ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଓଡ଼ିଆ ବୈଜ୍ଞାନିକଙ୍କ ପ୍ରଂଶସା! ଲୁଣିଆ ପରିବେଶରେ ଚାଷ ପାଇଁ ଫର୍ମୁଲା ବାହାର କରି ଚର୍ଚ୍ଚାରେ କ୍ଷୀରୋଦ

67

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଓଡ଼ିଆ ପୁଅଙ୍କ କାଯ୍ୟକୁ ନେଇ ଚର୍ଚ୍ଚା । ଓଡ଼ିଶା ପାଇଁ ଗର୍ବ ଆଣିଲେ ବୈଜ୍ଞାନିକ ଡକ୍ଟର କ୍ଷୀରୋଦ ଜେନା । ଡକ୍ଟର କ୍ଷୀରୋଦଙ୍କୁ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଂଶସା କରିବା ପରେ ଏବେ ତାଙ୍କୁ ନେଇ ଚର୍ଚ୍ଚା । ପ୍ରଧାନମନ୍ତ୍ରୀଙ୍କ ଠାରୁ ବାହାବା ପାଇବା ପରେ ଏବେ ତାଙ୍କୁ ନେଇ ପୂରା ଭାରତରେ ଚର୍ଚ୍ଚା । ଚର୍ଚ୍ଚା ହେବନି ବା କେମିତି ? କ୍ଷୀରୋଦ ଏମିତି କିଛି କାମ କରିଛନ୍ତି ଯାହା ପ୍ରତି ଓଡିଆଙ୍କ ପାଇଁ ଗର୍ବର ବିଷୟ ।

kshirod-jenaଫିଲିଫାଇନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି ଯାଇଥିବା ବେଳେ ମାନିଲାରେ ଅବସ୍ଥିତ ଅର୍ନ୍ତଜାତୀୟ ଧାନ ଗବେଷଣା କେନ୍ଦ୍ରକୁ ଯାଇଥିଲେ । ସେଠାରେ ମୋଦି କିଛି ପ୍ରଜାତିର ଧାନ ବିହନ ଦେଖିଥିଲେ । କିନ୍ତୁ ତାଙ୍କୁ ଅଧିକ ପ୍ରଭାବିତ କରିଥିଲା ଲୁଣିଆ ପରିବେଶରେ ଚାଷ କରାଯିବା ପାଇଁ ଉଦ୍ଦିଷ୍ଟ ଥିବା ବିହନ । ଏହା ବିଷୟରେ ଅଧିକ ଜାଣିବା ପାଇଁ ମୋଦି ମଧ୍ୟ ଉତ୍ସାହିତ ଥିଲେ । ଆଉ ଏହି ଧାନ ବିହନର ଉପକାରିତା ବିଷୟରେ ମୋଦିଙ୍କୁ ବୁଝାଇଥିଲେ ଓଡ଼ିଆ ପୁଅ ତଥା ଅର୍ନ୍ତଜାତୀୟ ଧାନ ଗବେଷଣା କେନ୍ଦ୍ରର ପ୍ରମୁଖ ବୈଜ୍ଞାନିକ ଡକ୍ଟର କ୍ଷୀରୋଦ ଜେନା ।

