ମଦ୍ୟପାନରେ ଜାତୀୟହାରକୁ ଟପିଲା ଓଡିଶା

30

କନକ ବ୍ୟୁରୋ : ଜାତୀୟ ହାର ତୁଳନାରେ ଓଡ଼ିଶାରେ ମଦ୍ୟପଙ୍କ ହାର ଅଧିକ । ଏ କ୍ଷେତ୍ରରେ ବିହାରକୁ ମଧ୍ୟ ଟପିଯାଇଛି ଓଡ଼ିଶା । ବୟସ ନିର୍ବିଶେଷରେ ଓଡ଼ିଶାର ଅଧିକ ଲୋକ ମଦ୍ୟପାନ କରୁଥିବା ଜଣାପଡ଼ିଛି । ଜନସଂଖ୍ୟା ପଂଜୀକରଣ ମହାନିର୍ଦେଶକଙ୍କ ଏଭଳି ତଥ୍ୟ ଚିନ୍ତାର ବିଷୟ ହୋଇଛି ।

୨୦୧୪ ମସିହା ହୋଇଥିବା ଗଣନାରୁ ସ୍ପଷ୍ଟ ହୋଇଛି ଯେ ଓଡ଼ିଶା ମଦ୍ୟପାନରେ ଜାତୀୟ ହାରକୁ ଟପିଯାଇଛି । ଜାତୀୟ ସ୍ତରରେ ୩୦ ବର୍ଷରୁ ଅଧିକ ବୟସର ପୁରୁଷଙ୍କ ମଧ୍ୟରେ ମାତ୍ର ୧୩.୩ ପ୍ରତିଶତ ପୁରୁଷ ମଦ୍ୟପାନ କରୁଥିବା ବେଳେ ଓଡ଼ିଶାରେ ଏହି ହାର ରହିଛି ୧୭.୫ ପ୍ରତିଶତ । ଅର୍ଥାତ୍ ପ୍ରାୟ ୪.୨ ପ୍ରତିଶତ ଅଧିକ । ସେହିଭଳି ମହିଳାଙ୍କ କ୍ଷେତ୍ରରେ ବି ଏହି ହାର ୦.୩ ପ୍ରତିଶତ ଅଧିକ ଥିବା ଦେଖାଯାଇଛି ।

ଓଡ଼ିଶାରେ ମଦକୁ ସମ୍ପୂର୍ଣ୍ଣ ନିଷେଧ କଲେ ବଡ଼ ଧରଣର ରାଜସ୍ୱ କ୍ଷତି ହେବ ନାହିଁ । ମାତ୍ର ଏହି ପଦକ୍ଷେପ ବାସ୍ତବବାଦୀ ନୁହେଁ ବୋଲି ବାରମ୍ବାର ରାଜ୍ୟ ସରକାର କହିଆସିଛନ୍ତି । ଏହି କାରଣରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଦ୍ୱାରା ୧୯୫୬ ମସିହାରେ ପ୍ରଣୟନ ହୋଇଥିବା ଓଡ଼ିଶା ନିବାରଣ ଆଇନ କାର୍ଯ୍ୟକାରୀ କରାଯାଉନାହିଁ ।

ଏବେ ପ୍ରଶ୍ନ ଉଠୁଛି, ଓଡ଼ିଶା ସରକାର ନିଶାର ପ୍ରସାର କରାଇ ରାଜ୍ୟର ଉନ୍ନତି କରିପାରିବେ କି? ଅପରାଧ ଓ ସାମାଜିକ ବୈଷମ୍ୟ ଦୂର କରିପାରିବେ କି?