ବିଜେପି ବିଧାୟକଙ୍କ ବିବାଦୀୟ ବୟାନ: ବିଷ୍ଣୁ ସେଠୀ କହିଲେ, ଛାଡ଼ପତ୍ର ପରେ ମୁମ୍ବାଇ ଓ କୋଲକାତାରେ ଦେହ ବ୍ୟବସାୟ କରନ୍ତି ମୁସଲିମ୍ ମହିଳା

ନେତାଙ୍କ ବୟାନକୁ ନେଇ ବିଧାନସଭାରେ ଝଡ଼; କଂଗ୍ରେସ ଦାବି କଲା, କ୍ଷମା ମାଗନ୍ତୁ ବିଷ୍ଣୁ

321

କନକ ବ୍ୟୁରୋ: ବିଜେପି ବିଧାୟକ ତଥା ବିରୋଧ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ବୟାନକୁ ନେଇ ଆଜି ବିଧାନସଭାରେ ଝଡ ଉଠିଛି । ତିନି ତଲାକ୍ ବିଲକୁ କଂଗ୍ରେସ ବିରୋଧ କରିବା ପ୍ରସଙ୍ଗରେ ଗୃହରେ ଜବାବ ରଖୁଥିଲେ ବିଷ୍ଣୁ ସେଠୀ । ଆଉ କହିଲେ, ମୁସଲିମ୍ ପରିବାରରେ ଛାଡପତ୍ର ଯୋଗୁଁ ସ୍ତ୍ରୀ ଲୋକମାନେ ରେଡ୍ ଲାଇଟ୍ ଏରିଆରେ ବେଶ୍ୟାବୃତି କରୁଛନ୍ତି । ଏହି ବୟାନକୁ ନେଇ ବିଧାନସଭାରେ ହଙ୍ଗାମା ହୋଇଥିଲା ।

କଂଗ୍ରେସ ଏହାକୁ ଜୋରଦାର ବିରୋଧ କରି କ୍ଷମାପ୍ରାର୍ଥନା ଦାବି କରିଥିଲା ଏବଂ କଂଗ୍ରେସ ସଦସ୍ୟଙ୍କ ସହ ସ୍ୱର ମିଳାଇଥିଲେ ବିଜେଡି ବିଧାୟକ । ଏହାକୁ ନେଇ ଆଜି ଦିନତମାମ ଗୃହ ସୁରୁଖୁରୁରେ ଚାଲିପାରିନଥିଲା । ଏହାପରେ ଗୃହ ବାହାରେ ଆସି ଗଣମାଧ୍ୟମକୁ କହିଥିଲେ, ସେ କୌଣସି ସମ୍ପ୍ରଦାୟକୁ ଆକ୍ଷେପ କରିନିଥିଲେ, ବିଭିନ୍ନ ରିପୋର୍ଟକୁ ଆଧାର କରି ମତ ରଖିଥିଲେ । ତେବେ ବିଧାନସଭାରେ ବିରୋଧୀ ଦଳ ଉପନେତାଙ୍କ ଏଭଳି ବୟାନ, ବଡ ଧରଣର ବିବାଦ ସୃଷ୍ଟି କରିଛି । ତିନି ତଲାକ ଓ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ନେଇ ବିଧାୟକ ବିଷ୍ଣୁ ସେଠୀ, ମୁସଲିମ୍ ମହିଳାଙ୍କ ଯେଉଁ ଉଦାହରଣ ରଖିଛନ୍ତି, ତାକୁ ନେଇ ଗୃହରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ହେଲେ, ଟିଭି, ରେଡିଓ ଓ ମାଗାଜିନର ଉଦାହରଣ ଦେଇ ନିଜ ଯୁକ୍ତି ରଖିଛନ୍ତି ବିଜେପି ବିଧାୟକ ।

ତିନି ଦିନ ତଳେ ରାଜ୍ୟସଭାରେ ପାରିତ ହୋଇଥିଲା ତିନି ତଲାକ୍ ବିଲ୍ । ରାଜ୍ୟସଭାରେ ଏହି ବିଲକୁ ବିଜେଡି ସମର୍ଥନ ଜଣାଇଥିଲା । ବିଜେପି-ବିଜେଡି ମଧ୍ୟରେ ସମର୍ଥନ ସମ୍ପର୍କ ନେଇ ବାରମ୍ବାର ପ୍ରଶ୍ନ ଉଠାଉଛି କଂଗ୍ରେସ । ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିବାକୁ ଯାଇ ଗୃହରେ ନିଜ ମତ ରଖିଥିଲେ ବିରୋଧୀ ଦଳ ଉପନେତା । ତେବେ ବିଜେପି ବିଧାୟକଙ୍କ ବିବାଦୀୟ ବୟାନକୁ ନେଇ ବାରମ୍ବାର ହଟ୍ଟୋଗଳ ପାଇଁ ବାରମ୍ବାର ଗୃହ ମୁଲତବୀ ରହିଥିଲା ।