ସାଙ୍ଘାତିକ ଶ୍ୱେତପତ୍ର ? ଦିନକୁ ୭ ଦୁଷ୍କର୍ମ, ୫ ହତ୍ୟା ପରେ ବି ଶ୍ୱେତପତ୍ରରେ ଶାନ୍ତିର ଚିତ୍ର ଦେଖାଇଲେ ରାଜ୍ୟ ସରକାର

175

କନକ ବ୍ୟୁରୋ: ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ଗୃହ ବିଭାଗର ଶ୍ୱେତପତ୍ର ସମସ୍ତଙ୍କୁ ଚକିତ କରିଛି । ରାଜ୍ୟରେ ପ୍ରତିଦିନ ପ୍ରାୟ ୭ଟି ଦୁଷ୍କର୍ମ ଓ ୫ଟି ହତ୍ୟାକାଣ୍ଡ ଘଟୁଥିବା ଶ୍ୱେତପତ୍ରରେ ଉଲ୍ଲେଖ ରହିଛି । ସେହିପରି ଅପରାଧ ଓ ଲୁଟର ଲମ୍ବା ତାଲିକା ଶ୍ୱେତପତ୍ରରେ ଗୃହ ବିଭାଗ ବିଭାଗ ପ୍ରକାଶ କରିବା ପରେ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ବିରୋଧୀ ।

ଶ୍ୱେତପତ୍ର ଏହି ପରିସଂଖ୍ୟାନ ସରକାରଙ୍କ ଚିନ୍ତା ବଢାଇ ଦେଇଛି । ୨୦୧୮ରେ ୨୫୦୨ଟି ଦୁଷ୍କର୍ମ ଅଭିଯୋଗ ହୋଇଥିବା ବେଳେ ୧୩୭୮ ହତ୍ୟା ଅଭିଯୋଗ ହୋଇଛି । ଆଉ ଏପରି ମାମଲାରେ ଦୋଷୀ ସାବ୍ୟସ୍ତ ହାର ଅତି ନଗଣ୍ୟ । ହତ୍ୟା ଓ ଦୁଷ୍କର୍ମ ଭଳି ସଂଗୀନ ମାମଲାରେ ଚାର୍ଜସିଟ ଦାଖଲ କରିବାରେ ବି ବିଫଳ ହୋଇଛି ପୋଲିସ । ଗୃହ ବିଭାଗର ଶ୍ୱେତପତ୍ରରେ ଏପରି କିଛି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି , ଯାହା ରାଜ୍ୟର ଆଇନଶୃଙ୍ଖଳା ଉପରେ ବଡ଼ ପ୍ରଶ୍ନଚିହ୍ନ ଲଗାଇ ଦେଇଛି ।

ତେବେ ଶ୍ୱେତପତ୍ରରେ ଲୁଣ୍ଠନ ଓ ଡକାୟତିର ଚିତ୍ର ମଧ୍ୟ ଭୟଙ୍କର ରହିଛି । ୨୦୧୮ ରେ ବିଭିନ୍ନ ବ୍ୟାଙ୍କ ଓ ୧୩୪ ବାଣିଜ୍ୟ ପ୍ରତିଷ୍ଠାନରୁ ୨୬ କୋଟିରୁ ଅଧିକ ଟଙ୍କା ଲୁଟ ହେବା ସହ ମୋଟ ୮୦ କୋଟି ଟଙ୍କା ଲୁଟି ନେଇଛନ୍ତି ଅପରାଧୀ । ଯାହା ପୋଲିସ ପ୍ରଶାସନର ବାହାସ୍ଫୋଟକୁ ମାଟିରେ ମିଶାଇ ଦେଇଛି । ୨୦୧୭ରେ ଯେତିକି ଅପରାଧିକ ମାମଲା ଦାୟର ହୋଇଥିଲା, ବର୍ଷକ ମଧ୍ୟରେ ବଢ଼ିଯାଇଛି ଏହାର ସଂଖ୍ୟା । ଦୁଷ୍କର୍ମ, ହତ୍ୟା, ଚୋରି ସଂଖ୍ୟା ଯେମିତି ବଢ଼ିଛି, ସେମିତି ବଢିଛି ଡକାୟତି , ଲୁଟ ତରାଜ, ରାହାଜାନି ଭଳି ଘଟଣା ମଧ୍ୟ ମାତ୍ରାଧିକ ବଢିଛି ।

ସୋମବାର ଦିନ ବିଧାନସଭାରେ ଆଲୋଚନା ହେବ ଗୃହ ବିଭାଗର ଖର୍ଚ୍ଚ ଦାବି । ଆଉ ତାହା ପୂର୍ବରୁ ଆସିଛି ଗୃହ ବିଭାଗର ଶ୍ୱେତଚିତ୍ର । ରାଜ୍ୟରେ ଆଇନଶୃଙ୍ଖଳା ଏକଦମ ବିଗିଡି ଯାଇଥିବା ବେଳେ ଶ୍ୱେତପତ୍ରରେ ସରକାର ଦର୍ଶାଇଛନ୍ତି ୨୦୧୮ ଶାନ୍ତିପୂର୍ଣ୍ଣ ବୋଲି । ତେବେ ନଜର ପକାନ୍ତୁ ଶ୍ୱେତପତ୍ରର ଉଲ୍ଲେଖ ଥିବା ସାଙ୍ଘାତିକ ରିପୋର୍ଟ ଉପରେ । ଶ୍ୱେତପତ୍ରରେ ୧,୩୭୮ଟି ହତ୍ୟା ୨,୫୦୨ଟି ଦୁଷ୍କର୍ମ ମାମମା, ୫୫୮ଟି ଡକାୟତି, ୩,୭୧୩ଟି ସିନ୍ଧି ଚୋରିର ଅଭିଯୋଗ ଆସିଛି । ତେବେ ଏଥି ମଧ୍ୟରୁ ୯,୦୬୯ ଚୋରି ମାମଲା ପଞ୍ଜିକୃତ ହୋଇଥିବା ବେଳେ ୨,୧୨୦ ଦଙ୍ଗା ମାମଲା ପଞ୍ଜିକୃତ ହୋଇଛି ।