ସୁରଟରୁ ଆସିଲା ସାଙ୍ଘାତିକ ଖବର : ପ୍ରବାସୀ ଶ୍ରମିକକୁ ପୋଲିସ ପିଟି ପିଟି ମାରିଦେଇଥିବା ଅଭିଯୋଗ, ଓଡ଼ିଶା ଫେରିବା ପାଇଁ ପ୍ରବାସୀଙ୍କ ଭିଡ ପରେ ଅମାନବୀୟ କାଣ୍ଡ ଭିଆଇଲା ଆମ୍ରୋଲି ପୋଲିସ

2,355

କନକ ବ୍ୟୁରୋ : ପ୍ରବାସୀ ଓଡିଆ ଶ୍ରମିକଙ୍କ ମୃତ୍ୟୁ । ସୁରତରେ ପୋଲିସ ମାଡରେ ତାଙ୍କର ମୃତ୍ୟୁ ଘଟିଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି । ମିଳିଥିବା ସୂଚନା ଅନୁସାରେ ଗତ କିଛି ଦିନ ଧରି ଓଡିଶା ଫେରିବା ପାଇଁ ସ୍ଥାନୀୟ ଆମ୍ରୋଲି ଥାନାରେ ପ୍ରବଳ ଭିଡ ଜମୁଥିଲା । ସେମାନଙ୍କ ଟିକଟ ବ୍ୟବସ୍ଥା ନେଇ ପ୍ରବାସୀମାନେ ପୋଲିସର ସହଯୋଗ ମାଗୁଥିଲେ । କିନ୍ତୁ ଗତକାଲି ସଂଧ୍ୟାରେ ଥାନାରେ ପ୍ରବଳ ଭିଡ ଜମିବା ସହ ଉତେଜନା ପ୍ରକାଶ ପାଇଥିଲା । ଏହି ଘଟଣା ପରେ କେତେ ଜଣ ପୋଲିସ ଅଧିକାରୀ ଆମ୍ରୋଲି ଥାନା ଅନ୍ତର୍ଗତ ଅଂଜନୀ ଇଣ୍ଡଷ୍ଟ୍ରିଜ୍ରେ ରହୁଥିବା ଶ୍ରମିକଙ୍କ ପାଖରେ ପହଂଚିଥିଲେ ।

କଂପାନୀର ଶ୍ରମିକ ରହୁଥିବା ଘରର ତାଲା ଭାଙ୍ଗି ଭିତରେ ପଶିଥିଲେ ଏବଂ ସେଠାରେ ଥିବା ସତ୍ୟ ସ୍ୱାଇଁ ନାମକ ଯୁବକଙ୍କୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଅଭିଯୋଗ ହେଉଛି । ମୃତକଙ୍କ ନାଁ ସତ୍ୟ ସ୍ୱାଇଁ ଏବଂ ତାଙ୍କ ଘର ଭଂଜନଗର ଥାନା ଅନ୍ତର୍ଗତ ଗରୁଡ ଗାଁ ବୋଲି ଜଣାପଡିଛି । ଘରେ ତାଙ୍କର ମାନସିକ ଅସୁସ୍ଥ ଥିବା ଜଣେ ୫ ବର୍ଷ ପୁଅ ଥିବା ବେଳେ ପରିବାରରେ ଶୋକର ଛାୟା ଖେଳିଯାଇଛି । ସତ୍ୟ ସ୍ୱାଇଁଙ୍କ ମୃତ୍ୟୁନେଇ ଉଚିତ ତଦନ୍ତ ସହ ପରିବାରକୁ ସହାୟତା ପାଇଁ ଦାବି କରିଛି ସୁରତ ଓଡିଆ ସମାଜ ।