ମୟୁରଭଞ୍ଜ : ୩ ବର୍ଷ ହେଲା ଶୌଚାଳୟରେ ଶରଣ ନେଇଛନ୍ତି ୭୨ ବର୍ଷୀୟା ଦୌପଦୀ , ଦ୍ୱୀପ ତଳ ଅନ୍ଧାର ପରି ସରକାରୀ ଯୋଜନା ପାଲଟିଛି ସାତସପନ ।

402

କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର ପାଇଁ ଖଞ୍ଜି ରଖିଛନ୍ତି ଯୋଜନା ପରେ ଯୋଜନା । ମାତ୍ର ଯୋଜନା ଯୋଜନା ବାଟରେ । ଏମିତିକି ରାଜ୍ୟ ସରକାରଙ୍କ ୫ଟି ମନ୍ତ୍ର ପରେ ବି ସ୍ଥିତିରେ ସୁଧାର ଆସିନି । ସରକାରୀ ଯୋଜନାର ଫାଇଦା ସିଧାସଳଖ ଭାବେ ହୀତାଧିକାରୀମାନଙ୍କ ନିକଟରେ ପହଞ୍ଚି ପାରୁନାହିଁ । ଏପଟେ ନିଘୋଡ ନିଦରେ ଅଛନ୍ତି ପ୍ରଶାସନ ଅଧିକାରୀ । ଯାହାର ଜ୍ୱଳନ୍ତ ଉଦାହରଣ ମୟୁରଭଞ୍ଜରେ ଦେଖିବାକୁ ମିଳିଛି । ମୟୁରଭଞ୍ଜରେ ଏଭଳି ଏକ ପରିବାର ଅଛନ୍ତି ଯେଉଁମାନେ ଆଜି ବି ଦିଓଳା ଦିମୁଠା ଖାଇବାକୁ ପାଉନାହାନ୍ତି । ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ବି ନାହିଁ । ମୌଳିକ ଅଧିକାରରୁ ବଞ୍ଚିତ ଏମାନଙ୍କ ପାଇଁ ସରକାରୀ ଯୋଜନା ସାତସପନ ।

ସୂଚନାନୁସାରେ, ମୟୁରଭଞ୍ଜ ଜିଲ୍ଲାରେ ଜଣେ ଆଦିବାସୀ ବିଧବା ମହିଳା ୩ ବର୍ଷ ହେବ ଶୌଚାଳୟରେ ନିଜ ପରିବାର ସହିତ ଜୀବନ ବିତାଉଛନ୍ତି । ୭୨ ବର୍ଷୀୟା ଦୌପଦୀ ବେହେରା ରାଜ୍ୟ ସରକାରଙ୍କ ଆବାସ ଯୋଜନା ପାଇ ନଥିବା କାରଣରୁ ନିଜ ନାତି ଓ ଝିଅ ସହିତ ଶୌଚାଳୟରେ ବସବାସ କରୁଛନ୍ତି । ସେଠାରେ ରୋଷେଇ କରି ଖାଉଛନ୍ତି ଓ ଶୋଉଛନ୍ତି । ମହିଳାଙ୍କ ପୁରା ପରିବାର ବାହାରେ ଶୁଅନ୍ତି । କନିକା ଗ୍ରାମ ପ୍ରଶାସନ ଦ୍ୱାରା ଶୌଚାଳୟ ନିର୍ମାଣ କରାଯାଇଛି । ମହିଳା ଜଣଙ୍କ ବରିଷ୍ଠ ଅଧିକାରୀଙ୍କୁ ଏହି ଘଟଣା ସମ୍ପର୍କରେ ଜଣାଇଥିଲେ । ଯାହାପରେ ଅଧିକାରୀ ଜଣଙ୍କ ଘର ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ମହିଳାଙ୍କ ପାଖରେ ବର୍ତ୍ତମାନ ସୁଦ୍ଧା କୌଣସି ସରକାରୀ ସହାୟତା ପହଞ୍ଚି ପାରିନି । ସେ ବର୍ତ୍ତମାନ ପର୍ଯ୍ୟନ୍ତ ଘର ପାଇବା ଆଶାରେ ଅଛନ୍ତି । କେଉଁଦିନ ତାଙ୍କୁ ଘର ଖଣ୍ଡିଏ ମିଳିବ । ଅନ୍ୟ ପକ୍ଷରେ ଗାଁର ସରପଞ୍ଚ ବୁଦ୍ଧିରାମଙ୍କ କହିବା ମୁତାବକ, ଯଦି କୌଣସି ସରକାରୀ ଯୋଜନା ମିଳିପାରନ୍ତା ତାହାଲେ ଏହି ପରିବାର ଉପକୃତ ହୁଅନ୍ତେ ।

ଜୁଲାଇ ମାସରେ ଏଭଳି ଏକ ଅଭାବନୀୟ ଘଟଣା ସାମନାକୁ ଆସିଥିଲା । ଯେଉଁଥିରେ ଏକ ବିଧବା ମହିଳା ତାଙ୍କ ଚାରି ଛୁଆଙ୍କ ସହ ସ୍ୱଚ୍ଛ ଭାରତ ମିଶନରେ ନିର୍ମାଣ ହୋଇଥିବା ଶୌଚାଳୟରେ ବସବାସ କରଥିଲେ । ମହିଳା ଜଣଙ୍କ କେନ୍ଦୁଝର ବ୍ଲକ ଅନ୍ତର୍ଗତ ରାଙ୍କି ଗାଁରେ ଏକ ଶୌଚାଳୟରେ ଜୀବନ କାଟୁଥିଲେ । ସ୍ୱାମୀଙ୍କ ମୃତ୍ୟୁ ପରେ ସେ ତାଙ୍କର ଚାରି ଝିଅଙ୍କ ସହ ଶୌଚାଳୟରେ ଶରଣ ନେଇଥିଲେ ।