ଓଡ଼ିଆ ପ୍ରୀତି ଏମିତି : ଉନ୍ନୟନ କମିସନରଙ୍କ ନିର୍ଦ୍ଦେଶକୁ ଫୁ’, ଓଡ଼ିଆରେ ନାମ ଫଳକ ହୋଇପାରିଲାନି, କାର୍ଯ୍ୟାନୁଷ୍ଠାନ ନାହିଁ

42

କନକ ବ୍ୟୁରୋ: ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, ଅନୁଷ୍ଠାନ, ସରକାରୀ କାର‌୍ୟ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକର ନାମଫଳକ ଓଡ଼ିଆରେ ଲେଖା ହେବ ବୋଲି ରାଜ୍ୟ ସରକାର ନିୟମ କରିଛନ୍ତି। ଏନେଇ ନିର୍ଦ୍ଦେଶନାମା ବି ଜାରି ହୋଇଛି। କିନ୍ତୁ ଏହା କିପରି ପାଳନ ହେଉଛି ତାହା ରାଜଧାନୀର ବିଭିନ୍ନ ଅନୁଷ୍ଠାନର ନାମଫଳକକୁ ଦେଖି‌େଲ ଜଣାପଡ଼ୁଛି। ଖୋଦ୍ ଉନ୍ନୟନ କମିସନର ଆର୍‌.ବାଲକ୍ରିଷ୍ଣନ ଏନେଇ ତିନି ଥର ସମୀକ୍ଷା କରି ନିର୍ଦ୍ଦେଶ ଦେଇଥିଲେ ହେଁ ଏହାକୁ କେହି ମାନୁନାହାନ୍ତି। ରାଜଧାନୀରେ ସବୁଠି ଓଡ଼ିଆ ନାମଫଳକ ଲାଗିବା ନେଇ ଶ୍ରମ ବିଭାଗ ଓ ବିଏମ୍‌ସି ନିଶ୍ଚିତ କରିବାକୁ କୁହାଯାଇଥିଲେ ହେଁ ଏହି ଦୁଇଟି ସଂସ୍ଥାର ଅପାରଗତା ଯୋଗୁଁ ଉନ୍ନୟନ କମିସନରଙ୍କ ନିର୍ଦ୍ଦେଶ ଏବେ ଫୁ’ ହୋଇଯାଇଛି।

ଅକ୍ଟୋବର ୧୫ ସୁଦ୍ଧା ରାଜଧାନୀର ସମସ୍ତ ନାମଫଳକ ଓଡ଼ିଆରେ ଲେଖା ହେବ। ଏହା ଯେପରି ଶତ ପ୍ରତିଶତ ସଫଳ ହେବ ସେଥିପାଇଁ ବିଏମ୍‌ସି ଓ ଶ୍ରମ ବିଭାଗ ବିଭିନ୍ନ ଅନୁଷ୍ଠାନ ଓ ବ୍ୟବସାୟୀଙ୍କୁ ସଚେତନ କରାଇବେ। ସମସ୍ତେ ଯେପରି ସ୍ବଇଚ୍ଛାରେ ନାମଫଳକଗୁଡ଼ିକ ପ୍ରାଞ୍ଜଳ ଭାବେ ଓଡ଼ିଆରେ ଲେଖିବେ ସେଥିପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ଉନ୍ନୟନ କମିସନର ଆର‌୍‌.ବାଲକ୍ରିଷ୍ଣନ ସେପ୍ଟେମ୍ବର ୧୫ରେ ନିର୍ଦ୍ଦେଶ ଦେଇଥିଲେ। ଏହାକୁ କ୍ବଚିତ ଅନୁଷ୍ଠାନ ମାନିଲେ, ବହୁ ଅନୁଷ୍ଠାନ ମାନିଲେନି।

ଉନ୍ନୟନ କମିସନର ଏପ୍ରିଲ ୩ରେ, ଅଗଷ୍ଟ ୨୧ରେ, ସେପ୍ଟେମ୍ବର ୧୫ରେ ତିନି ଥର ସମୀକ୍ଷା ବୈଠକ କରି ଏହିଭଳି ନିର୍ଦ୍ଦେଶନାମା ଦେଇଛନ୍ତି। ଏପରିକି ସେପ୍ଟେମ୍ବର ୧୫ରେ ଉନ୍ନୟନ କମିସନର ଡାକିଥିବା ବୈଠକରେ ଶ୍ରମ ସଚିବ, ଉଚ୍ଚ ଶିକ୍ଷା ବିଭାଗ ସଚିବ, କ୍ରୀଡ଼ା ସଚିବ, ବିଏମ୍‌ସି କମିସନର, ପୌର ପ୍ରଶାସନ ନିର୍ଦ୍ଦେଶକଙ୍କୁ ବସାଇ ବିଭିନ୍ନ ବେସରକାରୀ ପ୍ରତିଷ୍ଠାନ, ବ୍ୟବସାୟୀ ସଂଘ, ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ଓଡ଼ିଆରେ ନାମ ଫଳକ ଲଗାଇବାକୁ କହିଥିଲେ। ଏହାକୁ ନିଶ୍ଚିତ କରିବାକୁ ଉପରୋକ୍ତ ଅଧିକାରୀମାନଙ୍କୁ ବୁଝାଇଥିଲେ। କିନ୍ତୁ ସବୁ ସେହି ବୈଠକ ପରେ ଫୁସକି ଗଲା।