ଓଡିଆଙ୍କ ପାଇଁ ବିଶ୍ୱବିଦ୍ୟାଳୟ । ୧୦୯ ବର୍ଷ ପରେ ସରକାର ଗଢିବେ ଓଡିଆ ବିଶ୍ୱବିଦ୍ୟାଳୟ। ଆଜି ସତ୍ୟବାଦୀର ବକୁଳ ବନରେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

71

କନକ ବ୍ୟୁରୋ: ପଂଚସଖାଙ୍କ କର୍ମଭୂମି ସତ୍ୟବାଦୀର ବକୁଳ ବନରେ ପ୍ରତିଷ୍ଠା ହେବ ଓଡିଆ ବିଶ୍ୱବିଦ୍ୟାଳୟ । ଆଜି ବିଶ୍ୱବିଦ୍ୟାଳୟର ଭିତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଂଚସଖାଙ୍କ ସମାଧି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ବକୁଳ ବନରେ ୩୦ ଜିଲ୍ଲାରୁ ଆସିଥିବା ବକୁଳ ଗଛ ରୋପଣ କରିବେ ନବୀନ । ଏହି ଐତିହାସିକ କାର୍ଯ୍ୟକ୍ରମରେ ସାମିଲ ହେବେ ହଜାର ହଜାର ଲୋକ । ଏଥିପାଇଁ ବ୍ୟାପକ ବନ୍ଦୋବସ୍ତ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ଜିଲ୍ଲା ପ୍ରଶାସନ । ୧୯୦୯ ରେ ପଂଚସଖା ଗଢ଼ିଥିଲେ ବକୁଳ ବନ ବିଦ୍ୟାଳୟ, ଆଉ ୧୦୯ ବର୍ଷ ପରେ ସେହି ସ୍ଥାନରେ ହେବାକୁ ଯାଉଛି ଓଡ଼ିଆ ବିଶ୍ୱବିଦ୍ୟାଳୟ । ଏହି ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷାର ପ୍ରସାର, ପ୍ରଚାର ସହ ଉଚ୍ଚତର ଗବେଷଣା ପାଇଁ କାର୍ଯ୍ୟ କରିବ ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ଆଜି ସକାଳ ସାଢ଼େ ୧୦ଟାରେ ନବୀନ ନିବାସ ଛାଡ଼ିବେ। ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୧ତମ ଜନ୍ମ ଜୟନ୍ତୀ ଥିବାରୁ ମୁଖ୍ୟମନ୍ତ୍ରୀ ୧୦ଟା ୪୫ରେ ବିଧାନସଭାରେ ପହଞ୍ଚି ସ୍ବର୍ଗତ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ। ୧୦ଟା ୪୫ରେ ବିଧାନସଭା ଛାଡ଼ି ପୂର୍ବାହ୍ଣ ସାଢ଼େ ୧୧ଟାରେ ପଞ୍ଚସଖା ସମାଧି ପୀଠରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ୧୧ଟା ୩୫ରେ ପଞ୍ଚସଖାଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପରେ ୧୧ଟା ୪୫ରେ ବକୁଳବନ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେବେ।

୩୦ଟି ଜିଲ୍ଲାରୁ ଆସିଥିବା ପବିତ୍ର ଜଳ ଓ ମାଟିରେ ବୃକ୍ଷରୋପଣ ପରେ ପୂର୍ବାହ୍ଣ ୧୧ଟା୫୨ରେ ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ଆୟୋଜିତ ଭିତ୍ତିପ୍ରସ୍ତର ସଭାରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏ ସଂପର୍କରେ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ କହିଛନ୍ତି, ରାଜ୍ୟର ୩୦ ଜିଲ୍ଲାରୁ ପବିତ୍ର ମାଟି ଓ ପାଣି ବକୁଳବନରେ ପହଞ୍ଚି ସାରିଛି। ମୁଖ୍ୟମନ୍ତ୍ରୀ ପ୍ରଥମେ ସମାଧି ପୀଠରେ ପୁଷ୍ପମାଲ୍ୟ ଅର୍ପଣ ପରେ ବକୁଳବନକୁ ୩୦ ଜିଲ୍ଲାରୁ ଆସିଥିବା ପବିତ୍ର ଜଳ ଓ ମାଟିରେ ବୃକ୍ଷରୋପଣ କରିବେ। ପରେ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ଆରମ୍ଭ ହେବ।