ଆଜିଠାରୁ ବିଧାନସଭାର ବଜେଟ ଅଧିବେଶନ ! ଗୃହରେ ବିଜେଡି ଉଠାଇବ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ

20

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେଉଛି ଓଡିଶା ବିଧାନସଭାର ବଜେଟ୍‌ ଅଧିବେଶନ । ମେ’ ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ ଦୁଇ ପର୍ଯ୍ୟାୟରେ ହେବ, ଯେଉଁଥିରେ ମୋଟ ୩୧ଟି କାର୍ଯ୍ୟ ଦିବସ ରହିଛି । ଆଜି ଗୃହରେ ବିଜେଡି  ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇବ ।  କୁନ୍ଦୁଲି ଗଣଦୁଷ୍କର୍ମ ଓ ଆଇନ ଶୃଙ୍ଖଳାକୁ ମୁଖ୍ୟ ପ୍ରସଙ୍ଗ କରିବ ବିଜେପି । କାର୍ଯ୍ୟସୂଚୀ ଅନୁଯାୟୀ ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ରାଜ୍ୟପାଳ ଡ. ଏସ୍‌ ସି ଜମିର୍‌ ଅଭିଭାଷଣ ରଖିବେ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରାଯିବ । ଏହା ଉପରେ ଦୁଇ ଦିନ ଧରି ଗୃହରେ ଆଲୋଚନା ହେବ। ଆଲୋଚନା ଶେଷରେ ଏହି ପ୍ରସ୍ତାବକୁ ଗୃହ ଅନୁମୋଦନ ଦେବ ।

୨୩ ତାରିଖ ଦିନ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ଚିଠା ବଜେଟ୍‌ ଆଗତ କରିବେ । ମାର୍ଚ୍ଚ ୩୧ ତାରିଖରେ ମାସକ ପାଇଁ କାମଚଳା ବଜେଟ୍‌କୁ ଗୃହ ପାରିତ କରିବ । ଏପ୍ରିଲ ପହିଲାରୁ ୧୦ ତାରିଖ ପର୍ଯ୍ୟନ୍ତ ବିଧାନସଭାର କାର୍ଯ୍ୟଦିବସ ସ୍ଥଗିତ ରହିବ । ଏହି ସମୟ ମଧ୍ୟରେ ବିଭିନ୍ନ ବିଭାଗ ପାଇଁ ଥିବା ବିଧାନସଭାର ସ୍ଥାୟୀ କମିଟି ବଜେଟ୍‌ର ତର୍ଜମା କରିବେ ।

ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଏପ୍ରିଲ୍‌ ୧୧ତାରିଖରୁ ଆରମ୍ଭ ହେବ। ସେହିଦିନ ବିଧାନସଭାରେ ବିଭାଗଓ୍ଵାରି ସ୍ଥାୟୀ କମିଟି ରିପୋର୍ଟ ଉପସ୍ଥାପିତ ହେବ । ଏପ୍ରିଲ୍‌ ୧୨ ରୁ ୨୮ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ବିସ୍ତତ ଆଲୋଚନା ଲାଗି ଦିନ ଧାର୍ଯ୍ୟ ହୋଇଛି । ଏପ୍ରିଲ ୩୦ ତାରିଖରେ ବ୍ୟୟମଞ୍ଜୁରି ବିଲ୍‌ ବିଧାନସଭାର ଅନୁମୋଦନ ଲାଗି ଆସିବ । ଏହି ଅଧିବେଶନ କାଳରେ ମୋଟ ୩ ଦିନ ବେସରକାରୀ ସଦସ୍ୟ ଦିବସ ରଖାଯାଇଛି । ସେହିଭଳି ୪ ଦିନ ସରକାରୀ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ରହିଛି । ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୨୦ରୁ ୩୧ ତାରିଖ ପର୍ଯ୍ୟନ୍ତ ୧୦ଟି କାର୍ଯ୍ୟଦିବସ ଥିବାବେଳେ ଏପ୍ରିଲ୍‌ ୧୧ରୁ ମଇ ୫ତାରିଖ ପର୍ଯ୍ୟନ୍ତ ୨୧ଟି କାର୍ଯ୍ୟ ଦିବସ ରହିଛି ।