ଆସାମରୁ ଅରୁଣାଚଳ ମଝି ଆକାଶରେ ହଜିଗଲେ ଓଡ଼ିଆ ପାଇଲଟ୍ । ୪ ଦିନ ହେବ ମିଳୁନି ପତ୍ତା, ପରିବାର ପାଖରେ ପହଁଚିଲା ପୁଅ ନିଖୋଜ ଥିବା ଖବର ।

1,796

କନକ ବ୍ୟୁରୋ: ଓଡ଼ିଆ ପାଇଲଟ୍ ନିଖୋଜ । ୪ ଦିନ ଧରି ନିଖୋଜ ଥିବା ଭାରତୀୟ ବାୟୁସେନା ବିମାନ ଏଏନ୍-୩୨ରେ ଓଡ଼ିଆ ପାଇଲଟ୍ ସୁନୀତ ମହାନ୍ତି ଥିଲେ ବୋଲି ସୂଚନା ମିଳିଛି । ୪ ଦିନ ତଳେ ନିଖୋଜ ହୋଇଯାଇଥିବା ବିମାନରେ ଗଂଜାମ ଜିଲ୍ଲା କବି ସୂର୍ଯ୍ୟନଗର ଅଂଚଳର ସୁମିତ ମହାନ୍ତି ଥିବା ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ସୁନିତ, ଗତ ୩ ତାରିଖରେ ଆସାମରୁ ଉଡାଣ ଭରିଥିବା ବିମାନରେ ଥିଲେ । ଏନେଇ ବିଧିବଦ୍ଧ ଭାବରେ ପରିବାର ଲୋକଙ୍କୁ ଅବଗତ କରାଯାଇଥିବା ବେଳେ ଜାତୀୟ ଗଣମାଧ୍ୟମରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି ।

ମଝି ଆକାଶରେ ନିଖୋଜ ହୋଇଯାଇଥିବା ବାୟୁସେନାର ବିମାନ ଏନ୍ଏନ୍-୩୨ରେ ଓଡ଼ିଆ ଫ୍ଲାଇଟ୍ ଲେଫ୍ଟନାଂଟ୍ ସୁନିତ ମହାନ୍ତି ଥିବା ନେଇ ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଏହି ବିମାନରେ ଥିଲେ, ବାୟୁସେନାର ୬ଜଣ ଅଫିସରଙ୍କ ସମେତ ମୋଟ୍ ୧୩ ଜଣ । ଯେଉଁଥିରେ ଗଂଜାମ ଜିଲ୍ଲା କବି ସୂର୍ଯ୍ୟନଗରର ସୁନିତ ମହାନ୍ତି ଥିବା ସୂଚନା ମିଳିଛି । ସେହିପରି ଫ୍ଲାଇଟ୍ ଲେଫ୍ଟନାଂଟ୍ ସୁନିତ ମହାନ୍ତିଙ୍କ ସହ ବିମାନରେ ଥିଲେ, ୱିଙ୍ଗ କମାଣ୍ଡର- ଜିଏମ୍ ଚାର୍ଲ୍ସ
ସ୍କ୍ୱାଡେନ୍ ଲିଡର- ଏଚ୍. ବିନୋଦ, ଫ୍ଲାଇଟ୍ ଲେଫ୍ଟନାଂଟ୍- ମୋହିତ ଗର୍ଗ, ଆଶିଷ ତନୱାର ଏବଂ ରାଜେଶ ଥାପା ।

ଏମାନଙ୍କ ବ୍ୟତୀତ ବିମାନରେ ଆହୁରୀ ୭ ଜଣ ଥିଲେ । ମିଳିଥିବା ସୂଚନା ଅନୁସାରେ ଓଡ଼ିଆ ଅଫିସର୍ ସୁନିତ ମହାନ୍ତି
-ଏନ୍ଆଇଟି ଜାମ୍ସେଦପୁରରୁ ଇଂଜିନିୟରିଂ କରିଛନ୍ତି
-ଡିଆର୍ଡିଓରେ ଗୋଟିଏ ମାସ ଟ୍ରେନିଂ ଭାବେ କାର୍ଯ୍ୟ କରିଛନ୍ତି
-ଦୀର୍ଘବର୍ଷ ଧରି ଦିଲ୍ଲୀରେ ରହି ଆସୁଛନ୍ତି ସୁନିତ ମହାନ୍ତି

ଗତ ୩ ତାରିଖରେ ଅରୁଣାଚଳ ପ୍ରଦେଶର ମେଚୁକାରୁ ଉଡାଣ ଭରିଥିବା ଏହି ବିମାନ ଆସାମର ଜୋରହାଟ୍ ଯାଉଥିଲା । ଆଉ ଏହି ସମୟରେ ଯୋଗାଯୋଗ ହରାଇଥିଲା ଏଏନ୍-୩୨ ବିମାନ । ଘଟଣାକୁ ୪ ଦିନ ବିତିଯାଇଥିଲେ ସୁଦ୍ଧା- ଏଯାଏଁ କୌଣସି ଖବର ମିଳିନାହିଁ ।