ହନିଟ୍ରାପରେ ଓଡିଆ ଯବାନ: ଦେଶର ଗୁପ୍ତ ତଥ୍ୟ ଲିକ୍ କରିବା ଅଭିଯୋଗରେ ଗଂଜାମ ଜିଲ୍ଲା ଆଙ୍କରୋଡା ଗାଁର ବିଚିତ୍ର ବେହେରା ଗିରଫ

6,715
କନକ ବ୍ୟୁରୋ :ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଦେଶର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇ ଗିରଫ ହେଲେ ଓଡିଆ ଯବାନ ବିଚିତ୍ର ବେହେରା । ମଙ୍ଗଳବାର ରାଜସ୍ଥାନର ଯୋଧପୁର ରେଲୱେ ଷ୍ଟେସନରୁ ବିଚିତ୍ରଙ୍କୁ ଗିରଫ କରିଛି ପୋଲିସ । ବିଚିତ୍ରଙ୍କ ନାଁରେ ଅଭିଯୋଗ ହେଲା, ଦେଶର ତଥ୍ୟ ଚୋରି କରିବା ସହିତ ଲିକ କରିଛନ୍ତି । ସେପଟେ ବିଚିତ୍ରଙ୍କ ପରିବାର ଲୋକେ ତାଙ୍କ ଗିରଫଦାରୀକୁ ସହଜରେ ଗ୍ରହଣ କରିପାରିନାହାନ୍ତି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି ।
ଏହି ପରିବାର ଉପରେ ଏବେ ଦୁଃଖର କଳାବାଦଲ ଘୋଡେଇ ହୋଇଛି । କାହିଁକି ନା ସେନାର ଚାକିରି କରିଥିବା ତାଙ୍କ ପୁଅଙ୍କ ନାଁରେ ଏକ ଏମିତି ଅଭିଯୋଗ ଆସିଛି ଯାହା ସାରା ଦେଶରେ ଚାଂଚଲ୍ୟ ଖେଳାଇ ଦେଇଛି । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଆଙ୍କୋରଡା ଗ୍ରାମର ବିଚିତ୍ର ବେହେରା । ୪ବର୍ଷ ତଳେ ସେନାରେ ଯୋଗ ଦେଇଥିବା ବିଚିତ୍ରଙ୍କ ନାଁରେ ଆସିଛି ସଙ୍ଗିନ ଅଭିଯୋଗ । ହନିଟ୍ରାପର ଶିକାର ହୋଇଛନ୍ତି ଏହି ଓଡିଆ ଯବାନ । ସୋସିଆଲ ମିଡିଆ ମାଧ୍ୟମରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ଜଣେ ମହିଳା ଏଜେଂଟକୁ ଏହି ଯବାନ ଜଣଙ୍କ ଦେଶର ଗୁରୁତ୍ୱପୂର୍ଣ୍ଣ ଦେଇଥିବା ଅଭିଯୋଗ ହୋଇଛି । ଏଥିପାଇଁ ବିଚିତ୍ରଙ୍କୁ କିଛି ଟଙ୍କା ମଧ୍ୟ ମିଳିଛି । ସିନ୍ଧୁ ସୁଦର୍ଶନ ପ୍ରକଳ୍ପ ସମ୍ପର୍କରେ ବିଚିତ୍ର ତଥ୍ୟ ଦେଇଥିବା ସୂଚନା ମିଳିଛି ।
ଆଇଏସଆଇର ମହିଳା ଏଜେଂଟଙ୍କ ସହିତ ବିଚିତ୍ର ୨ବର୍ଷ ହେବ ଯୋଗାଯୋଗରେ ଥିଲେ । ପ୍ରଥମେ ବନ୍ଧୁତ୍ୱ ବଢିଥିଲା । ଏଜେଂଟ ଜଣଙ୍କ ମାଗିଥିବା କିଛି ତଥ୍ୟକୁ ଭିଡିଓ କ୍ଲିପ ଆକାରରେ ହ୍ୱାଟସ ଅପରେ ବିଚିତ୍ର ଦେଇଥିବା ଅଭିଯୋଗ ହୋଇଛି । ପରିବାର ଲୋକେ ବିଚିତ୍ରଙ୍କ ନାଁରେ ଆସିଥିବା ଅଭିଯୋଗକୁ ଗ୍ରହଣ କରିନଥିବା ବେଳେ ମାମଲାର ପୁଣିଥରେ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି । ରାଜସ୍ଥାନର ଯୋଧପୁର ରେଳ ଷ୍ଟେସନରୁ ମଙ୍ଗଳବାର ବିଚିତ୍ରଙ୍କୁ ଉଠାଇ ନେଇଛି ପୋଲିସ । ବିଚିତ୍ରଙ୍କ ସହିତ ଆଉ ଜଣେ ଯବାନ ବି ସାମିଲ ଥିବା ସନ୍ଦେହ କରାଯାଉଛି ।