ଓଡ଼ିଆ ନବବର୍ଷକୁ ନିଆରା ଢଙ୍ଗରେ ପାଳିଲେ ଉତ୍କଳ ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ବିଭାଗର ଛାତ୍ରଛାତ୍ରୀ ! ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଛକରୁ ଛକ ବୁଲି ବାଣ୍ଟିଲେ ପ୍ରଚାରପତ୍ର

41

କନକ ବ୍ୟୁରୋ : ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନୂଆବର୍ଷ । ପରମ୍ପରା ଅନୁଯାୟୀ ଆଜିଠାରୁ ହିଁ ଓଡ଼ିଆ ନବବର୍ଷ ଆରମ୍ଭ ହୁଏ । ଏହି ପବିତ୍ର ଉତ୍ସବକୁ ବିଭିନ୍ନ ଢଙ୍ଗରେ ପାଳନ କରନ୍ତି ଓଡ଼ିଶାବାସୀ । ତେବେ ଚଳିତବର୍ଷ ଓଡ଼ିଆ ନବବର୍ଷକୁ ଏକ ଢଙ୍ଗରେ ପାଳନ କରିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ବିଭାଗର ଛାତ୍ରଛାତ୍ରୀ । ଏହି ଅବସରରେ ଲୋକଙ୍କୁ ଓଡ଼ିଆ ଭାଷାର ସୁରକ୍ଷା ଦିଗରେ ସଚେତନ କରିବା ପାଇଁ ବାଣୀବିହାର ଛକଠାରେ ଓଡିଆ ଭାଷାର ବହୁଳ ବ୍ୟବହାର ପାଇଁ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସଚେତନତା ବାର୍ତା ବଂଟନ କରାଯାଇଥିଲା ।

ଛକରୁ ଛକ ବୁଲି ଛାତ୍ରମାନେ ଓଡିଆ ଭାଷାକୁ ଭଲ ପାଇବା ପାଇଁ ସଂକଳ୍ପ ନେବା ପାଇଁ କହିଥିଲେ । ଏହି ଅବସରରେ ଓଡିଆ ଭାଷାରେ ସ୍ୱାକ୍ଷର କରିବା, ଘରେ ଏବଂ ବାହାରେ ଓଡିଆ ଭାଷାର ବହୁଳ ପ୍ରୟୋଗ, ନିମନ୍ତ୍ରଣ ପତ୍ରରେ ମାତୃଭାଷାର ବ୍ୟବହାର କରିବା ପାଇଁ କୁହାଯାଇଥିଲା । ଏହାସହ ବିଭିନ୍ନ ନାମ ଫଳକରେ ଓଡିଆ ଭାଷାର ପ୍ରୟୋଗ କରିବା ପାଇଁ ଲୋକ ମାନଙ୍କୁ ବୁଝାଇଥିଲେ ଛାତ୍ରଛାତ୍ରୀ । ଏପରିକି ଉଚ୍ଚଶିକ୍ଷା କ୍ଷେତ୍ରରେ ଇଂରାଜୀ ଭାଷା ଭଳି ଓଡିଆକୁ ଗୁରୁତ୍ୱ ଦେବା ପାଇଁ ସଂକଳ୍ପ ନେଇଥିଲେ ଛାତ୍ରଛାତ୍ରୀ । ସାଧାରଣରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଛାତ୍ରମାନଙ୍କ ଏଭଳି ଉଦ୍ୟମକୁ ବୁଦ୍ଧିଜୀବି ମାନେ ଖୁବ ପ୍ରଂଶସା କରିଛନ୍ତି ।