ଏହାପରେ ମୋଦି ଟ୍ୱିଟ୍ କରି ଅର୍ନ୍ତଜାତୀୟ ଧାନ ଗବେଷଣା କେନ୍ଦ୍ରର ସମସ୍ତ ବୈଜ୍ଞାନିକଙ୍କୁ ଏଭଳି ଉନ୍ନତ ମାନର ବିହନ ପାଇଁ ପ୍ରଂଶସା କରିଥିଲେ । କେବଳ ଏତିକି ନୁହେଁ ବୈଜ୍ଞାନିକଙ୍କ ବାର୍ତ୍ତାଳାପ ଦ୍ୱାରା ସେ ବହୁତ କିଛି ଶିଖିବା ସହ ଏହା ତାଙ୍କ ପାଇଁ ଏକ ବଡ ଅନୁଭୂତି ବୋଲି ମୋଦି ଟ୍ୱିଟ୍ କରି ଜଣାଇଛନ୍ତି । ବୈଜ୍ଞାନିକମାନେ ଯେଉଁ ନୂଆ ଧାନ ବିହନ ପ୍ରସ୍ତୁତ କରିଛନ୍ତି ତାହା ଏସିଆ ଓ ଆଫ୍ରିକା ମହାଦେଶ ପାଇଁ ଅତ୍ୟନ୍ତ ଆବଶ୍ୟକ ବୋଲି ମୋଦି କହିଛନ୍ତି । ଏହାଦ୍ୱାରା ଭାରତର ଅନେକ ଚାଷୀ ଉପକୃତ ହେବେ ବୋଲି ସେ କହିଛନ୍ତି । ଭାରତର ପ୍ରାୟ ୭ ମିଲିୟନ ହେକ୍ଟର ଚାଷଜମି ଏହି ଉନ୍ନତ ମାନର ବିହନ ଦ୍ୱାରା ପୁଣିଥରେ ସବୁଜିମାରେ ଭରିଯିବ । ଲୁଣିଆ ପରିବେଶ ପାଇଁ ଯେଉଁ ସବୁ ଚାଷ ଜମିରେ ଧାନ ଚାଷ ହୋଇ ପାରୁନଥିଲା ଏହି ବିହନ ଦ୍ୱାରା ତାହା ସମ୍ଭବପର ହୋଇପାରିବ ବୋଲି କ୍ଷୀରୋଦ ଜେନା କହିଛନ୍ତି ।

 Dr.-Kshirod-Jena-640x651ଅର୍ନ୍ତଜାତୀୟ ଧାନ ଗବେଷଣା କେନ୍ଦ୍ରର ପ୍ରମୁଖ ବୈଜ୍ଞାନିକ କ୍ଷୀରୋଦ ଜେନା । ୧୯୫୩ ମସିହାରେ କଟକରେ ଜନ୍ମଗ୍ରହଣ କରିଥିଲେ । ଉକ୍ରଳ ବିଶ୍ୱବିଦ୍ୟାଳୟରେ ନିଜର ପାଠ୍ୟପଢା ଶେଷ କରିବା ପରେ ଗବେଷଣା କ୍ଷେତ୍ରରେ ପାଦ ଦେଇଥିଲେ । ଆଉ ସଫଳତା ମଧ୍ୟ ପାଇଥିଲେ । ନୂଆ ନୂଆ କିସମର ଧାନ ବିହନ ପ୍ରସ୍ତୁତ କରିବା କ୍ଷେତ୍ରରେ ଗବେଷଣା କରି ଆଜି ଏହି ସୋପାନରେ ପହଞ୍ଚିଛନ୍ତି କ୍ଷୀରୋଦ । ଯେହେତୁ କ୍ଷୀରୋଦ ନିଜେ ଉପକୂଳବର୍ତ୍ତୀ ଅଞ୍ଚଳରେ ଜନ୍ମ ଗ୍ରହଣ କରିଥିଲେ ତେଣୁ ଲୁଣିଆ ପରିବେଶରେ ଧାନ ହେଉନଥିବାର ସେ ଦେଖିଥିଲେ । ନିଜର ପାଠ୍ୟକ୍ରମ ଶେଷ ହେବା ପରେ ଏହି ଲୁଣିଆ ପରିବେଶରେ କିପରି ଧାନ ଚାଷ ହୋଇପାରିବ ସେନେଇ ଗବେଷଣା ଆରମ୍ଭ କରିଥିଲେ । ଶେଷରେ ଏହି ପ୍ରଜାତିର ବିହନ ପ୍ରସ୍ତୁତ କରି ସେ ଓଡ଼ିଶା ତଥା ଦେଶକୁ ଅର୍ନ୍ତଜାତୀୟ ସ୍ତରରେ ଗର୍ବିତ କରିଛନ୍ତି ।