ସରକାରୀ କାମରେ ଓଡ଼ିଆ ଭାଷା ବ୍ୟବହାର ନକଲେ କର୍ମଚାରୀଙ୍କୁ ମିଳିବ ଦଣ୍ଡ ! ଏପରିକି ଦୋକାନର ନାମଫଳକରେ ଓଡ଼ିଆ ନ ଲେଖିଲେ ଦେବାକୁ ପଡ଼ିବ ଜରିମାନା

73

କନକ ବ୍ୟୁରୋ : ଆଜିଠାରୁ କାର୍ଯ୍ୟକାରୀ ହେଲା ଓଡିଆ ଭାଷା ସଂଶୋଧନ ଆଇନ୍ । ଦୀର୍ଘ ୬୩ ବର୍ଷ ପରେ ସରକାରୀ କାମରେ ଓଡିଆ ଭାଷା ବ୍ୟବହାର ନକଲେ ଦଣ୍ଡ ମିଳିବାର ଆଇନରେ ବ୍ୟବସ୍ଥା କରାଗଲା । ଏହାଫଳରେ ସମସ୍ତ ସରକାରୀ କର୍ମଚାରୀ ଆଜିଠାରୁ ସରକାରୀ କାମ ଓଡିଆରେ ନକଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ । ଏଥିସହ ଓଡିଆ ଭାଷାକୁ ଭଲଭାବେ ବ୍ୟବହାର କରୁଥିବା କର୍ମଚାରୀଙ୍କୁ ପୁରସ୍କାର ଦିଆଯିବା ନେଇ ଆଇନରେ ବ୍ୟବସ୍ଥା କରାଯାଇଛି । ଓଡିଆ ଭାଷା ସଂଶୋଧନ ଆଇନ୍ ସହ ଓଡିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ସଂଶୋଧନ ବିଲ୍ ମଧ୍ୟ ପାରିତ ହୋଇଛି । ଏହାଫଳରେ ଦୋକାନରେ ଏଣିକି ଓଡିଆରେ ନଲେଖିଲେ ଜରିମାନା ଦେବାକୁ ପଡିବ ।

ଓଡିଶାରେ ସମସ୍ତ ସରକାରୀ କାମରେ ଓଡିଆ ଭାଷା ବ୍ୟବହାର କରିବା ପାଇଁ ଓଡିଶା ସରକାରୀ ଭାଷା ଅଧିନିୟମ, ୧୯୫୪ ପ୍ରଣୟନ କରାଯାଇଥିଲା । କିନ୍ତୁ ଏହାକୁ କଡା କଡି କରିବା ପାଇଁ ଯେଉଁ ଦଣ୍ଡ ବିଧାନ ବ୍ୟବସ୍ଥାକୁ ନେଇ ଦାବି ଜୋର ଧରିଥିଲା , ଆଜି ୬୩ ବର୍ଷ ପରେ ସେହି ଦାବି ପୂରଣ ହୋଇଛି । ଓଡିଶା ବିଧାନସଭାରେ ଓଡିଶା ସରକାରୀ ଭାଷା ସଂଶୋଧନ ଅଧିନିୟମ -୨୦୧୮ ପାରିତ ହୋଇଛି ।

ପ୍ରାୟ ଦେଢ ହଜାର ବର୍ଷର ଲମ୍ବା ଇତିହାସ ରହିଥିବା ଏହି ଓଡିଆ ଭାଷାକୁ କେନ୍ଦ୍ର ସରକାର ଶାସ୍ତ୍ରୀୟ ଭାଷା ଭାବେ ମାନ୍ୟତା ଦେଇଛନ୍ତି । କିନ୍ତୁ ରାଜ୍ୟରେ ଛତୁ ଫୁଟିବା ପରି ଇଂରାଜି ମିଡିୟମ ସ୍କୁଲ ଓ ଅଧିକାଂଶ ଅଭିଭାବକ ନିଜ ପିଲାକୁ ଇଂରାଜୀ ମାଧ୍ୟମରେ ଶିକ୍ଷାଦାନକୁ ପସନ୍ଦ କରିବା ଏବଂ ଏହିପରି ଅନେକ କାରଣ , ଓଡିଶା ଭାଷାକୁ ବିପଦ ଘେରକୁ ଟାଣି ଆଣିଛି ।

ତେବେ ବିଧାନସଭାରେ ଏହି ଆଇନ ପରିତ ହେବା ପରେ ଆଉ ଏକ ବଡ ପଶ୍ନ ରହିଛି – ଯେ ଦଣ୍ଡର ପରିମାଣ କଣ ହେବ । ତେବେ ବଭାଗୀୟ ମନ୍ତ୍ରୀ କହିଛନ୍ତି ଏ ସମ୍ପର୍କରେ କମିଟି ନିଷ୍ପତ୍ତି ନେବେ । ସେପଟେ ଓଡିଆ ଭାଷା ସଂଶୋଧନ ଆଇନ୍ ବିଧାନସଭାରେ ପାରିତ ହେବା ପରେ ଏହାକୁ ସ୍ୱାଗତ କରିଛି ଭାଷା ଆନ୍ଦୋଳନ ସଂଗଠନ । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ସଂଗଠନ ଯଥାଶୀଘ୍ର ନିୟମାବଳୀକୁ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରିଛି । ଏଥିସହ ଦୁଇ ମାସ ପାଇଁ ଆନ୍ଦୋଳନ ବନ୍ଦ କରିବାକୁ ସଂଗଠନ ନିଷ୍ପତି ନେଇଛି ।