ସୁରତରେ ଓଡିଆ ନେତାଙ୍କ କ୍ୟମ୍ପେନ । ଓଡିଆ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ

40

କନକ ବ୍ୟୁରୋ : ଗୁଜରାଟରେ ଓଡିଆ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଓଡିଆ ନେତାଙ୍କ ଉଦ୍ୟମ । ପ୍ରଚାରରେ ସାମିଲ ହେଲେ ଓଡିଶାର ଅନେକ ହେଭିୱେଟ । ଗୁଜରାଟ ନିର୍ବାଚନ ରଣାଙ୍ଗନରେ ଓଡିଆ ନେତାଙ୍କ ଜୋରଦାର ପ୍ରଚାର । ଗୁଜାରାଟ ବିଧାନସଭା ନିବାର୍ଚନ ପାଇଁ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ବିଜେପି ଓ କଂଗ୍ରେସ ଜୋରଦାର ପ୍ରଚାର ଚଳାଇଛନ୍ତି । ତେବେ ପ୍ରଚାରକୁ ଅଧିକ ସରଗରମ କରିବା ପାଇଁ ଉଭୟ ଦଳର ନେତା ଓଡିଶାରୁ ଯାଇ ସେଠାରେ ପ୍ରଚାରକୁ ଆହୁରି ତୀବ୍ର କରିଛନ୍ତି ।

ଆସନ୍ତା ୯ ତାରିଖରେ ଗୁଜୁରାଟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷଦିନ । ଆଜି ସନ୍ଧ୍ୟା ୫ଟା ପରେ ଆଉ ପ୍ରଚାର କରିପାରିବେନି ନେତା । ତେବେ ତା ପୂର୍ବରୁ ଜୋରଦାର ପ୍ରଚାର କରିଛି ଓଡିଆ କଂଗ୍ରେସ ନେତା । ଗତକାଲି ଆଡ୍ଡାଜନ ପଟିଆ ଅଂଚଳରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସି ସଭାପତି ନିରଂଜନ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀ, ଭାରତୀୟ
ଯୁବକଂଗ୍ରେସର ପୂର୍ବତନ ଜାତୀୟ ସଂଯୋଜକ ପଦ୍ମାକର ଗୁରୁଙ୍କ ସମେତ ଅନେକ ନେତା ଘର ଘର ବୁଲି ଇକବାଲ ଦାଉଦ ପଟେଲଙ୍କୁ ଭୋଟ ଦେବାକୁ ଓଡିଆ ଭାଇ ଭଉଣୀଙ୍କୁ ନିବେଦନ କରିଥିଲେ ।

ସେହିପରି ଗତକାଲି ସିଦ୍ଧାର୍ଥ ନଗରରେ ୧୬୫ –ଉଦାନ ଅଂଚଳରେ ଏକ ସଭାର ଆୟୋଜନ କରାଯାଇଥିଲା । ଯେଉଁଥିରେ ପାଖାପାଖି ଏକ ହଜାରରୁ ଅଧିକ ଲୋକ ଯୋଗ ଦେଇଥିଲେ । ଗତକାଲି ଏହି ସଭାରେ କଂଗ୍ରେସର ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପୂର୍ବତନ ପିସିସି ସଭାପତି ତଥା କଂଗ୍ରେସର ବରିଷ୍ଠ ନେତା ନିରଜଂନ ପଟ୍ଟନାୟକ ଗୁଜରାଟର ସିଦ୍ଧାର୍ଥ ନଗରରେ ପ୍ରଚାର କରିଥିଲେ । ତାସହ ଅନେକ ସ୍ଥାନୀୟ ପ୍ରତିନିଧି ଲୋକମାନଙ୍କୁ ଭେଟି ସେମାନଙ୍କ ସମସ୍ୟାସମ୍ପର୍କରେ ଆଲୋଚନା କରିଥିଲେ ।

