୧ ଟଙ୍କିଆ ନୋଟ୍‌ ସଂଗ୍ରହରେ ଲିମକା ବୁକ୍‌ ରେକର୍ଡ କଲେ ଓଡ଼ିଆ ପୁଅ !

39

ମୁଦ୍ରା ସଂରକ୍ଷଣରେ ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଓଡ଼ିଆ ପୁଅ ରାଜକିଶୋର ମହାନ୍ତ । ୨୦୧୪ରେ ସଚିନ ତେନ୍ଦୁଲକରଙ୍କ ୧୦୦ ଶତକର ତାରିଖ ଅନୁଯାୟୀ ସିରିଏଲ୍‌ ନମ୍ବର ଥିବା ୧୦୦ଟି ୧୦ ଟଙ୍କିଆ ନୋଟ୍‌ ସଂଗ୍ରହ କରି ଲିମକା ରେକର୍ଡରେ ସ୍ଥାନ ପାଇ ସେ ଚର୍ଚ୍ଚାକୁ ଆସିଥିବା ବେଳେ ତାଙ୍କର ଏହି ସଫଳତା ଫର୍ଦରେ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଛି । ୧ ଟଙ୍କିଆ ଓ ୨ ଟଙ୍କିଆ ନୋଟ୍‌ ସଂଗ୍ରହରେ ତାଙ୍କୁ ମିଳିଛି ଏହି ବିରଳ କୃତିତ୍ୱ ।

୧୯୪୯ ଅଗଷ୍ଟ ୧୨ ତାରିଖରେ ଅର୍ଥ ସଚିବ କେଆରକେ ମେନନଙ୍କ ସମୟରୁ ୧ ଟଙ୍କିଆ ନୋଟ୍‌ ଆରମ୍ଭ ହୋଇଥିବା ବେଳେ ୧୯୯୪ ପର୍ୟ୍ୟନ୍ତ ୧ ଟଙ୍କିଆ ନୋଟ୍‌ର ସମୁଦାୟ ୫୪୭ଟା ଇସ୍ୟୁ ବାହାରିଥିଲା । ସେହି ୫୪୭ଟି ଇସ୍ୟୁ ମଧ୍ୟରୁ ୧୯୪୯ରୁ ‘ବି’(ସିରିଏଲ୍‌ କୋଡ୍‌) ଇସ୍ୟୁଠାରୁ ଆରମ୍ଭ କରି ୧୯୯୪ ମସିହାରେ ମୋଣ୍ଟେକ୍‌ ସିଂହ ଆଲୁଓ୍ଵାଲିଆଙ୍କ ପର୍ଯ୍ୟନ୍ତ ଛପା ଯାଇଥିବା ଶେଷ ଇସ୍ୟୁ ‘ଏନ୍‌’ ପର୍ଯ୍ୟନ୍ତ ସେ ୩୮୯ଟି ଇସ୍ୟୁର ୩୮୯ଟି ୧ ଟଙ୍କିଆ ନୋଟ୍‌ ସଂଗ୍ରହ କରି ସେ ରେକର୍ଡ ରଚିଛନ୍ତି । ଚଳିତ ବର୍ଷ ମାର୍ଚ ମାସରେ ସେ ଏହି ରେକର୍ଡ ରଚିଛନ୍ତି ।

ସେହିପରି ୧୯୫୦ ଜାନୁଆରି ୨୬ରୁ ଆରମ୍ଭ ହୋଇଥିଲା ୨ ଟଙ୍କିଆ ନୋଟ୍‌ । ୧୯୯୪ ପର୍ଯ୍ୟନ୍ତ ସର୍ବମୋଟ୍‌ ୩୩୫ଟି ଇସ୍ୟୁ ବାହାରିଥିବା ବେଳେ ସେଥିମଧ୍ୟରୁ ୨୮୯ଟି ଇସ୍ୟୁର ୨୮୯ଟି ୨ ଟଙ୍କିଆ ନୋଟ୍‌ ସଂଗ୍ରହ ଯୋଗୁଁ ତାଙ୍କୁ ଲିମକା ରେକର୍ଡରେ ସ୍ଥାନ ମିଳିଛି । ଏମବିଏ ଛାତ୍ର ରାଜକିଶୋରଙ୍କ ନିଜ ଘର କେଉଁଝର ଜିଲ୍ଲାରେ । ଲମ୍ବୋଦର ମହାନ୍ତ ଓ ମମତା ମହାନ୍ତଙ୍କ ପୁତ୍ର ରାଜକିଶୋରଙ୍କର ପିଲାବେଳୁ ମୁଦ୍ରା ସଂଗ୍ରହ ପ୍ରତି ଅଜବ ସଉକ ତାଙ୍କୁ ବାରମ୍ବାର ଏ ଦିଗରେ ରେକର୍ଡ ରଚିବାରେ ସହାୟକ ହୋଇଛି ।

ସଂପ୍ରତି ସେ ନିଜ ନିକଟରେ ୧୯୭ଟି ଦେଶର ମୁଦ୍ରା ରଖିଥିବା ବେଳେ ଅଢ଼େଇ ଲକ୍ଷ ୨୫ ପଇସା ମୁଦ୍ରା ସଂଗ୍ରହ କରିଛନ୍ତି । ଯାହାର ଓଜନ ହେଉଛି ସାଢ଼େ ୪ କ୍ୱିଣ୍ଟାଲ୍‌ । ପୁଣି ୯୯୯୯୯୦ ସିରିଏଲ୍‌ ନମ୍ବରର ୧୦୧ଟି ୫ ଟଙ୍କିଆ ନୋଟ୍‌ ବି ସେ ସଂଗ୍ରହ କରିଛନ୍ତି । ପିଲାବେଳୁ ନୋଟ୍‌ ସଂଗ୍ରହ କରୁଥିଲେ ହେଁ ରାଜକିଶୋରଙ୍କ ସୂଚନା ମୁତାବକ ୨୦୧୧ରୁ ସେ ଏହି ଟଙ୍କିକିଆ ଓ ୨ ଟଙ୍କିଆ ନୋଟ୍‌ ସଂଗ୍ରହ ଉପରେ ଧ୍ୟାନ ଦେଇଥିଲେ ।

ବିଭିନ୍ନ ସମୟରେ ସେ ପ୍ରଦର୍ଶନୀରେ ଭାଗ ନେଇ ଲୋକଙ୍କ ସମ୍ପର୍କରେ ଆସିବା ପରେ ଏହି ସଂଗ୍ରହ କରିପାରିଛନ୍ତି ବୋଲି କହିଛନ୍ତି । ସାମାଜିକ ଗଣମାଧ୍ୟମ ଯେବେଠୁ ସକ୍ରòୟ ହୋଇଛି ସେଥିରୁ ବି ନିଜ ନିଶାକୁ ସାକାର ରୂପ ଦେବାକୁ ଚେଷ୍ଟା କରିଛନ୍ତି ରାଜକିଶୋର । କିଏ କାହା ସୁଖ ଦୁଃଖ କି କୌଣସି ଗୁଲି ଖଟି କରୁଥିବା ବେଳେ ରାଜକିଶୋରଙ୍କର ନିଜ ନିଶା ପାଇଁ ସଦାସର୍ବଦା ଚେଷ୍ଟିତ ଥାଆନ୍ତି ।