ଚଳନ୍ତା ଟ୍ରେନରେ ଓଡ଼ିଆ ଯୁବତୀଙ୍କୁ ଅସଦାଚରଣ । ଚିତ୍କାର ଶୁଣି ଟ୍ରେନରୁ ଡେଇଁଲା ଅଭିଯୁକ୍ତ

52

କନକ ବ୍ୟୁରୋ : ଚଳନ୍ତା ଟ୍ରେନରେ ଜଣେ ଓଡ଼ିଆ ଯୁବତୀଙ୍କୁ ମୁମ୍ବାଇରେ ଅସଦାଚରଣ । ଏ ନେଇ ସଂପୃକ୍ତ ଯୁବତୀ ଜଣକ ଟ୍ୱିଟ କରିବା ପରେ ମୁମ୍ବାଇ ପୁଲିସ କମିସନର ଥାନେ ରେଳବାଇ ଥାନାକୁ ମାମଲା ରୁଜୁ କରିବାକୁ ନିର୍ଦେଶ ଦେଇଛନ୍ତି। ରେଳବାଇ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଯୁବତୀଙ୍କ ବାପାଙ୍କ ସୂଚନା ଅନୁଯାୟୀ ଗତ ୨୬ ତାରିଖରେ ତାଙ୍କର ଦୁଇ ଝିଅ କୋଣାର୍କ ଏକ୍ସପ୍ରେସର ଦ୍ୱିତୀୟ ଶ୍ରେଣୀ ଏସି ବଗିର ବି-୧ କୋଚରେ ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିଲେ। ୨୮ତାରିଖ (ରବିବାର) ରାତି ପ୍ରାୟ ତିନିଟା ସମୟରେ କୋଣାର୍କ ଏକ୍ସପ୍ରେସ ଥାନେ ଷ୍ଟେସନରେ ପହଞ୍ଚିଥିଲା। ଏହି ସମୟରେ କିଛି ଯାତ୍ରୀ ଟ୍ରେନରୁ ଓହ୍ଲାଉଥିବା ବେଳେ ପ୍ଲାଟଫର୍ମରେ କିଛି ଲୋକ ଠିଆ ହୋଇଥିଲେ। ପ୍ଲାଟଫର୍ମରୁ ଜଣେ ବ୍ୟକ୍ତି ଏହି ସମୟରେ ଟ୍ରେନ ମଧ୍ୟକୁ ପଶି ଆସିଥିଲେ। ଆଉ ଦାନ୍ତ ଘଷିବା ପାଇଁ ଯୁବତୀ ଜଣଙ୍କ ଓ୍ଵାସବେସିନ ନିକଟକୁ ଯାଇଥିବା ବେଳେ ତାଙ୍କ ସହିତ ଅସଦାଚରଣ ଉଦ୍ୟମ କରିଥିଲେ। ଉକ୍ତ ବ୍ୟକ୍ତିର ମନ୍ଦ ଉଦ୍ଦେଶ୍ୟ ସମ୍ପର୍କରେ ଅନୁମାନ କରି ଯୁବତୀ ଜଣଙ୍କ ସାହାଯ୍ୟ ପାଇଁ ତାଙ୍କ ଭଉଣୀକୁ ପାଟି କରି ଡାକିଥିଲେ। ତେବେ ବଗି ଭିତରେ ଥିବାରୁ ସେ ଏହା ଶୁଣି ପାରିନଥିଲେ।

ମାତ୍ର ନିକଟରେ ବସିଥିବା ଏକ ପରିବାର ଏହି ଚିତ୍କାର ଶୁଣି ତାଙ୍କ ନିକଟରେ ପହଞ୍ଚିଥିଲେ। ଏହା ଦେଖି ଅଭିଯୁକ୍ତ ଜଣଙ୍କ ଚଳନ୍ତା ଟ୍ରେନରୁ ଡେଇଁ ଫେରାର ହୋଇଯାଇଥିଲା। ପରେ ଏହି ଅଘଟଣ ସମ୍ପର୍କରେ ଯୁବତୀ ଜଣଙ୍କ ଟୁଇଟର ମାଧ୍ୟମରେ ସୂଚନା ଦେଇଥିଲେ। ଏହି ସୂଚନାକୁ ଆଧାର କରି ମୁମ୍ବାଇ ପୁଲିସ କମିଶନର ତାଙ୍କୁ ଯୋଗାଯୋଗ କରିଥିଲେ। ଥାନେ ଜିଆରପି ଷ୍ଟେସନରେ ଏନେଇ ମାମଲା ରୁଜୁ ହୋଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି। ତେବେ ଏହି ଘଟଣା ମହିଳା ରେଳଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି।