟଦିବସ ରହିବ ।

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି, ଚାଷୀ ଓ ଶିକ୍ଷକଙ୍କ ଆନ୍ଦୋଳନ, ସ୍ୱାସ୍ଥ୍ୟ ଓ ନିଯୁକ୍ତି ଆଦି ପ୍ରସଙ୍ଗରେ ଶାସକ ଦଳକୁ ଗୃହରେ ଅଡୁଆରେ ପକାଇ ପାରନ୍ତି ବିରୋଧୀ । ଏଥିପାଇଁ କଂଗ୍ରେସ ତାର ରଣନୀତି ଚୂଡାନ୍ତ କରିସାରିଥିବାବେଳେ ବିଜେପି ଆଜି ବିଧାୟକ ଦଳ ବେଠକ ନୀତି ସ୍ଥିର କରିବ । ବିଜେପୁର ଉପନିର୍ବାଚନ, ମନ୍ତ୍ରୀଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ, ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଗିରଫଦାରି ପ୍ରସଙ୍ଗ ଆଦି ବଜେଟ ଅଧିବେଶନକୁ ବିଗାଡିବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଦଳୀୟ କନ୍ଦଳରେ ଫସିଥିବା ରାଜ୍ୟ କଂଗ୍ରେସ ଅପେକ୍ଷା ଅଧିକ ପ୍ରଭାବୀ ନଜର ଆସିପାରେ ବିଜେପି । ହେଲେ ବିଜେପୁର ବିଜୟ ପରେ ଉତ୍ସାହିତ ଥିବା ବିଜେଡି ଗୃହରେ ବିରୋଧୀଙ୍କ ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିପାରେ । ବିରୋଧୀଙ୍କ ମୁକାବିଲା କରି କିଭଳି ସୁରୁଖୁରୁରେ ଗୃହକାର୍ଯ୍ୟ ସଂପାଦନ ହେବ ସେଥିଲାଗି ଆଜି ବସୁଛି ଶାସକ ବିଜେଡିର ବିଧାୟକ ଦଳ ବୈଠକ । ସୁପ୍ରିମକୋର୍ଟଙ୍କ ଚାପରେ ମହାନଦୀ ଟ୍ରିବ୍ୟୁନାଲ ଗଠନ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବି ଏବଂ ଆନ୍ଧ୍ର ପରି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ମୋଦି ସରକାରଙ୍କୁ ଶାଣିତ ଆକ୍ରମଣ ଜରିଆରେ ବିଜେପିକୁ କାଉଂଟର କରିବାକୁ ରଣନୀତି ତିଆରି କରିପାରେ ବିଡେଡି ।