ମହାରଥୀଙ୍କ ସମ୍ବିଧାନ ଜ୍ଞାନ ! ବିଧାନସଭାରେ ସମ୍ବିଧାନର ଧାରା ଭୁଲ କହି ହଟହଟା ହେଲେ ମନ୍ତ୍ରୀ ପ୍ରଦୀପ ମହାରଥୀ

27

କନକ ବ୍ୟୁରୋ : ସମ୍ବିଧାନର ଧାରାକୁ ଭୁଲ ଭାବରେ ବଖାଣି ଆଜି ବିଧାନସଭାରେ ହଟହଟା ହୋଇଛନ୍ତି ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ । ଆଦିବାସୀ ଓ ଗ୍ରାମସଭା ସମ୍ପର୍କୀତ ଏକ ପ୍ରଶ୍ନର ଉତରରେ ମନ୍ତ୍ରୀ ମହାରଥୀ ଯେଉଁ ଆଇନ ଓ ବିଧି ବ୍ୟବସ୍ଥାର କଥା କହିଲେ ସେଭଳି କିଛି ଆଇନ୍ ଭାରତୀୟ ସମ୍ବିଧାନରେ ହିଁ ନାହିଁ । ଯାହାକୁ ନେଇ ପ୍ରଶ୍ନ ପଚାରିଥିବା କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀ ଓ ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ମୁହାଁମୁହିଁ ହୋଇଥିଲେ ।

ଆଦିବାସୀ ଅଧୁଷିତ ଅଂଚଳରେ ଗ୍ରାମସଭାର ନିୟମରେ ସଂଶୋଧନକୁ ନେଇ ପ୍ରଦୀପ ମହାରଥୀ କହୁଛନ୍ତି ସମ୍ବିଧାନର ଧାରା ୪୦ ଦଶମିକ ୨୪୩ରେ ଏନେଇ ବ୍ୟବସ୍ଥା ରହିଛି । ବାସ୍ ମହାରଥୀଙ୍କ ଏପଦେ କଥା ମନ୍ତ୍ରୀଙ୍କୁ ଘେରିବାକୁ ବିଧାନସଭାରେ ବିରୋଧୀଙ୍କୁ ଏକ ବଡ ସୁଯୋଗ ଦେଇଦେଲା । କାରଣ ସମ୍ବିଧାନର ୪୦ ଦଶମିକ ୨୪୩ ବୋଲି କୌଣସି ଧାରା ନାହିଁ ।

ତେବେ ଏତିକିରେ କଥା ସରି ନଥିଲା । ମନ୍ତ୍ରୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ଗୃହରେ ଠିକ ଉତ୍ତର ରଖିବାକୁ ଦାବି କରିଥିଲେ କଂଗ୍ରେସ ବିଧାୟକ । ସ୍ଥିତି ଏମିତି ହୋଇଥିଲା ଯେ ମନ୍ତ୍ରୀ ପ୍ରଦୀପ ମହାରଥୀ ଓ କଂଗ୍ରେସ ସଭ୍ୟ ପ୍ରଫୁଲ୍ଲ ମାଝିଙ୍କୁ ଶାନ୍ତ କରିବାକୁ ବାଚସ୍ପତିଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା ।

ଆଜିଗୃହରେ ମହାରଥୀଙ୍କ ପାଇଁ ସମସ୍ୟା ଏତିକିରେ ସରିନଥିଲା । ଆଦିବାସୀ ଅଂଚଳ ବିଜେପି ବିଧାୟକଙ୍କ ବେଶପୋଷାକକୁ ନେଇ କମେଂଟ କରିଥିଲେ ମହାରଥୀ । ଆଉ ଏହାପରେ ମନ୍ତ୍ରୀ ଠିକ ଭାବେ ଉତ୍ତର ରଖୁନଥିବା ଅଭିଯୋଗରେ ବିରୋଧୀ ସଭ୍ୟମାନେ ଜୋରଦାର ହଙ୍ଗାମା କରିଥିଲେ ।ଯେଉଁଥିପାଇଁ ଅଧାରୁ ପ୍ରଶ୍ନକାଳ ବନ୍ଦ ହୋଇଯାଇଥିଲା ।ଆଉ ବାଚସ୍ପତି ୧୨ଟା  ପାଇଁ ବିଧାନସଭା କାର୍ଯ୍ୟକାଳକୁ ମୁଲତବୀ ଘୋଷଣା କରିଥିଲେ ।