ଓଡ଼ିଆ ଯୁବ ଇଞ୍ଜିନିୟରଙ୍କ ନୂଆ ଉଦ୍ଭାବନ ! ମାତ୍ର ୫୦ ହଜାର ଟଙ୍କାରେ ତିଆରି ହେଲା କାର୍, ପଲସର ବାଇକ ଇଞ୍ଜିନରେ କାର ବନାଇଲେ ପଲିଟେକନିକର ଛାତ୍ରଛାତ୍ରୀ

35

କନକ ବ୍ୟୁରୋ : ମାତ୍ର ୫୦ ହଜାର ଟଙ୍କାରେ ତିଆରି ହୋଇଛି କାର । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ବଲାଙ୍ଗୀର ପଲିଟେକନିକର କିଛି ଛାତ୍ର ଓ ପୂର୍ବତନ ଛାତ୍ରଙ୍କ ସମେତ ଅଧ୍ୟାପକଙ୍କ ସହଯୋଗରେ ତିଆରି ହୋଇଛି ଏମିତି ଏକ କାର । ସବୁଠାରୁ ବଡ କଥା ହେଉଛି ଏକ ପଲସର ବାଇକର ଇଞ୍ଜିନକୁ ବ୍ୟବହାର କରି ଏହି କାରର ନିର୍ମାଣ ହୋଇଛି । ଏହା ସହ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୈାଶଳରେ ଏହି ଚାରି ଚକିଆ ଯାନ ତିଆରି କରିଛନ୍ତି ବଲାଙ୍ଗୀରର କିଛି ଯୁବ ଇଞ୍ଜିନିୟର ।

ଶୋଲେ ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଥିବା ମୋଟର ସାଇକେଲ ଗାଡି ୭୦ ଦଶକରେ ବେଶ ଚର୍ଚ୍ଚା ସାଉଁଟିଥିଲା । ଏକ ମୋଟର ସାଇକେଲକୁ ବ୍ୟବହାର କରି କାରର ଆକୃତି ଦିଆଯାଇଥିଲା । ଏଭଳି କାରର ବଲିଉଡର ଅନେକ ଫିଲ୍ମରେ ଦେଖିବାକୁ ମିଳିଥିଲା । ହେଲେ ଏବେ ବଲାଙ୍ଗୀର ଜିଲ୍ଲା ସଦର ମହକୁମାର ରାସ୍ତାରେ ଏମିତିକି ଏକ ଗାଡି ଚର୍ଚ୍ଚା ସୃଷ୍ଟି କରିଛି ।ଶୋଲେର ଜୟ ଓ ଭୀରୁଙ୍କ ପରି ବଲାଙ୍ଗୀର ରାସ୍ତାରେ ସିର୍ଦ୍ଧାର୍ଥ ଓ ରାହୁଲଙ୍କ ଗାଡି ଏବେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି । ନିଜସ୍ୱ ଜ୍ଞାନକୈାଶଳରେ ସେମାନେ ଦେଶୀ କାରର ନିର୍ମାଣ କରିଛନ୍ତି ।

ବଲାଙ୍ଗୀର ପଲିଟେକନିକର ୩୩ଜଣ ଛାତ୍ରଛାତ୍ରୀ ମିଶି ଏଭଳି ଏକ ଦେଶୀ କାରର ଉଦ୍ଭାବନ କରିଛନ୍ତି ଯାହା ଏବେ ତାଙ୍କୁ ଚର୍ଚ୍ଚାର ପରିସରକୁ ଟାଣି ଆଣିଛି । ଗୋଟିଏ ପଲସର ବାଇକର ୧୫୦ ସିସି ଇଞ୍ଜିନକୁ ବ୍ୟବହାର କରି ଏହି କାରର ନିର୍ମାଣ ହୋଇଛି । ଏହାସହ କାରର ଚକ ଗୁଡିକୁ ଚେନ ଜରିଆରେ ଇଞ୍ଜିନ ସହ ଯୋଡା ଯାଇଛି । ସମ୍ପୂର୍ଣ୍ଣ ଲୁହା ଏଙ୍ଗେଲରେ ତିଆରି ଏହି କାରରେ ଦୁଇ ଜଣ ବସିବାର ବ୍ୟବସ୍ଥା ରହିଛି ।
ତେବେ ଏହି ଦେଶୀ କାରରେ କଣ ସବୁ ବ୍ୟବସ୍ଥା ରହିଛି । କାରଟି ପେଟ୍ରୋଲ ଦ୍ୱାରା ପରିଚାଳିତ ହେଉଛି । କାରରେ ରହିଛି ୫ଟି ଗିୟର । ଟ୍ରାଫିକ ରୁଟରେ ଚଳାଚଳ ପାଇଁ ଇଣ୍ଡିକେଟର ଓ ଲାଇଟର ବ୍ୟବସ୍ଥା ରହିଛି । ଏହି କାରଟି ଘଂଟା ପ୍ରତି ୪୫ କି.ମି. ବେଗରେ ଗତି କରିପାରିବ । ଏହି କାରର ମୁଖ୍ୟ ନିର୍ମାତା ଇଞ୍ଜିନିୟର ସିଦ୍ଧାର୍ଥ ଓ ରାହୁଲ ପୂର୍ବରୁ ନିଜ ଜ୍ଞାନକୈାଶଳରେ ଏକ ବାଇକର ନିର୍ମାଣ କରିସାରିଥିବା ବେଳେ ଏବେ ଏହି କାର ତିଆରି କରିଛନ୍ତି । ତେବେ ଆଗକୁ ପ୍ରୋତ୍ସାହନ ମଳିିଲେ ସେମାନେ ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଏଭଳି କାର ନିର୍ମାଣ କରିବାର ଲକ୍ଷ୍ୟ ରଖିଛନ୍ତି ।