ଆଜି ବି କେତେକ ସ୍ଥାନରେ ପ୍ରଚାରକୁ ଜୋରଦାର କରିବ କଂଗ୍ରେସ । କୌଣସି ସୁଯୋଗ ହାତଛଡା ନକରିବାକୁ ଯୋଜନା କରିଛି କଂଗ୍ରେସ । ସେହିପରି ୧୬୧-ସୁରତରେ ପ୍ରଚାର କରିଥିଲେ କଂଗ୍ରେସର ଏହି ବରିଷ୍ଠ ନେତା ମାନେ । ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ଅନ୍ୟ ବରିଷ୍ଠ ନେତା ମାନେ ଏବି ପ୍ରଚାରରେ ସାମିଲ ହୋଇଥିଲେ ।

ସୁରତରେ ପାଖାପାଖି୬ଲକ୍ଷ ଓଡିଆ ଲୋକ ରହୁଛନ୍ତି । ଯେଉଁମାନେ ଟେକ୍ସଟାଇଲ କମ୍ପାନୀରେ କାମ କରୁଛନ୍ତି । ତେଣୁ ଏହି ଭୋଟରଙ୍କୁ ହାତେଇବାକି ସ୍ୱତନ୍ତ୍ର ରଣନୀତି କରିଛି ବିଜେପି । ଉଦ୍ଧାନ, ଲିମବ୍ୟାତ, ପାଣ୍ଡେସାରା, ସଚିନ, କଙ୍କରାଗାଁଓ ଆଦି ଅଂଚଳରେ ରହୁଥିବା ଏହି ଓଡିଆ ଭୋଟରଙ୍କୁ ଆକୃଷ୍ଟ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଓଡିଶା ବିଜେପି ମହିଳା ମୋର୍ଚାର ସମ୍ପାଦିକା ତଥା ଅଭିନେତ୍ରୀ ପିଙ୍କି ପ୍ରଧାନ ଘର ଘର ବୁଲି ପ୍ରଚାର କରିବା ସହ ନିର୍ବାଚନୀ ସଭାରେ ବିଜେପି ସମର୍ଥୀତ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅନୁରୋଧ କରିଥିଲେ ।

ସୁରତ ଓ ନାବସାରୀ ନିର୍ବାଚନ ମଣ୍ଡଳୀରେ ଅନ୍ତର୍ଭୁକ୍ତ ଏଠାକାର ଭୋଟର । ତେଣୁ ଏହି ଦୁଇ ନିର୍ବାଚନମଣ୍ଡଳୀରେ ଭୋଟରଙ୍କୁ ଆକୃଷ୍ଟ କରିବ ପାଇଁ ଜୋରଦାର ପ୍ରଚାର ଚଳାଇଛି ବିଜେପି । ଚୈାରାସିଆ, ମଜୁରା, ବରଚ୍ଛା ଆଦି ଅଂଚଳରେ ପ୍ରଚାର କରିଥିଲେ । ବିଜେପିର ଏହି ନେତାମାନେ ବିଭିନ୍ନ ସଂଗଠନ ସହ ଆଲୋଚନା କରିଥିଲେ ।ବିଜେପିର ବରିଷ୍ଠ ନେତ୍ରୀ ସୁରମା ପାଢୀ, ଅଶୋକ ମିଶ୍ର, ଠାକୁର ରଣଜିତ ଦାସ ପ୍ରମୁଖ ସଚିନ, ପଟେଲ ନଗର, ଶ୍ରୀରାମ ନଗରରେ ,ଭେଦ ନଗରରେ ପ୍ରଚାର କରିଥିଲେ ।

ବିଜେପି ଏହି ନିର୍ବାଚନ ବୈତରଣୀ ପାର ହୋଇ ନିଜ ସମ୍ମାନ ରଖିବାକୁ ଉଦ୍ୟମ କରୁଥିବା ବେଳେ କଂଗ୍ରେସ ଗୁଜରାଟ ଗଡ ଦଖଲ କରିବାକୁ ଚେଷ୍ଟା କରିବ । ତେବେ ଭୋଟ ଗଣତି ପରେ ଜଣାପଡିବ କାହା ଉପରେ ଆସ୍ଥା ରଖିଲେ ଓଡିଆ ଭୋଟର । ଓଡିଆ ନେତା ଓଡିଆ ଭୋଟରଙ୍କୁ ଆକୃଷ୍ଟ କରିପାରିଲେ କି ନାହିଁ ତାହାର ଚିତ୍ର ଜଣାପଡିବ ।